Latest Odisha News

ନିଜ ମନ ପସନ୍ଦର ନେତା ବାଛୁଛନ୍ତି ଜନତା, ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ

ଭୁବନେଶ୍ବର: ଭୋଟ ଦେଉଛି ଓଡିଶା । ରାଜ୍ୟର ୬ଟି ଲୋକସଭା କ୍ଷେତ୍ରରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ଏହାରି ଭିତରେ ସକାଳ ୯ଟା ସୁଦ୍ଧା  ୭.୪୩ ପ୍ରତିଶତ ମତଦାନ ଗ୍ରହଣ କରାଯାଇଛି ।

ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟ ମତଦାନରେ ରାଜଧାନୀ ଭୁବନେଶ୍ବର ସମେତ ପୁରୀ, କଟକ, ସମ୍ବଲପୁର, କେନ୍ଦୁଝର ଏବଂ ଢେଙ୍କାନାଳରେ ଅନେକ ହେଭିଓ୍ବେଟ ନେତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଜନତା ।  ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ରରେ ନିଜର ମନ ପସନ୍ଦ ନେତା ବାଛୁଛନ୍ତି ଜନତା। ୬ଟି ସଂସଦୀୟ କ୍ଷେତ୍ର ପାଇଁ ୬୪ ଜଣ ପ୍ରାର୍ଥୀ ଓ ୪୨ଟି ବିଧାନସଭା ପାଇଁ ୩୮୩ ପ୍ରାର୍ଥୀ ରହିଛନ୍ତି ।

ଏହି ପର୍ଯ୍ୟାୟରେ ଛଅଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୯୪,୪୮,୫୫୩ ଜଣ ମତଦାତା ରହିଛନ୍ତି । ଏମାନଙ୍କ ମଧ୍ୟରେ ୪୮,୨୯,୬୬୦ ପୁରୁଷ, ୪୬,୧୭,୬୦୨ ମହିଳା ଓ ୧୨୯୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ସେହିପରି ୨,୩୭,୧୩୧ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୮,୪୫,୫୦୩ ଜଣ ଯୁବ ମତଦାତା ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୧୦,୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ମତଦାନ କେନ୍ଦ୍ର ପିଛା ପ୍ରାୟ ୮୯୬ ଜଣ ମତାଦାତା ରହିଛନ୍ତି ।

ପ୍ରାୟ ୧୫୦୦ ମତଦାନ କେନ୍ଦ୍ର ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ କରୁଛନ୍ତି ଏବଂ ୩୦ଟି ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ଦ୍ବାରା ପରିଚାଳିତ । ଏହି ପର୍ଯ୍ୟାୟରେ ୨ ହଜାର ମଡେଲ ପୋଲିଂ ଷ୍ଟେସନର ବ୍ୟବସ୍ଥା କରାଯାଇଛି । ଏହି ପର୍ଯ୍ୟାୟରେ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସମସ୍ତ ପୋଲିଂ ଷ୍ଟେସନ୍‌ ଲୋକେସନ୍‌ରେ ଜଣେ ଲେଖାଏଁ ସ୍ଵେଚ୍ଛାସେବୀ ଓ ଜଣେ ଲେଖାଏଁ ଆଶାକର୍ମୀ ନିୟୋଜିତ ହୋଇଛନ୍ତି ।

ପ୍ରତି ବିଧାନସଭା କ୍ଷେତ୍ର ଦାୟିତ୍ବରେ ଜଣେ ଅତିରିକ୍ତ ଏସ୍‌ପି ନିଯୁକ୍ତ ରହିଛନ୍ତି । ସେମାନଙ୍କ ସହିତ ମୋଟ ୪୩ ଏଏସ୍‌ପି, ୯୫ ଡିଏସ୍‌ପି ଏବଂ ୨୩୮ ଇନ୍ସପେକ୍ଟର ଦାୟିତ୍ବରେ ରହିଛନ୍ତି। ଆହୁରି ମଧ୍ୟ ତୃତୀୟ ପର୍ଯ୍ୟାୟରେ ୧୦, ୫୫୧ଟି ବୁଥ୍‌ ରହିଛି । ଏହା ମଧ୍ୟରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ । ନିର୍ବାଚନ ହେଉଥିବା ୧୨ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ପାଇଁ ୩୫ ହଜାର ପୋଲିସ ମୁତୟନ କରାଯାଇଛି ।

Leave A Reply

Your email address will not be published.