Latest Odisha News

BREAKING NEWS

୬୧ତମ ଜନ୍ମତିଥି ଅବସରରେ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ତରଫରୁ ସ୍ୱରାରବିନ୍ଦ ଉତ୍ସବ ଆୟୋଜନ

ଭୁବନେଶ୍ୱର: ବିଶିଷ୍ଠ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ ୬୧ତମ ଜନ୍ମତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ତରଫରୁ ଆଭାସି ମଞ୍ଚରେ ସ୍ୱରାରବିନ୍ଦ ଉତ୍ସବ ଆୟୋଜିତ ହୋଇଛି  । ଏଥିରେ ଅରବିନ୍ଦ ମୁଦୁଲିଙ୍କର ବହୁ ପ୍ରଶଂସକ, ଅନୁଗାମୀ ଓ ଶୁଭେଚ୍ଛୁମାନେ ଯୋଗ ଦେଇ ତାଙ୍କର ସ୍ମୃତିଚାରଣ କରିଥିଲେ  ।  ଅରବିନ୍ଦ ମୁଦୁଲିଙ୍କ ପରଲୋକର ୫ ବର୍ଷ ବିତିଯାଇଥିଲେ ବି ଏବେବି ଓଡ଼ିଶାର ଜନମାନସରେ ତାଙ୍କର  ଲୋକପ୍ରିୟତା ଅତୁଟ ରହିଛି  ।

ଏହି ଆଭାସି ସଭାରେ ଭାରତୀୟ କନସଲ୍ ଜେନେରାଲ ଡଃ ମଦନ ମୋହନ ସେଠୀ, ବରେଣ୍ୟ ଅତିଥି ଭାବେ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ  । ଏବଂ କହିଥିଲେ ସ୍ବର୍ଗତଃ ଅରବିନ୍ଦ ମୁଦୁଲିଙ୍କର ଗାୟନ ଶୈଳୀ ଖୁବ ଭାବଗର୍ଭକ ଏବଂ ମାନସରୋମନ୍ଥନକାରୀ  । ସେହିପରି କାନବେରାସ୍ଥିତ  ହିନ୍ଦୁ ମନ୍ଦିରର ସମ୍ପାଦକ ଓ ଲିଭିଂବ୍ଲିସ୍ ର ପ୍ରତିଷ୍ଠାତା ତରୁଣ ଅଗସ୍ତି ପ୍ରମୂଖ ଯୋଗଦେଇଥିଲେ ଅରବିନ୍ଦ ମୁଦୁଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ବୋଲି ଦର୍ଶାଇ ବଡ ଠାକୁରଙ୍କ ଅସୀମ କୃପାରୁ ସେ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ସହିତ ଯୋଡି ହେବାର ପରମ ସୌଭାଗ୍ୟ ଅର୍ଜନ କରିଛନ୍ତି ବୋଲି କହିଥିଲେ।

ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡଃ ଅରୁଣ ପ୍ରହରାଜ ଓଡ଼ିଶାର ଉତ୍କୃଷ୍ଟ କଳା ଓ ଜଗନ୍ନାଥଙ୍କର ଶାଶ୍ଵତ ସଂସ୍କୃତିକୁ ପୁରା ପୃଥିବୀରେ ପ୍ରଚାର ଓ ପ୍ରସାର କରିବାରେ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଥିବା ଦର୍ଶାଇ ଏ.ଏମ.ଏଫକୁ ସାଧୁବାଦ ଜଣାଇବା ସହିତ ଏହାର ଉତ୍ତୋତ୍ତର ଉନ୍ନତି କାମନା କରିଥିଲେ। ସିଙ୍ଗାପୁର ସ୍ଥିତ ଓଡ଼ିଆ ସମାଜ ର ସଭାପତି ସୁବ୍ରତ ନାୟକ, ସ୍ବର୍ଗତଃ ଅରବିନ୍ଦ ମୁଦୁଲି ଙ୍କର ସିଙ୍ଗାପୁର ଭଜନ କାର୍ଯ୍ୟକ୍ରମ ଜନସାଧାରଣରେ ସଦାସର୍ବଦା ଅବିସ୍ମରଣୀୟ ହୋଇ ରହିବ ବୋଲି ଉଲ୍ଲେଖ କରି ଏ.ଏମ.ଏଫକୁ ସବୁପ୍ରକାର ସାହାଯ୍ୟ ଓ ସହଯୋଗ କରିବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।

ବିଶ୍ଵଶାନ୍ତି ଭଜନ ସନ୍ଧ୍ୟାର କଳାକାର ମାନଙ୍କ ଦ୍ବାରା ସ୍ୱରାରବିନ୍ଦଙ୍କର କାଳଜୟୀ ଲୋକପ୍ରିୟ ଭକ୍ତି ସଙ୍ଗୀତ ଗୁଡ଼ିକର ପରିବେଷଣ ଥିଲା ଉତ୍ସବର ମୁଖ୍ୟ ଆକର୍ଷଣ  । ସମଗ୍ର କାର୍ଯ୍ୟକ୍ରମକୁ ସୁଦକ୍ଷ ଉଦଘୋଷକ ମୃତ୍ୟୁଞ୍ଜୟ ରଥ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ। ଶେଷରେ ଏ.ଏମ.ଏଫର ସମ୍ପାଦକ ଜଗବନ୍ଧୁ ମୁଦୁଲି ଓ କୋଷାଧ୍ୟକ୍ଷ କୃପାସିନ୍ଧୁ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡଃ ମନୋଜ ନାୟକ, ଆମେରିକାରୁ ଅକ୍ଷୟ ମହାନ୍ତି ଓ ପ୍ରଭାତ ବେହେରା,କାନାଡ଼ାରୁ ସଞ୍ଜୟ ଦଳାଇ, ଗଲ୍ଫ ଓଡ଼ିଆ ସମାଜର ସାଧାରଣ ସମ୍ପାଦକ ପ୍ୟାରୀମୋହନ ମଲ୍ଲିକ, କୁଏତ ଓଡ଼ିଆ ସଂଘ ତରଫରୁ ଉମେଶ ପଣ୍ଡା, ସିଙ୍ଗାପୁରରୁ ଶୋଭାକର ନାୟକ, ହୃଷୀକେଶ ପାତ୍ର, ସୁକାନ୍ତି ପାତ୍ର, ସ୍ବର୍ଗତଃ ଅରବିନ୍ଦ ମୁଦୁଲିଙ୍କର ପତ୍ନୀ ସଂଯୁକ୍ତା ମୁଦୁଲି, ସୁମନ ସୁମିତ୍ରା ମୁଦୁଲି ଏବଂ ବନ୍ଦନା ବେହେରା ପ୍ରମୁଖ ସାମିଲ ଥିଲେ।

 

Leave A Reply

Your email address will not be published.