ରାଉରକେଲା: ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣାରେ ଗୁରୁତର ହୋଇଥିବା ଦୁଇ ଯାତ୍ରୀ ସ୍ବାମୀ-ସ୍ତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ସେମାନେ ହେଲେ ସୁନିଲ୍ ଅଗ୍ରଓ୍ବାଲ ଏବଂ ପତ୍ନୀ ସବିତା ଅଗ୍ରଓ୍ବାଲ । ବିମାନ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ସମେତ ୬ ଜଣ ଗୁରୁତର ଥିଲେ । ବାକି ଅନ୍ୟ ୪ ଜଣଙ୍କୁ ରାଉରକେଲା ସ୍ଥିତ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଜାରି ରହିଛି । ସେମାନଙ୍କ ଚିକିତ୍ସା ପାଇଁ ଦୁଇଜଣ ବରିଷ୍ଠ ଡାକ୍ତଙ୍କୁ ରାଉରକେଲା ପଠା ଯାଇଛି ।
ସେପଟେ, ରାଉରକେଲା ବିମାନ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏଥିପାଇଁ ଡିଜିସିଆଇର ୫ ଜଣିଆ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାଣିଜ୍ୟ ଓ ପରିବହନ ବିଭାଗ ତ୍ୱରିତ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାର, ଜିଲ୍ଲା ପ୍ରଶାସନ ଓ ସମ୍ପର୍କିତ ବିମାନ କମ୍ପାନୀ ସହ ସମନ୍ୱୟରେ ବିଭାଗ ଏହି ପଦକ୍ଷେପ ନେଇଛି । ରାଉରକେଲା ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଯଥାଶୀଘ୍ର ଚିକିତ୍ସା ପାଇଁ ଅନୁସନ୍ଧାନକାରୀ ଟିମ୍ ଓ ବିଶେଷଜ୍ଞ ଡାକ୍ତରମାନଙ୍କୁ ରାଉରକେଲା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ବ୍ୟାପକ ଲଜିଷ୍ଟିକ୍ ସହାୟତା ଯୋଗାଇଛନ୍ତି ।
ଏଥିପାଇଁ ଏକ ରାଜ୍ୟ ହେଲିକପ୍ଟର ନିୟୋଜିତ କରାଯାଇଛି । ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅଧିକାରୀମାନେ ରାଉରକେଲାରେ କ୍ୟାମ୍ପ କରିବା ସହ ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଉଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ସମସ୍ତ ତଦାରଖ ଦାୟିତ୍ୱ ନେଇଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା ଏକ ଛୋଟ ବିମାନ । ଯେଉଁଥିରେ ପାଇଲଟଙ୍କ ସମେତ ୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଦକ୍ଷିଣ ରାଉରକେଲା ଆକାଶରେ ବିମାନଟି ଉଡୁଥିବା ବେଳେ ହଠାତ୍ ଯାନ୍ତ୍ରୀକ ତ୍ରୁଟି ଦେଖିବାକୁ ମିଳିଥିଲା । ଏହାପରେ ପାଇଲଟ୍ ତୁରନ୍ତ ବିମାନକୁ ଏମରଜେନ୍ସି ଲାଣ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏମରଜେନ୍ସି ଲାଣ୍ଡିଂ ବେଳେ ହଠାତ୍ ବିମାନଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ପାଇଲଟ ସମେତ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତ ଯାତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରୁ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ଇସ୍ପାତ ଜେନେରାଲ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।