କୋଲକତା: ପଶ୍ଚିମବଙ୍ଗ ରାଜନୀତିରେ ଏବେ ହଲଚଲ । ୨୦୧୧ ମସିହାରେ ବାମପନ୍ଥୀଙ୍କ ଲମ୍ବା ଶାସନକୁ ମୂଳପୋଛ କରି କ୍ଷମତାକୁ ଆସିଥିବା ମମତା ବାନାର୍ଜୀଙ୍କ ପାଇଁ ୨୦୨୬ ବିଧାନସଭା ନିର୍ବାଚନ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି । ଗୋଟେ ପଟେ ଦିଦିଙ୍କ ଦଶନ୍ଧିରୁ ଅଧିକ ସମୟର ଦବଦବା, ଅନ୍ୟପଟେ କାୟା ବିସ୍ତାର କରୁଥିବା ଭାରତୀୟ ଜନତା ପାର୍ଟି ।
ଇତିହାସକୁ ଦେଖିଲେ, ୨୦୧୬ରେ ଟିଏମସି ୨୧୧ଟି ଆସନ ଜିତି ଏକପାଖିଆ ବିଜୟ ହାସଲ କରିଥିଲା। କିନ୍ତୁ ୨୦୨୧ରେ ଚିତ୍ର ବଦଳିଲା। ବିଜେପି ମାତ୍ର ୩ଟି ଆସନରୁ ଲମ୍ଫ ମାରି ୭୭ଟି ଆସନରେ ପହଞ୍ଚିଗଲା। ଯଦିଓ ୨୧୩ଟି ସିଟ୍ ସହ ମମତା ସରକାର ଗଢ଼ିବାରେ ସଫଳ ହେଲେ, କିନ୍ତୁ ଜଙ୍ଗଲମହଲ ଏବଂ ଉତ୍ତର ବଙ୍ଗଳାରେ ବିଜେପିର ଶକ୍ତି ବୃଦ୍ଧି ଟିଏମସି ପାଇଁ ଚିନ୍ତାର କାରଣ ପାଲଟିଲା ।
ତେବେ ୨୦୨୬ ପୂର୍ବରୁ ସବୁଠାରୁ ବଡ଼ ଖବର ହେଉଛି ଭୋଟର ତାଲିକାରେ ହୋଇଥିବା ବଡ଼ ଧରଣର ପରିବର୍ତ୍ତନ। ସ୍ୱତନ୍ତ୍ର ସଂଶୋଧନ, SIR ପରେ ପ୍ରାୟ ୬୩ ଲକ୍ଷରୁ ଅଧିକ ନାଁ ଭୋଟର ତାଲିକାରୁ କଟାଯାଇଛି। ମାଲଦା, ମୁର୍ଶିଦାବାଦ ଏବଂ ଉତ୍ତର ୨୪ ପ୍ରଗଣା ଭଳି ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ଏହାର ପ୍ରଭାବ ୧୦୦ରୁ ଅଧିକ ଆସନ ଉପରେ ପଡ଼ିପାରେ। ଏହି ପରିବର୍ତ୍ତନ ବିଜେପି ପାଇଁ ଫାଇଦା ଆଣିବ କି ଦିଦି ନିଜର ଗଡ଼ ରକ୍ଷା କରିବେ, ତାହା ଏବେ ବଡ଼ ପ୍ରଶ୍ନ ।
ସାମାଜିକ କଲ୍ୟାଣକାରୀ ଯୋଜନା ବଳରେ ମମତା ମହିଳା ଓ ସଂଖ୍ୟାଲଘୁ ଭୋଟରଙ୍କୁ ଆକୃଷ୍ଟ କରୁଥିବା ବେଳେ, ବିରୋଧୀ ବିଜେପି ରାଜ୍ୟର ବିଗିଡ଼ିଥିବା ଆର୍ଥିକ ସ୍ଥିତି ଓ ଭ୍ରଷ୍ଟାଚାର ପ୍ରସଙ୍ଗକୁ ନେଇ ମଇଦାନକୁ ଓହ୍ଲାଇଛି । ବାମପନ୍ଥୀ ଏବଂ କଂଗ୍ରେସ ଏବେ ଧୀରେ ଧୀରେ ଦୃଶ୍ୟପଟ୍ଟରୁ ଦୂରେଇ ଯାଉଥିବା ବେଳେ ଲଢ଼େଇ ଏବେ ସମ୍ପୂର୍ଣ୍ଣ ରୂପେ ଦ୍ୱିମୁଖୀ ହୋଇଛି ।
ପଶ୍ଚିମବଙ୍ଗର ଏହି ହାଇ-ଭୋଲଟେଜ୍ ଲଢ଼େଇରେ କିଏ ମାରିବ ବାଜି ? ୨୦୨୬ ମସିହା ହିଁ ସ୍ପଷ୍ଟ କରିବ କି ବଙ୍ଗଳାବାସୀ ‘ଦିଦି’ଙ୍କ ଉପରେ ପୁଣି ଭରସା କରୁଛନ୍ତି ନା ପରିବର୍ତ୍ତନର ନୂଆ ଲହର ଆସୁଛି ।