Latest Odisha News

BREAKING NEWS

ଥମୁନି ପ୍ରକୋପ: ଅଜଣା ରୋଗରେ ଗଲାଣି ୫ ଶିଶୁଙ୍କ ଜୀବନ, ୬ ଚିକିତ୍ସାଧୀନ

ରାୟଗଡ଼ା: ଅଜଣା ରୋଗରେ ଗଲାଣି ୫ ଶିଶୁଙ୍କ ଜୀବନ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମୁନିସିଂ ପଞ୍ଚାୟତରେ ଅଜଣା ରୋଗ ଆତଙ୍କ ଖେଳିଯାଇଛି। ଏଠାରେ ମେଡିକାଲରେ ଜଣେ ଓ ଗାଁରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୬ ଜଣ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ଗତ ବୁଧବାର ସୁଦ୍ଧା ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଶିଶୁର ମୃତ୍ୟୁ ହୋଇଛି।

ଏଣେ ଘଟଣାକୁ ନେଇ ବ୍ଲକ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗତ ବୁଧବାର ରାୟଗଡ଼ା ଏଡିଏମ୍‌ଓଙ୍କ ନେତୃତ୍ୱରେ କାଶୀପୁର ସିଏଚ୍‌ସି ଇନ୍‌ଚାର୍ଜ ଡାକ୍ତର ଏନ୍‌ଏନ୍‌ ନାୟକଙ୍କ ସହ ଗୋଟିଏ ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ସମସ୍ତଙ୍କୁ ପ୍ରତିଷେଧକମୂଳକ ଚିକିତ୍ସା କରିଥିଲେ। ଏଥିସହ ଆକ୍ରାନ୍ତଙ୍କ ରକ୍ତ ନମୁନା ସହ ପିଇବା ପାଣି, ଖାଦ୍ୟକୁ ପରୀକ୍ଷା ପାଇଁ ସଂଗ୍ରହ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ରିପୋର୍ଟ ଆସିନାହିଁ। ଏହି ଅଜଣା ରୋଗର ଲକ୍ଷ୍ୟଣ ହେଲା ବେକ ଫୁଲିବା ସହ ଖାଇବାରେ କଷ୍ଟ ହେବା। ଏପରି କିଛି ଅଭିଯୋଗ କରିଛନ୍ତି ଗାଁ ଲୋକେ।

ଏହି ଘଟଣାକୁ ଦେଖି ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଛି। ଗାଁରେ ଏକ ଡାକ୍ତରୀ ଦଳ ପହଞ୍ଚିଛନ୍ତି। ସିଡିଏମ୍‌ଓ ଲାଲମୋହନ ରାଉତରାୟ ମଧ୍ୟ ଗାଁରେ ଯାଞ୍ଚ କରୁଛନ୍ତି। ଅନ୍ୟପକ୍ଷରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲର ୨ ଡାକ୍ତର ଏବଂ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ମମତା ସାହୁ, କାଶୀପୁରର ଡାକ୍ତର ଏନ୍‌ଏନ୍‌ ନାୟକ, ଭୁବନେଶ୍ୱରରୁ ଆସିଥିବା ଡାକ୍ତର ଆଦିତ୍ୟ ମହାପାତ୍ର, ଡାକ୍ତର ତାପସ ପାତ୍ର ପ୍ରମୁଖଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଡାକ୍ତର ଟିମ୍‌ ପ୍ରଭାବିତ ମୁନୁଷପଦର ଗାଁକୁ ଯାଇ ଅନ୍ୟ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା କରିବା ସହ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଲୋକଙ୍କୁ ସଚେତନ କରିଛନ୍ତି। ପ୍ରଶାସନ ପକ୍ଷରୁ କାଶୀପୁର ଏବିଡିଓ ପଦ୍ମିନୀ କହଁର ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Leave A Reply

Your email address will not be published.