Latest Odisha News

BREAKING NEWS

Ship Hijacked: ଥିଲେ ୬ ଭାରତୀୟ କ୍ରୁ ସଦସ୍ୟ…ସୋମାଲିଆ ଉପକୂଳରେ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଜାହାଜ ଅପହରଣ

ନୂଆଦିଲ୍ଲୀ: ସୋମାଲିଆ ଉପକୂଳରେ ପୁଣି ସମୁଦ୍ର ଡକାୟତଙ୍କ ଆତଙ୍କ ସାମ୍ନାକୁ ଆସିଛି। ପୁଣ୍ଟଲାଣ୍ଡ ଉପକୂଳ ନିକଟରେ ତୁର୍କୀର ଅସ୍ତ୍ରଶସ୍ତ୍ର ନେଇ ଯାଉଥିବା କାମେରୁନ୍ ପତାକା ଲାଗିଥିବା ଏକ ମାଲବାହୀ ଜାହାଜକୁ ସମୁଦ୍ର ଡକାୟତମାନେ ଅପହରଣ କରିଥିବା ଜଣେ ସୋମାଲି ଅଧିକାରୀ ଗୁରୁବାର ସୂଚନା ଦେଇଛନ୍ତି।

ସବୁଠାରୁ ଚିନ୍ତାର ବିଷୟ ହେଉଛି, ‘ଏମ୍‌/ଭି ଲୁତୁଫ୍‌’ ନାମକ ଏହି ଜାହାଜରେ ଥିବା ୧୦ ଜଣିଆ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଅତି କମ୍‌ରେ ୬ ଜଣ ଭାରତୀୟ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସୋମବାର ପୁଣ୍ଟଲାଣ୍ଡର ଇୟାଲ୍‌ ଜିଲ୍ଲା ଅନ୍ତର୍ଗତ ମାରାୟା ଅଞ୍ଚଳଠାରୁ ପ୍ରାୟ ସାଢ଼େ ୩ ନଟିକାଲ୍‌ ମାଇଲ୍‌ ଦୂରରେ ଜାହାଜଟିକୁ ଅପହରଣ କରାଯାଇଥିଲା। ପରେ ଡକାୟତମାନେ ଜାହାଜକୁ ନୁଗାଲ୍‌ ଉପକୂଳ ଦିଗକୁ ନେଇଯାଇଥିବା କୁହାଯାଇଛି। ଜାହାଜଟି ପୋଲାର୍ ମୁଭମେଣ୍ଟ ସିପିଂର ଥିବା ଜଣାପଡ଼ିଛି। ସୋମାଲି ଅଧିକାରୀଙ୍କ କହିବା ଅନୁସାରେ, ଜାହାଜରେ ମୋଗାଦିଶୁସ୍ଥିତ ତୁର୍କୀର ସାମରିକ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ଅସ୍ତ୍ରଶସ୍ତ୍ର ନିଆଯାଉଥିଲା। ଏହା ସହିତ ଯୋଗାଯୋଗ ଉପକରଣ ଏବଂ ଉପଗ୍ରହ ଯୋଗାଯୋଗ ସାମଗ୍ରୀ ମଧ୍ୟ ଜାହାଜରେ ଥିବା କୁହାଯାଇଛି।

ପ୍ରାୟ ୮ ଜଣ ସମୁଦ୍ର ଡକାୟତ ଏହି ଅପହରଣରେ ସାମିଲ ଥିବା ଆଶଙ୍କା କରାଯାଉଛି। ସେମାନେ ଏପ୍ରିଲ୍‌ ୨୬ରେ ‘ଏମ୍‌/ଭି ସ୍ୱାର୍ଡ’ ନାମକ ଅନ୍ୟ ଏକ ବାଣିଜ୍ୟିକ ଜାହାଜ ଅପହରଣ କରିଥିବା ଗୋଷ୍ଠୀ ସହ ସମ୍ପୃକ୍ତ ବୋଲି ଅଧିକାରୀମାନେ ଆଶଙ୍କା କରୁଛନ୍ତି। ଡକାୟତମାନେ ଲୁତୁଫ୍‌ ଜାହାଜକୁ ପୁଣ୍ଟଲାଣ୍ଡର ଡାଙ୍ଗୋରାୟୋ ଜିଲ୍ଲାର ଗାରମାଲ୍‌ ନିକଟ ଉପକୂଳ ଅଞ୍ଚଳକୁ ନେଇଯାଇଥିବା ସୂଚନା ମିଳିଛି।

ଅପହରଣ ପରେ ତୁର୍କୀ ମାଲିକାନାର ଦୁଇଟି ଜାହାଜ ଅପହୃତ ଜାହାଜ ନିକଟରେ ପହଞ୍ଚିଥିବା କୁହାଯାଇଛି। ଏହା ସହିତ ତୁର୍କୀର ହେଲିକପ୍ଟର ଓ ଡ୍ରୋନ୍‌ ମଧ୍ୟ ଅଞ୍ଚଳ ଉପରେ ନଜର ରଖୁଥିବା ଅଧିକାରୀ କହିଛନ୍ତି। ମଙ୍ଗଳବାର ଦୁଇ ଜଣ ଥିବା ଏକ ଛୋଟ ଡଙ୍ଗା ଅପହୃତ ଜାହାଜ ନିକଟକୁ ଆସିଥିଲା। ଏଥିରେ ସୋମାଲିଆରେ ସାଧାରଣତଃ ଚୋବାଇ ଖିଆଯାଉଥିବା ‘ଖାଟ୍‌’ ନାମକ ଏକ ଉତ୍ତେଜକ ପଦାର୍ଥ ନିଆଯାଇଥିଲା। ଡଙ୍ଗାଟି ଫେରିଯିବା ପରେ ସେହି ଅଞ୍ଚଳରେ ଏକ ଆକାଶୀ ଆକ୍ରମଣ ହୋଇଥିବା ଅଧିକାରୀ କହିଛନ୍ତି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ତେବେ ଏହି ଆକ୍ରମଣ କିଏ କରିଥିଲା ଏବଂ ମୃତକମାନେ ଜାହାଜ ଅପହରଣରେ ସାମିଲ ଥିଲେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଅପହୃତ ଜାହାଜ, ଏଥିରେ ଥିବା ୧୦ ଜଣିଆ କ୍ରୁ ଏବଂ ଜାହାଜରେ ଥିବା ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମଗ୍ରୀର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। କ୍ରୁ ସଦସ୍ୟଙ୍କ ମଧ୍ୟରେ ଥିବା ୬ ଜଣ ଭାରତୀୟଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ବଢ଼ିଛି। ତେବେ ଏହି ଘଟଣା ସମ୍ପର୍କିତ ସମସ୍ତ ତଥ୍ୟକୁ ସ୍ୱାଧୀନ ଭାବେ ଯାଞ୍ଚ କରିପାରିନଥିବା ଦ ଆସୋସିଏଟେଡ୍ ପ୍ରେସ୍‌ (ଏପି) ପକ୍ଷରୁ କୁହାଯାଇଛି। ତେଣୁ ଜାହାଜ ଓ କ୍ରୁ ସଦସ୍ୟଙ୍କ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଅଧିକ ନିଶ୍ଚିତ ସୂଚନା ପାଇଁ ଅପେକ୍ଷା କରାଯାଉଛି।

Comments are closed.