Latest Odisha News

ଚତୁର୍ଥ ଦିନରେ ୫୮ ହଜାର ୫୮୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ, କାଲି ସରୁଛି ତାରିଖ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଚତୁର୍ଥ ଦିନରେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ଓ୍ବାର୍ଡ ମେମ୍ବର ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ ଥିବା ବେଳେ, ଆଜି ନାମାଙ୍କନ ଦାଖଲ କରିଛନ୍ତି ମୋଟ ୫୮ ହଜାର ୫୮୮ ଜଣ ପ୍ରାର୍ଥୀ । ଓ୍ବାର୍ଡ ମେମ୍ବର ପଦ ପାଇଁ ୪୦ ହଜାର ୭୩୨ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ, ସରପଞ୍ଚ ପଦ ପାଇଁ ୮ ହଜାର ୮୪୨, ସମିତି ସଭ୍ୟ ପାଇଁ ୭ ହଜାର ୮୩୨ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧ ହଜାର ୧୮୨ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

BjdElectrycity

ଆସନ୍ତାକାଲି ଶେଷ ହେବ ପ୍ରାର୍ଥିପତ୍ର ଦାଖଲ । ୨୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୫ ତାରିଖ ଯାଏ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ଥିବା ବେଳେ, ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଆସନ୍ତା ଫେବ୍ରୁଆରୀ ୧୬ରୁ ସାରା ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ମତଦାନ ହେବ । ସେହିପରି ଫେବ୍ରୁଆରୀ ୨୬, ୨୭ ଓ ୨୮ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ହେବ । ଏଥର ପଞ୍ଚାୟତ ନିର୍ବାଚନରେ କୌଣସି ପ୍ରକାରର ସଭାସମିତି, ବୈଠକ, ବାଇକ ରାଲି ଉପରେ କଟକଣା ଜାରି ହୋଇଛି । କେବଳ ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାର୍ଥୀ ଡୋର ଟୁ ଡୋର ପ୍ରଚାର କରିପାରିବେ ।

ଚଳିତଥର ତ୍ରିସ୍ତରୀୟ ପଞ୍ଚାୟତରେ ମୋଟ ୯୧ ହଜାର ୯୧୩ ଜଣ ୱାର୍ଡମେମ୍ବର, ୬୭୯୪ ଜଣ ସରପଞ୍ଚ, ୬୭୯୩ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ରାଜ୍ୟର ମୋଟ ୨ କୋଟି ୭୯ ଲକ୍ଷ ୩୫ ହଜାର ୫୨୫ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ସତ୍ୟପାଠ ସମ୍ପୃକ୍ତ ଜିଲ୍ଲାର ୱେବସାଇଟରେ ଉଲ୍ଲେଖ ରହିବ ।

Comments are closed, but trackbacks and pingbacks are open.