Latest Odisha News

ଆଜାଦୀ କା ଅମୃତ ମହୋତ୍ସବ ସହ ୫୪ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ଅନୁଷ୍ଠିତ

ଭୁବନେଶ୍ୱର : ରାଜ୍ୟ ଅଭିଲେଖାଗାର ପରିସରରେ, ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ “ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ସମ୍ବାଦପତ୍ରମାନଙ୍କ ଭୂମିକା” ଶୀର୍ଷକରେ, ‘ ୫୪ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ’ ଅନୁଷ୍ଠିତ ହୋଇଯାଇଛି।

ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସଭାପତିତ୍ୱରେ, ଏହି ଉତ୍ସବରେ ବିଶିଷ୍ଟ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନରେ କୁଜିବର, ଉତ୍କଳ ଦୀପିକା, ବୋଧଦାୟିନୀ, ଆଶା , ସମାଜ, ପ୍ରଜାତନ୍ତ୍ର ପ୍ରଭୃତି ସାପ୍ତାହିକ ଏବଂ ଦୈନିକ ଖବରକାଗଜ କିପରି ଭାବରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ସେ ବିଷୟରେ ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଥିଲେ। ୧୮୨୨ ମସିହାରେ ମହନ୍ତ ସାଧୁ ସୁନ୍ଦର ଦାଶ କୁଜିବର ପତ୍ରିକା ଆରମ୍ବ କରିଥିବା ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ। ସମୟକ୍ରମେ ଉତ୍କଳ ଦୀପିକା ୧୮୬୬ରେ ନ’ ଅଙ୍କ ଦୁର୍ଭିକ୍ଷ ସମୟରେ ଆରମ୍ଭ ହୋଇ , ୭୦ ବର୍ଷ ଧରି ଚାଲିଥିଲା। ପରେ ପରେ ସମାଜ ଓ ପ୍ରଜାତନ୍ତ୍ର ପ୍ରକାଶ ପାଇ , ଭାରତର ସ୍ବାଧୀନତା ସଂଗ୍ରାମକୁ ଜାଗ୍ରତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ହରେକୃଷ୍ଣ ମହତାବଙ୍କ “ଚଷାଭାଇର ଶୋକ” କବିତା କିଭଳି ବହୁ ଚର୍ଚ୍ଚିତ ହୋଇଥିଲା ସେ ବିଷୟରେ ମଧ୍ୟ ଶ୍ରୀ ପଟ୍ଟନାୟକ ବିଶଦ ଭାବରେ ବର୍ଣ୍ଣନା କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ଦଳେଇ, ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମର ବିବରଣୀ , ସଂଗ୍ରାମୀ ମାନଙ୍କର ତ୍ୟାଗ ଓ ଅବଦାନ ସେ ସମୟର ଖବରକାଗଜରେ ପ୍ରକାଶିତ ହୋଇ ସବୁ ତଥ୍ୟ , ଆଜି ଇତିହାସ ଓ ଦସ୍ତାବିଜ ଭାବରେ ଆମ ପାଖରେ ଅଛି ବୋଲି , ମତପ୍ରକାଶ କରିଥିଲେ।

ବିଭାଗୀୟ ମୁଖ୍ୟ ଶ୍ରୀ ଦାସ ଓଡ଼ିଶାରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ଓ ସ୍ବାଧୀନତା ଆନ୍ଦୋଳନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ବାଦ ପରିବେଷଣ ଓ ତଥ୍ୟ ପ୍ରଦାନ କରିବାରେ ସମ୍ବାଦପତ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ବୋଲି ମତ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ଶେଖ ସୁଲେମାନ ଅଲ୍ଲୀଙ୍କ ସ୍ୱାଗତ ଭାଷଣରେ ଆରମ୍ଭ ହୋଇଥିବା ବେଳେ ଉପେନ୍ଦ୍ର କୁମାର ବେହେରାଙ୍କ ଧନ୍ୟବାଦ ଅର୍ପଣ ସହ ଶେଷ ହୋଇଥିଲା।

Leave A Reply

Your email address will not be published.