Latest Odisha News

BREAKING NEWS

ପେସ ପିଚରେ ସ୍ପିନ ରଣନୀତି

ଦୁବାଇ: ଭାରତୀୟ କ୍ରିକେଟ ଟିମ ଏଥର ଚାମ୍ପିୟନ୍ସ ଟ୍ରଫି ହାସଲ କରିବା ଦୌଡରେ ଆଗରେ ରହିଛି । ଇଂଲଣ୍ଡ ବିପକ୍ଷ ସିରିଜ ପରେ ଦଳ ଏଠାରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ତେବେ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଟିମ ଚୟନ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଦଳରେ ମାତ୍ରାଧିକ ଅଲରାଉଣ୍ଡର ଓ ସ୍ପିନର ରହିଛନ୍ତି । ଦୁବାଇ ପିଚ ପ୍ରାୟତଃ ପେସ ବୋଲରଙ୍କୁ ସୁହାଇଥାଏ । ଭାରତ ୫ଜଣ ସ୍ପିନରଙ୍କୁ ନେଇ କେଉଁ ରଣନୀତି ସାଜିଛି ତାହା କେହି ବୁଝି ପାରୁ ନାହାନ୍ତି । ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତି ଓ କୂଲଦୀପ ଯାଦବ ରହିଛନ୍ତି ।

ବାଂଲାଦେଶ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ତାର ମ୍ୟାଚ ଖେଳିବ । ଏହି ୩ଟି ଦେଶର ଅଧିକାଂଶ ବ୍ୟାଟ୍ସମ୍ୟାନ ବରୁଣଙ୍କୁ ସାମ୍ନା କରି ନାହାନ୍ତି । ଜାଡେଜା, ଅକ୍ଷର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ । ବରୁଣ ଓ କୂଲଦୀପଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । ପିଚକୁ ଅନୁଧ୍ୟାନ କରି ପାକିସ୍ତାନ ମଧ୍ୟ ଦଳରେ ଅଧିକ ପେସ ବୋଲର ନେଇଛି ।

ଯଶପ୍ରୀତ ବୁମରାହଙ୍କ ଅନୁପସ୍ଥିତିରେ ଅନଭିଜ୍ଞ ପେସ ବାହିନୀ ଉପରେ ଭାରତ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିବ । ଅର୍ଶଦୀପ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା ଓ ହର୍ଷିତ ରାଣା ଏହି ଦାୟିତ୍ୱ ତୁଲାଇବ । ଦୁର୍ବଳ ଓ ଅନଭିଜ୍ଞ ପେସ ବାହିନୀ ଯୋଗୁ ଭାରତ ସ୍ପିନରଙ୍କ ଉପରେ ଅଧିକ ଭରୋଷା ପ୍ରଦାନ କରିଛି । ରୋହିତ ଶର୍ମାଙ୍କ ଫର୍ମ ଏବଂ ବରୁଣଙ୍କ ସ୍ପିନ ଭାରତ ପାଇଁ ଟ୍ରମ୍ପ କାର୍ଡ ସାଜିବ ବୋଲି ଅନୁମାନ କରାଯାଉଛି । ଦଳରେ ଅଧିକ ଅଲରାଉଣ୍ଡର ରହିଥିବାରୁ ଅବଶ୍ୟ ବ୍ୟାଟିଂ ଓ ବୋଲିଂରେ ଭାରତ ନିକଟରେ ବିକଳ୍ପ ରହିବ ।

Comments are closed.