Latest Odisha News

BREAKING NEWS

‘ଅସ୍ତ୍ର’ କ୍ଷେପଣାସ୍ତ୍ରର ୫ମ ସଫଳ ପରୀକ୍ଷଣ: ଦୃଶ୍ୟମାନ ହେଉନଥିବା ଲକ୍ଷ୍ୟକୁ ଆକାଶରେ କରିପାରିବ ବିଧ୍ୱଂସ

ନୂଆଦିଲ୍ଲୀ: ଦୃଶ୍ୟମାନ ହେଉନଥିବା ଲକ୍ଷ୍ୟକୁ ଆକାଶରୁ ଆକାଶ ମାର୍ଗରେ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର (ବିଭିଆରଏଏଏମ) ‘ଅସ୍ତ୍ର’ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଓଡ଼ିଶା ଉପକୂଳ ଚାନ୍ଦିପୁରରୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଏସୟୁ-୩୦ ଏମକେଆଇ ପ୍ଲାଟଫର୍ମରୁ ଏହି ପରୀକ୍ଷଣ କରାଯାଇଥିଲା । ୧୬ରୁ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିଲା । ସମସ୍ତ ସମ୍ଭାବ୍ୟ ବିପଦକୁ ଲକ୍ଷ୍ୟ ଭେଦ କରିବା ଉଦ୍ଦେଶ୍ୟରେ ବଂଶୀ ଯୁଦ୍ଧ ବିମାନକୁ ଲକ୍ଷ୍ୟ କରାଯାଇ ଭାରତୀୟ ବାୟୁସେନା ଦ୍ୱାରା ଏହି ପରୀକ୍ଷଣ କରାଯାଇଥିଲା ।

ଏହି ଅବଧିରେ ଭିନ୍ନ ଭିନ୍ନ ଭାବେ କ୍ଷେପଣାସ୍ତ୍ରର ୫ଟି ପରୀକ୍ଷଣ କରାଯାଇଥିଲା । ଏହି ଅଭିଯାନ ସମୟରେ, କ୍ଷେପଣାସ୍ତ୍ରର ବିଧ୍ୱଂସୀ ସାମର୍ଥ୍ୟ ସ୍ଥାପନ କରିବା ଉଦ୍ଦେଶ୍ୟରେ ଯୁଦ୍ଧାସ୍ତ୍ର ବହନକାରୀ ତିନୋଟି କ୍ଷେପଣାସ୍ତ୍ର ଭିନ୍ନ ଭିନ୍ନ ଭାବେ ଛଡ଼ାଯାଇଥିଲା ଏବଂ ଘୂର୍ଣ୍ଣାୟମାନ ଲକ୍ଷ୍ୟକୁ ବିଧ୍ୱଂସ କରିବାରେ ‘ଅସ୍ତ୍ର’ କ୍ଷେପଣାସ୍ତ୍ର ସଫଳ ହୋଇଥିଲା ।

ପରୀକ୍ଷଣ ସମୟରେ ଦୂରତା ମାପିବାରେ ସକ୍ଷମ ଏହି କ୍ଷେପଣାସ୍ତ୍ର ସର୍ବାଧିକ ଦୂରତାରେ ଥିବା ଲକ୍ଷ୍ୟକୁ ସିଧାସଳଖ ଭେଦ କରିବାରେ ମଧ୍ୟ ସଫଳ ହୋଇଥିଲା । ଏହାର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସଠିକ ଭାବେ ଲକ୍ଷ୍ୟ ଭେଦ କରିଥିଲା ଏବଂ ମିଶନର ସମସ୍ତ ଉଦ୍ଦେଶ୍ୟ ଓ ଦିଗ ସମ୍ପୂର୍ଣ୍ଣ ହୋଇଥିଲା ।ଆଧୁନିକ ଦିଗ ନିର୍ଣ୍ଣୟ ଏବଂ ପରିବର୍ତନ କ୍ଷମତା ସହିତ ବିଭିଆରଏଏଏମ ଅସ୍ତ୍ର ନିକଟରେ ୧୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ ସାମର୍ଥ୍ୟ ରହିଛି । ନିର୍ଦ୍ଦିଷ୍ଟ କେନ୍ଦ୍ର ବିନ୍ଦୁରେ ସଠିକ ଭାବେ ଲକ୍ଷ୍ୟ ବିଧ୍ୱଂସ କରିବାର କ୍ଷମତା ଏହି କ୍ଷେପଣାସ୍ତ୍ର ନିକଟରେ ରହିଛି ।

ଏଥିପାଇଁ ଗତି କରିବା ସମୟରେ ଦିଗ ନିର୍ଦ୍ଧାରଣ ଏବଂ ଆରଏଫ ଲକ୍ଷ୍ୟକୁ ଏହା ଭେଦ କରିପାରିବ । ଡିଆରଡିଓ ଏବଂ ଭାରତୀୟ ବାୟୁସେନା ମିଳିତ ଭାବେ ଏହି ଅତ୍ୟାଧୁନିକ ବିଭିଆରଏଏଏମର ନିର୍ମାଣ ଏବଂ ବ୍ୟବହାରୀକ ପରୀକ୍ଷଣ ସଫଳ ଭାବେ ସମ୍ପାଦନ କରିଛନ୍ତି । କ୍ଷେପଣାସ୍ତ୍ର ସଂଯୋଗ ପାଇଁ ବିମାନରେ ଆବଶ୍ୟକ ପରିବର୍ତନରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଅସ୍ତ୍ର କ୍ଷେପଣାସ୍ତ୍ର ବ୍ୟବସ୍ଥାର ନିର୍ମାଣ ଦିଗରେ ୫୦ରୁ ଊଦ୍ଧ୍ୱ ସରକାରୀ ଏବଂ ଘରୋଇ ଉଦ୍ୟୋଗଙ୍କ ଯୋଗଦାନ ରହିଛି ।

ଭିନ୍ନ ଭିନ୍ନ ଲକ୍ଷ୍ୟ ଭେଦ ସାମର୍ଥ୍ୟ ସହ ଏହି କ୍ଷେପଣାସ୍ତ୍ରର ଚୁଡ଼ାନ୍ତ ବୈମାନିକ ପରୀକ୍ଷଣ ସଫଳ ହେବା ଫଳରେ ଉପଯୋଗକାରୀଙ୍କ ବିଶ୍ୱାସ ବୃଦ୍ଧି ଘଟିଛି । ପାଞ୍ଚଟି ସଫଳ ପରୀକ୍ଷଣ ପରେ ‘ଅସ୍ତ୍ର’ କ୍ଷେପଣାସ୍ତ୍ର ଭାରତୀୟ ବାୟୁସେନାରେ ସାମିଲ ହେବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ।

ଆକାଶମାର୍ଗରୁ ଆସୁଥିବା ବିପଦକୁ ସଠିକ ଏବଂ ପ୍ରଭାବୀ ଢଙ୍ଗରେ ବିଧ୍ୱଂସ କରିବାରେ ଏହା ନିଶ୍ଚିତ ଭାବେ ସଫଳ ହେବ । ଏହା ବାୟୁ ସେନାର ଶକ୍ତି ବହୁଗୁଣରେ ବୃଦ୍ଧି କରିବ ।

ଏପରି ଏକ କ୍ଷେପଣାସ୍ତ୍ର ବ୍ୟବସ୍ଥା ବିକଶିତ କରିବା ଏବଂ ବୈମାନିକ ପରୀକ୍ଷଣ କରିବା ଲାଗି ‘ଅସ୍ତ୍ର’ ଟିମକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ଡ. ଜି ସତୀଶ ରେଡ୍ଡୀ ପ୍ରଶଂସା କରିଛନ୍ତି ।

ଏଥିରେ ଉପଯୋଗ ହୋଇଥିବା ପ୍ରଯୁକ୍ତି ଭବିଷ୍ୟତରେ ଆକାଶରୁ ଆକାଶ ଏବଂ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର ବିକଶିତ କରିବାରେ ସହାୟକ ହେବ ।

ସଫଳ ପରୀକ୍ଷଣ ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଡିଆରଡିଓ ଏବଂ ଭାରତୀୟ ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.