Latest Odisha News

ଭାରତର ମିଶନ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ଭାରତୀୟ ଦଳ ଦୁବାଇ ଗସ୍ତରେ ଯାଇଛି । ଅନ୍ୟ ଅର୍ଥରେ ଟିମ ଇଣ୍ଡିଆର ମିଶନ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହୋଇଯାଇଛି । ପ୍ରଥମ ଥର ପାଇଁ ବିସିସିଆଇ ଖେଳାଳିମାନଙ୍କ ପାଇଁ କେତେକ ନିୟମାବଳୀ ଜାରୀ କରିଛି । ଏହା ଖେଳାଳିମାନଙ୍କ ମାନସିକତା ଉପରେ କେତେ ପ୍ରଭାବ ପକାଇବ ସେଥିପ୍ରତି ସମସ୍ତଙ୍କ ନଜର ରହିବ । ପଡିଆ ଭିତରେ ଓ ବାହାରେ ସେମାନଙ୍କୁ ସମସ୍ତ ବିଭାଗରେ ଶୃଙ୍ଖଳିତ ରହିବାକୁ ପଡିବ । ଫେବୃୟରୀ ୨୦ରେ ବାଂଲାଦେଶ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଏହା ପରେ ୨୩ରେ ପାକିସ୍ତାନକୁ ଓ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡକୁ ଦଳ ଭେଟିବ ।

ମନୋବଳ ଉଚ୍ଚରେ: ଟି୨୦ ବିଶ୍ୱକପ ଚାମ୍ପିୟନ ପରେ ଭାରତ ଉଭୟ ଦିନିକିଆ ଏବଂ ଟେଷ୍ଟରେ ସେଭଳି ସନ୍ତୋଷଜନକ ପ୍ରଦର୍ଶନ କରି ନ ଥିଲା । ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିିନିକିଆ ସିରିଜକୁ ୩-୦ରେ ଜିତିବା ଫଳରେ ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆର ମନୋବଳ ଉଚ୍ଚରେ ରହିଛି । ରୋହିତ ଶତକ ଏବଂ ବିରାଟ କୋହଲି ଅର୍ଦ୍ଧଶତକ ମାରି ଫର୍ମକୁ ଫେରିଛନ୍ତି ।

ବଡ ରେକର୍ଡ ଅପେକ୍ଷାରେ ରୋହିତ, କୋହଲି: ଭାରତର ଏହି ଦୁଇ ମହାନ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଚୟନ କମିଟି ସମେତ ଅନ୍ୟମାନଙ୍କ ସମ୍ପୂର୍ଣ୍ଣ ନଜର ରହିବ । କୋହଲି ଦିନିକିଆ ଇତିହାସରେ ତୃତୀୟ ଖେଳାଳି ଭାବେ ୧୪୦୦୦ ରନ ପୂର୍ଣ୍ଣ କରିବାକୁ ଯାଉଛନ୍ତ । ଏଥିପାଇଁ ତାଙ୍କୁ ୩୭ ରନର ଆବଶ୍ୟକତା ରହିଛି । ସେହିପରି ରୋହିତ ୧୧୦୦୦ ରନ କ୍ଲବରେ ସାମିଲ ହେବା ପାଇଁ ୧୨ ରନ ଆବଶ୍ୟକ କରୁଛନ୍ତି । ସେ ୧୦ ବ୍ୟାଟ୍ସମ୍ୟାନ ଭାବେ ଏହି ଉପଲବ୍ଧି ହାସଲ କରିବେ ।

ଯୁବ ଖେଳାଳିଙ୍କ ନିକଟରେ ସୁଯୋଗ: ଚାମ୍ପିୟନ୍ସ ଟ୍ରଫି ମାଧ୍ୟମରେ ଯୁବ ଖେଳାଳିଙ୍କୁ ନିଜକୁ ପ୍ରମାଣିତ କରିବା ପାଇଁ ବଡ ସୁଯୋଗ ରହିଛି । ଯଶପ୍ରୀତ ବୁମରାହଙ୍କ ଅନୁପସ୍ଥିତି ଅର୍ଶଦୀପ ସିଂ ଓ ହର୍ଷିତ ରାଣାଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ସେହିପରି ବରୁଣ ଚକ୍ରବର୍ତି ନିଜକୁ ଏକ ମ୍ୟାଚ ବିଜୟୀ ବୋଲର ଭାବେ ପ୍ରମାଣିତ କରିବାକୁ ଚାହିଁବେ ।

ଟିମ ଇଣ୍ଡିଆ ପଲା ଭାରୀ: ଭାରତୀୟ ଟିମ ଏଥର ଦଳରେ ଆବଶ୍ୟକତା ଠାରୁ ଅଧିକ ଅଲରାଉଣ୍ଡରଙ୍କୁ ସୁଯୋଗ ଦେଇଛି । ସ୍ପିନ ବୋଲିଂ ଉପରେ ଟିମ ମ୍ୟାନେଜମେଂଟ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛି । ତେବେ କୋହଲି, ରୋହିତଙ୍କ ପ୍ରଦର୍ଶନ ଉପରେ ଦଳ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିବ ।
ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାଶ ଆୟାର, କେଏଲ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୂଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସାମୀ, ଅର୍ଶଦୀପ ସିଂ, ରବୀନ୍ଦ୍ର ଜାଡେଜା ଓ ବରୁଣ ଚକ୍ରବର୍ତି ।

Comments are closed.