Latest Odisha News

BREAKING NEWS

Rakhi Purnima: କେବେ ବାନ୍ଧିବେ ଭାଇ ହାତରେ ରାକ୍ଷୀ? ଦୂର ହେଲା ସବୁ ଦ୍ବନ୍ଦ୍ବ…୨୮ରେ ଶ୍ରୀମନ୍ଦିରରେ ରାକ୍ଷୀ ଲାଗି

ପୁରୀ: ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ପାଳନକୁ ନେଇ ରହିଥିବା ଦ୍ୱନ୍ଦ୍ୱର ଅବସାନ ହୋଇଛି। ସାଧାରଣ ଲୋକେ ଅଗଷ୍ଟ ୨୭ ତାରିଖ ଗୁରୁବାର ରାକ୍ଷୀ ବାନ୍ଧିବେ। ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାକ୍ଷୀ ଲାଗି ଓ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ଅଗଷ୍ଟ ୨୮ ତାରିଖ ଶୁକ୍ରବାର ଅନୁଷ୍ଠିତ ହେବ।

ପାଞ୍ଜି ଅନୁସାରେ, ଅଗଷ୍ଟ ୨୭ ତାରିଖ ସକାଳ ପ୍ରାୟ ୯ଟାରୁ ୯ଟା ୩୦ ମିନିଟ୍‌ ମଧ୍ୟରେ ପୂର୍ଣ୍ଣିମା ତିଥି ଆରମ୍ଭ ହୋଇ ଅଗଷ୍ଟ ୨୮ ତାରିଖ ସକାଳ ପ୍ରାୟ ୯ଟାରୁ ୯ଟା ୪୯ ମିନିଟ୍‌ ପର୍ଯ୍ୟନ୍ତ ରହିବ। ତେଣୁ ୨୭ ତାରିଖ ରାତିରେ ପୂର୍ଣ୍ଣିମା ତିଥି ରହୁଥିବାରୁ ଘରେ ଗହ୍ମା ପୂର୍ଣ୍ଣିମା, ରକ୍ଷାବନ୍ଧନ ଓ ଚନ୍ଦ୍ରପୂଜା ପାଳନ ପାଇଁ ପାଞ୍ଜିରେ ଉଲ୍ଲେଖ ରହିଛି।

ଶ୍ରୀମନ୍ଦିରରେ ପର୍ବପର୍ବାଣୀ ନିର୍ଣ୍ଣୟ ସମୟରେ ସୂର୍ଯ୍ୟୋଦୟ, ତିଥି ଓ ନକ୍ଷତ୍ରକୁ ଗୁରୁତ୍ୱ ଦିଆଯାଏ। ଏହି ନିୟମ ଅନୁସାରେ ୨୮ ତାରିଖ ସକାଳେ ପୂର୍ଣ୍ଣିମା ତିଥି ରହୁଥିବାରୁ ଶ୍ରୀମନ୍ଦିରରେ ସେହିଦିନ ରାକ୍ଷୀ ଲାଗି ନୀତି ହେବ। ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଦିନ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି, ମହାପ୍ରଭୁଙ୍କୁ ରାକ୍ଷୀ ଲାଗି ଏବଂ ଶ୍ରୀସୁଦର୍ଶନ ଦେବଙ୍କ ଚାରି ଆଶ୍ରମ ବିଜେ ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ପରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ସମ୍ପନ୍ନ ହେବାର ପରମ୍ପରା ରହିଛି।

ବରିଷ୍ଠ ପଞ୍ଜିକାର ଓ ପଣ୍ଡିତମାନଙ୍କ ମତ ଅନୁସାରେ, ଘରେ ରକ୍ଷାବନ୍ଧନ ଓ ଗହ୍ମା ପୂର୍ଣ୍ଣିମା ୨୭ ତାରିଖରେ ପାଳନ କରାଯିବ। କାରଣ ୨୭ ତାରିଖ ରାତିରେ ପୂର୍ଣ୍ଣିମା ତିଥି ରହୁଛି, ଯେତେବେଳେ ୨୮ ତାରିଖ ରାତିରେ ପୂର୍ଣ୍ଣିମା ତିଥି ନାହିଁ। ତେଣୁ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଚାହୁଁଥିଲେ ୨୭ ଅଗଷ୍ଟ ଗୁରୁବାର ଦିନ ରକ୍ଷାବନ୍ଧନ ପାଳନ କରନ୍ତୁ। ଅନ୍ୟପକ୍ଷରେ, ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ରାକ୍ଷୀ ଲାଗି ଓ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ୨୮ ଅଗଷ୍ଟରେ ହେବ।

Comments are closed.