Latest Odisha News

ଟ୍ରକରୁ ଡେଇଁଲେ, ୧୭ କିଲୋମିଟର ଚାଲି ମାଲିକ ପାଖରେ ପହଞ୍ଚିଲେ

ନୂଆଦିଲ୍ଲୀ: ଚୋରି ହୋଇଥିବା ୭ କୁକୁରଙ୍କ ଦୁଃସାହସିକ ଯାତ୍ରା ! ଚଳନ୍ତା ଟ୍ରକରୁ ଡେଇଁ ବଞ୍ଚାଇଲେ ଜୀବନ । ୧୭ କିଲୋମିଟର ଚାଲି ଚାଲି ପହଞ୍ଚିଲେ ନିଜ ମାଲିକଙ୍କ ପାଖରେ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ‘କୁକୁର ଗ୍ୟାଙ୍ଗ’ର ଭିଡିଓ।

କୁହାଯାଏ କୁକୁର ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ, କିନ୍ତୁ ଚୀନରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ମୃତ୍ୟୁ ମୁଖରୁ ବଞ୍ଚିବା ପାଇଁ ୭ଟି କୁକୁର ଚଳନ୍ତା ଟ୍ରକରୁ ଡେଇଁଛନ୍ତି ଏବଂ ଦୀର୍ଘ ୧୭ କିଲୋମିଟର ପଥ ଅତିକ୍ରମ କରି ପୁଣି ନିଜ ମାଲିକଙ୍କ ପାଖକୁ ଫେରି ଆସିଛନ୍ତି।

ଘଟଣାଟି ହେଉଛି ଚୀନର ଜିଲିନ୍ ପ୍ରଦେଶର। କିଛି କୁକୁର ମାଂସ ବେପାରୀ ଏହି ୭ଟି ଗୃହପାଳିତ କୁକୁରଙ୍କୁ ଚୋରି କରି ଏକ ଟ୍ରକରେ ବୋଝେଇ କରି ନେଇଯାଉଥିଲେ। ସେମାନଙ୍କୁ ମାରି ମାଂସ ଦୋକାନରେ ବିକ୍ରି କରିବାର ଯୋଜନା ଥିଲା। କିନ୍ତୁ ବିପଦକୁ ବୁଝିପାରି ଏହି ଚତୁର ପ୍ରାଣୀମାନେ ଟ୍ରକରୁ ଖସି ପଳାଇବାରେ ସଫଳ ହୋଇଥିଲେ।

ରାସ୍ତାରେ ଯାଉଥିବା ‘ଲୁ’ ନାମକ ଜଣେ ବ୍ୟକ୍ତି ଏହି ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଥିଲେ। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଗୋଟିଏ ଜର୍ମାନ ଶେଫର୍ଡ, କୋର୍ଗି, ଗୋଲ୍ଡେନ ରିଟ୍ରିଭର, ଲାବ୍ରାଡର ଏବଂ ପେକିନିଜ୍ ପ୍ରଜାତିର ୭ଟି କୁକୁର ଗୋଟିଏ ସଂଘବଦ୍ଧ ଦଳ ହୋଇ ରାସ୍ତାରେ ଚାଲୁଛନ୍ତି। ସେମାନେ କୌଣସି ବୁଲା କୁକୁର ଭଳି ନୁହେଁ, ବରଂ ବିପଦରେ ପଡ଼ିଥିବା ଭାଇମାନଙ୍କ ଭଳି ପରସ୍ପରର ସାଥୀ ହୋଇ ଆଗକୁ ବଢ଼ୁଥିଲେ।

ଆଶ୍ଚର୍ଯ୍ୟର କଥା ହେଉଛି, ଏହି କୁକୁରମାନେ ସମସ୍ତେ ଗୋଟିଏ ଗାଁର ଏବଂ ପୂର୍ବରୁ ପରସ୍ପରକୁ ଜାଣିଥିଲେ। ପ୍ରାୟ ୨ ଦିନ ଧରି ଭୋକ ଉପାସରେ ୧୭ କିଲୋମିଟର ପଥ ଅତିକ୍ରମ କରି ଶେଷରେ ସେମାନେ ନିଜ ଗାଁରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜର୍ମାନ ଶେଫର୍ଡଟି ଆହତ ହୋଇଥିଲେ ମଧ୍ୟ ସେ ନିଜ ସାଥୀମାନଙ୍କୁ ପଛରେ ଛାଡ଼ି ନଥିଲା।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ଲୋକେ ଓ ସ୍ୱେଚ୍ଛାସେବୀମାନେ ସେମାନଙ୍କ ଉପରେ ନଜର ରଖିଥିଲେ ଏବଂ ସେମାନେ ସୁରକ୍ଷିତ ଭାବେ ଘରେ ପହଞ୍ଚିବା ପରେ ସମସ୍ତେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ପ୍ରାଣୀମାନଙ୍କର ଏହି ପ୍ରେମ ଏବଂ ଏକତା ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.