Latest Odisha News

BREAKING NEWS

ଡକାୟତି ଯୋଜନା ପଣ୍ଡ, ପୋଲିସ କବଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଜଟଣୀ: ଡକାୟତି ଯୋଜନା ପଣ୍ଡ କଲା କମିଶନରେଟ୍ ପୋଲିସ । ବଡ ଧରଣର ଲୁଟ୍ ପାଇଁ ଯୋଜନା କରୁଥିବାବେଳେ କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ । ସେମାନଙ୍କ ନିକଟରୁ ୫ଟି ଅଫୁଟା ବୋମା, ସ୍କର୍ପିଓ କାର, ୩ଟି ବାଇକ ସହିତ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି ।

ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ ଜଟଣୀ ବେଣାପଞ୍ଜରୀ ନିକଟରେ ଏକ ଶୁନଶାନ ଅନ୍ଧାରୁଆ ସ୍ଥାନରେ ଚାଲିଥିଲା ଡକାୟତି ଯୋଜନା । ଖବରପାଇ ଜଟଣୀ ପୋଲିସ ଟିମ୍‌ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସଫଳ ହୋଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦଇଛନ୍ତି ଡିସିପି ପ୍ରତୀକ ସିଂ ।

ଅଭିଯୁକ୍ତମାନେ ହେଲେ ଜଟଣୀ ଅଞ୍ଚଳର ମହମ୍ମଦ ଅରବାଜ, ଓରଫ ମଙ୍ଗୁଲୁ (୨୨), ସରିଫ୍‌ ଖାନ୍‌ (୨୦), ଦୀପ୍ତିରଞ୍ଜନ ଭୁଜବଳ ଓରଫ ପିଣ୍ଟୁ (୨୫), ଶେଖ୍ ଇସ୍ତାକ ଅହମ୍ମଦ ଓରଫ ସକିଲ (୨୨) ଓ ସୁମନ୍ତ ପାତ୍ର ଓରଫ କାହ୍ନୁ (୨୯) । ଏନେଇ ଗୁରୁବାର ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଛି । ପୂର୍ବରୁ ଅଭିଯୁକ୍ତମାନଙ୍କ ନାଁ ଜଟଣୀ ସମେତ ବିଭିନ୍ନ ଥାନାରେ ବହୁ ମାମଲା ରହିଛି ।

ଅଭିଯୁକ୍ତ ମାନଙ୍କ ଟାର୍ଗେଟରେ ଥିଲା ବଡ ଜୁଏଲାରୀ ଦୋକାନ ଓ ବଡ ବ୍ୟବସାୟୀ, ଦାମୀ କାର ଓ ରାସ୍ତାରେ ଯାଉଥିବା ସମୟରେ ଲୋକଙ୍କୁ ଟାର୍ଗେଟ କରି ଡରାଇ ଧମକାଇ ରାସ୍ତାରେ ବୋମା ଫୁଟାଇ ଆକ୍ରମଣ କରି ଲୁଟପାଟ କରୁଥିଲେ । ଏମାନେ ବୋମା ତିଆରିରେ ସିଦ୍ଧ ହସ୍ତ ଥିଲେ । ସବୁ ଅପରାଧରେ ଏମାନଙ୍କର ବୋମା ଫୁଟେଇ ଲୋକଙ୍କୁ ଭୟଭୀତ କରୁଥିବା ପୋଲିସ କହିଛି ।

Leave A Reply

Your email address will not be published.