କଟକ:ସାମ୍ନାକୁ ଆସିଛି ରାଜ୍ୟର ସର୍ବବୃହତ୍ ମେଡିକାଲ କଲେଜ ହସ୍ପିଟାଲ ଏସସିବିରେ ବଡ ଅବ୍ୟବସ୍ଥା । ଗୋଟିଏ କି ଦୁଇଟି ନୁହେଁ, ପ୍ରାୟ ୬୦ଟି ଭେଣ୍ଟିଲେଟର ଏବେ ଅକାମୀ ହୋଇପଡିଛି । ତାହାକୁ ସଜାଡିଲେ ବି ମାତ୍ର ୨୦ ମିନିଟ୍ ଚାଲି ବନ୍ଦ ହୋଇଯାଉଛି। ଫଳରେ ଏସସିବିରେ ରୋଗୀ ସେବା କ୍ଷେତ୍ରରେ ଏବେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ କିଛି ଆଇସିୟୁରେ ଏହି ମେସିନ ଖରାପ ଥିଲା, ଯାହାର ପର୍ଯ୍ୟାୟ କ୍ରମେ ମରାମତି ହେଉଛି ବୋଲି କହିଛନ୍ତି ଏସସିବି ଅଧିକ୍ଷକ । ଏହାଦ୍ବାରା ଆଇସିୟୁ ରୋଗୀ ପ୍ରଭାବିତ ହୋଇ ନଥିବା ମଧ୍ୟ ସେ କହିଛନ୍ତି ।
ଏସସିବିରେ ୨୪୨ ଆଇସିୟୁ ରହିଥିବାବେଳେ ସେଥିରୁ ଏଭଳି ଅଚଳ ଭେଣ୍ଟିଲେଟର୍ ଓ ଆଇସିୟୁ ରହିଥିବାରୁ ରୋଗୀ ଚିକିତ୍ସାରେ ଗୁରୁତର ଅଚଳାବସ୍ଥା ସୃଷ୍ଟି ହୋଇଛି। ଜଣେ ବରିଷ୍ଠ ପ୍ରଫେସର ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି ଯେ, ଏ ସଂପର୍କରେ ସେମାନେ ଅଧୀକ୍ଷକଙ୍କୁ ଲିଖିତ ଭାବେ ସୂଚିତ କରିଛନ୍ତି। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି।
ଏପଟେ ଏସସିବି କୁଳସଚିବ ସୁବାସ ଚନ୍ଦ୍ର ରାୟ କହିଛନ୍ତି ଯେ ଅଚଳ ଭେଣ୍ଟିଲେଟରକୁ ମରାମତି କରାଯାଉଛି। ଯାହାକୁ ସଜଡ଼ା ଯାଇପାରିବନି ସେସବୁ ରିପ୍ଲେସ୍ କରାଯିବ। ଓଏସଏମସିଏଲ ପକ୍ଷରୁ ଏସସିବିକୁ ଖୁବ୍ଶୀଘ୍ର ଶହେ ଭେଣ୍ଟିଲେଟର ଆସିବ ।
କୋଭିଡ ସମୟରେ ଆସିଥିବା ଭେଣ୍ଟିଲେଟର ଅତ୍ୟଧିକ ବ୍ୟବହାର ଯୋଗୁଁ ଖରାପ ହୋଇଥିବା କହିଛନ୍ତି ବରିଷ୍ଠ ଡାକ୍ତର । ଏହି ମେସିନକୁ ବାହାରୁ ଯୋଗାଯାଉଥିବା ଅକ୍ସିଜେନ ଲାଇନ ମଧ୍ୟ ଖରାପ ହେଲାଣି । ଏନେଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ସେପଟେ ଖବରକୁ ଅସ୍ବୀକାର କରିବା ସହ ଖରାପ ଥିବା ମେସିନକୁ ପର୍ଯ୍ୟାୟ କ୍ରମେ ମରାମତି କରାଯାଉଛି ବୋଲି କହିଛନ୍ତି ଏସସିବି ଅଧିକ୍ଷକ ।
ସୂଚନାଥାଉକି,କୋଭିଡ୍ ପରେ ମେଡିସିନ୍ ବିଭାଗକୁ ୪୪ଟି ଭେଣ୍ଟିଲେଟର୍ ଓ ଅନ୍ୟ ବିଭାଗକୁ ବାକି ଭେଣ୍ଟିଲେଟର ଦିଆଯାଇଥିଲା । ଆସିବା ଦିନରୁ ଏଥିରେ ତ୍ରୁଟି ପରିଲକ୍ଷିତ ହେଉଥିବା ବେଳେ ଏବେ ସଂପୂର୍ଣ୍ଣ ଅଚଳ ସ୍ଥିତି। ଏହାର ମରାମତି ଦାୟିତ୍ୱରେ ଥିବା KTPL ସଂସ୍ଥା ମରାମତି କରିବା ସତ୍ତ୍ବେ କିଛି ସମୟ ଚାଲିବା ପରେ ଆପେ ଆପେ ବନ୍ଦ ହୋଇଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ନଦେଲେ ଆନ୍ଦୋଳନ କରାଯିବ ବୋଲି ବିଭିନ୍ନ ସଂଗଠନ ଚେତାବନୀ ଦେଇଛନ୍ତି ।
Comments are closed.