ବାରିପଦା: ବୟସ ୧୦ ବର୍ଷ । ପଞ୍ଚମ ଶ୍ରେଣୀରେ ପଢ଼ନ୍ତି ଉଦିତ୍ ବିନ୍ଧାଣୀ । ସବୁଦିନ ଭଳି ଉଦିତ ଆଜି ବି ସକାଳେ ପଢ଼ିବାକୁ ଯାଇଥିଲେ । ହେଲେ ସ୍କୁଲରୁ ଘରକୁ ଫେରିନଥିଲେ । ବରଂ ତାଙ୍କୁ ବିଦ୍ୟାଳୟରୁ ନେବାକୁ ପଡ଼ିଥିଲା ହସ୍ପିଟାଲ । ତେବେ ବିଦ୍ୟାଳୟରେ କଣ ହେଲା ? କାହିଁକି ନିଆଗଲା ହସ୍ପିଟାଲ୍ ?
ଏ ଘଟଣା ହେଉଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବୈରାଟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ପଞ୍ଚମ ଶ୍ରେଣୀ ଛାତ୍ର ଆଜି ସ୍କୁଲ୍ ଛାତ ଉପରକୁ ଯାଉଥିବା ବେଳେ ତଳେ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ । ଖବର ପାଇଁ ବାପାମାଆ ପୁଅକୁ ଉଦଳା ଡାକ୍ତରଖାନା ନେଇଥିଲେ ।
ପରେ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ଉଦିତ୍ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଦେଖା ନାହିଁ । ଉଦିତଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅଣ୍ଟା ଓ ଶରୀର ବିଭିନ୍ନ ସ୍ଥାନରେ କ୍ଷତ ରହିଛି । ତେବେ ୧୧ ବର୍ଷର ଉଦିତ କାହିଁକି ବିଦ୍ୟାଳୟ ଛାତ ଉପରେ ଚଢ଼ୁଥିଲେ ? ନିଜ ଇଚ୍ଛାରେ ନା ତାଙ୍କୁ କିଏ ପଠାଇଥିଲା ? ଏ ଅଘଟଣା ପାଇଁ ଦାୟୀ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବ୍ଲକ ଶିକ୍ଷାଧିକାରୀ ।
Comments are closed.