Latest Odisha News

BREAKING NEWS

ଷଷ୍ଠ ସନ୍ଧ୍ୟାରେ ଆଦିବାସୀ ମେଳା

ପ୍ରଦର୍ଶନୀରେ ଆଦିବାସୀମାନଙ୍କର ପ୍ରଗତି ଓ ପରିବର୍ତ୍ତନର ନିଖୁଣ ଚିତ୍ର

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଫେବୃଆରୀ ୨୦ ତାରିଖଠାରୁ ଆୟୋଜିତ ହେଉଥିବା ଆଦିବାସୀ ମେଳା-୨୦୨୩ର ଷଷ୍ଠ ସନ୍ଧ୍ୟାରେ ସାମଗ୍ରିକ ଭାବରେ ଆଦିବାସୀମାନଙ୍କର ସାମାଜିକ, ଅର୍ଥନୈତିକ ଓ ବାଣିଜି୍ୟକ କ୍ଷେତ୍ରରେ ଘଟିଥିବା ପ୍ରଗତି ଓ ପରିବର୍ତ୍ତନର ନିଖୁଣ ଚିତ୍ର ଦେଖିବାକୁ ମିଳୁଛି । ବିଭିନ୍ନ ଜନଜାତି ବର୍ଗଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀଗୁଡ଼ିକର ବଜାର ଚାହିଦା ଏବେ ଆଶାତୀତ ଭାବରେ ବୃଦ୍ଧି ପାଇଛି ।

ଆଦିବାସୀ ମେଳାର ସ୍ୱତନ୍ତ୍ର ଆକର୍ଷଣ ହେଉଛି ଜନଜାତିଙ୍କ ସଂସ୍କୃତିର ସମ୍ପଦର ସଂରକ୍ଷଣ ଓ ବିକାଶ ପାଇଁ ପ୍ରତିଷ୍ଠିତ ଓଡ଼ିଶାର ୯ ଗୋଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପ୍ରତିଷ୍ଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ପ୍ରଦର୍ଶିତ ୯ ଗୋଟି ଷ୍ଟଲରେ ପ୍ରତ୍ୟେକ ଜିଲ୍ଲାର କାରିଗରମାନେ ସେମାନଙ୍କ ସ୍ୱତନ୍ତ୍ର ତଥା ମୂଲ୍ୟଯୁକ୍ତ କଳା ସାମଗ୍ରୀର ପ୍ରଦର୍ଶନ ସହ ଦର୍ଶକମାନଙ୍କୁ ଆକର୍ଷିତ କରୁଛନ୍ତି । ଏଥିରେ ମୟୂରଭଞ୍ଜର ସବାଇ ଘାସର କଳା ସାମଗ୍ରୀ, ଗଜପତିର ଫୁଲଝାଡ଼ୁ, ନବରଙ୍ଗପୁରର ଗଣ୍ଡ ଚିତ୍ରକଳା, କନ୍ଧମାଳର କାଷ୍ଠଶିଳ୍ପ, କେନ୍ଦୁଝରର କାଗଜରୁ ପ୍ରସ୍ତୁତ ବିଭିନ୍ନ କଳାବସ୍ତୁ ଇତ୍ୟାଦି ଏକ ଅନନ୍ୟ ଆକର୍ଷଣ ଗ୍ରାହକମାନଙ୍କୁ ଆକୃଷ୍ଟ କରୁଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଜନଜାତି ବର୍ଗଙ୍କୁ ପ୍ରଗତିର ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଷଷ୍ଠ ସନ୍ଧ୍ୟାରେ ବିଶିଷ୍ଟ ଅତିଥି ଭାବରେ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏବଂ ‘ମୋ ସ୍କୁଲ’ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ମେଳା ପରିଦର୍ଶନ କରିଥିଲେ । ସାଂସ୍କୃତିକ ସନ୍ଧ୍ୟାରେ କନ୍ଧ, କୁଟିଆ କନ୍ଧ, ସଉରା, ପାଉଡ଼ି ଭୂୟାଁ, ହୋ ଆଦି ଜନଜାତିଙ୍କ ବିଭିନ୍ନ ପାରମ୍ପରିକ ନୃତ୍ୟ ଖୁବ୍‌ ମନୋରଞ୍ଜକ ହୋଇଥିଲା ଏବଂ ପାରମ୍ପରିକ ନୃତ୍ୟଶୈଳୀରେ ଦର୍ଶକ ବିଭୋର ହୋଇଥିଲେ । ଏହି ମେଳା ପ୍ରତ୍ୟହ ୨.୩୦ଠାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି । ଏହି ମେଳା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.