Latest Odisha News

Naxalites Surrender: ‘ଲାଲ ଆତଙ୍କ’ଉପରେ ଶକ୍ତ ପ୍ରହାର;୫୧ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ରାୟପୁର:ଆଜି ବସ୍ତରରେ ମାଓବାଦୀ ସଂଗଠନକୁ ଲାଗିଲା ବଡ ଝଟକା। ୫୧ ଜଣ ମାଓବାଦୀ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ସୁକମାରେ ୨୧ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ, ବିଜାପୁରରେ ୩୦ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରି ସମ୍ବିଧାନ ପ୍ରତି ସେମାନଙ୍କର ବିଶ୍ୱାସ ପ୍ରକାଶ କରିଛନ୍ତି । ସମସ୍ତ ମାଓବାଦୀ ପୁନା ମାରଗେମ ଯୋଜନା ଅଧୀନରେ ଅସ୍ତ୍ରଶସ୍ତ୍ର ଏବଂ ହିଂସାର ପଥ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ପ୍ରବେଶ କରିଥିଲେ ।

ଆଜି ସୁକମାରେ ମୋଟ ୨୧ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମୁଣ୍ଡରେ ମୋଟ ₹୭୬ ଲକ୍ଷ ପୁରସ୍କାର ରାଶି ଥିଲା । ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ତିନି ଜଣ DVCM କ୍ୟାଡର, ପାଞ୍ଚ ଜଣ ACM କ୍ୟାଡର ଏବଂ ତେର ଜଣ ସକ୍ରିୟ ମାଓବାଦୀ ଦଳର ସଦସ୍ୟ ଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ସେମାନଙ୍କ ସହିତ ଆଣିଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ପୋଲିସକୁ ହସ୍ତାନ୍ତର କରିଛନ୍ତି। ସେମାନେ AK-47, SLR, INSAS ବନ୍ଧୁକ ଏବଂ BGL ଲଞ୍ଚର ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ହସ୍ତାନ୍ତର କରିଛନ୍ତି। ଆତ୍ମସମର୍ପଣ କରିଥିବା କ୍ୟାଡରମାନେ ଦରଭା ଡିଭିଜନ, ଦକ୍ଷିଣ ବସ୍ତର ଡିଭିଜନ, କେକେବିଏନ ଡିଭିଜନ (ଓଡ଼ିଶା) ଏବଂ ଇନ୍ଦ୍ରାବତୀ ଏରିଆ କମିଟିରେ ସକ୍ରିୟ ଥିଲେ।

ଦୁର୍ଗମ ଅଞ୍ଚଳରେ ପ୍ରତିଷ୍ଠିତ ସୁରକ୍ଷା ଶିବିର, ସଡ଼କ ଯୋଗାଯୋଗ ଏବଂ ନିରନ୍ତର ସଫଳ ନକ୍ସଲ ବିରୋଧୀ ଅଭିଯାନ ଯୋଗୁଁ ମାଓବାଦୀମାନେ ପଛକୁ ହଟିଛନ୍ତି।

ବିଜାପୁରରେ ମଧ୍ୟ ୩୦ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପାଇଁ ମୋଟ ₹୮୫ ଲକ୍ଷ ପୁରସ୍କାର ଘୋଷଣା କରାଯାଇଥିଲା। ସେମାନେ ସମସ୍ତେ ପୁନା ମାରଗେମ ଯୋଜନା ଅଧୀନରେ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨୦ ଜଣ ମହିଳା ଏବଂ ୧୦ ଜଣ ପୁରୁଷ କ୍ୟାଡର ନକ୍ସଲ ଅଛନ୍ତି।

ନକ୍ସଲ ବିରୋଧୀ ଅଭିଯାନର ଅଂଶ ସ୍ୱରୂପ, ଜାନୁଆରୀ ୧, ୨୦୨୪ ପରଠାରୁ ବିଜାପୁରରେ ମୋଟ ୯୧୮ ଜଣ ମାଓବାଦୀ କ୍ୟାଡର ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି। ୧,୧୬୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ, ବିଭିନ୍ନ ଏନକାଉଣ୍ଟରରେ ୨୩୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.