ଭୁବନେଶ୍ୱର: ଖଡ଼ଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡ଼ା ଏକ୍ସପ୍ରେସ୍ ୱ ତଥା ହାଇସ୍ପିଡ୍ କରିଡ଼ର ନିର୍ମାଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ରାଜ୍ୟ ମଧ୍ୟ ଦେଇ ନିର୍ମାଣ ହେବାକୁ ଥିବା ୬ ଲେନ୍ ବିଶିଷ୍ଟ ଏହି ନୂତନ ଗ୍ରିନ୍ଫିଲଡ ହାଇସ୍ପିଡ୍ କରିଡ଼ର ନିର୍ମାଣ ନେଇ ପ୍ରସ୍ତାବିତ ନକ୍ସା, ଜିଲ୍ଲା, ଅର୍ଥନୈତିକ ଅଞ୍ଚଳ ଏବଂ ସହର ସଂଯୋଗୀକରଣ ଓ ଜମି ଅଧିଗ୍ରହଣ ଆଦି ବିଷୟରେ ଆଲୋଚନା ହୋଇଥିଲା ।
ଓଡ଼ିଶା ରାଜ୍ୟ ମଧ୍ୟ ଦେଇ ମୋଟ ୫୨୨ କିଲୋମିଟର ଦୀର୍ଘ ଏହି ନୂଆ ଗ୍ରିନ୍ଫିଲଡ କରିଡ଼ର ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କୋରାପୁଟ ଆଦି ୯ଟି ଜିଲ୍ଲାର ୨୭ଟି ସହରକୁ ସଂଯୋଗ କରିବ । ଏଥି ସହିତ ଏହି କରିଡ଼ର ରାଜ୍ୟର ଖଣିଜ ତଥା ଅର୍ଥନୈତିକ ଅଞ୍ଚଳକୁ ଯୋଗାଯୋଗ ସୁଦୃଢ଼ କରିବା ସହିତ ରାଜ୍ୟର ବିକାଶକୁ ଏକ ନୂଆ ଦିଗ ପ୍ରଦାନ କରିବ ।
ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଦେଇ ଯାଉଥିବା ୧୧୦୨ କିଲୋମିଟର ରାସ୍ତାରୁ ଓଡ଼ିଶାରେ ହେବାକୁ ଥିବା ୫୨୨ କିମି ରାସ୍ତା ସମ୍ପୂର୍ଣ୍ଣ ନୂତନ ଭାବେ ନିର୍ମାଣ ହେବ । ଏଥିରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୯୭ କିଲୋମିଟର ରାସ୍ତା ନିର୍ମିତ ହେବାକୁ ଥିବାବେଳେ ଢେଙ୍କାନାଳରେ ୮୮ କିମି, ମୟୂରଭଞ୍ଜ ଓ କେନ୍ଦୁଝରରେ ୮୬ କିମି ଏବଂ ରାୟଗଡ଼ା ଜିଲ୍ଲାରେ ୫୩ କିମି ରାସ୍ତା ନିର୍ମିତ ହେବ ବୋଲି ବୈଠକର ଆଲୋଚନା ହୋଇଥିଲା ।
ଏହି ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି (ସିଭିଲ୍ ତଥା ରୋଡ୍ସ-୨) ଇଂ ସତ୍ୟବ୍ରତ ବେହେରା, ଇଆଇସି (ରୋଡ୍ସ-୧) ଇଂ ଧ୍ୟାନଚାନ୍ଦ ନାୟକ, କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟର ଆଞ୍ଚଳିକ ଅଧିକାରୀ ସୁନୀଲ କୁମାର, ମୁଖ୍ୟ ଯନ୍ତ୍ରୀ (ରୋଡ୍ସ) ଇଂ ଶିବବ୍ରତ ତରିଆ, ମୁଖ୍ୟଯନ୍ତ୍ରୀ (ଜାତୀୟ ରାଜପଥ) ଇଂ ନାରାୟଣ ପଟେଲଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।