ବଲାଙ୍ଗୀର: ବେଆଇନ ଭାବେ ପଠାଯାଉଥିବା ୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର । ଏହା ସହିତ ୩ ଜଣ ଶିଶୁଙ୍କୁ ବି ଉଦ୍ଧାର କରାଯାଇଛି । ଏଥିରେ ଶ୍ରମିକ ଚାଲାଣ କରୁଥିବା ୨ ଜଣକୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ସର୍ଦ୍ଦାର ଏବଂ ଅନ୍ୟ ଜଣେ ଇଟା ଭାଟି ସେଠ । ଉଭୟଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଧୀନ ଅଞ୍ଚଳରୁ ।
ଖବର ମୁତାବକ, ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ ଆନ୍ଧ୍ରପ୍ରଦେଶ ଇଟା ଭାଟିକୁ କାମ ପାଇଁ ବେଆଇନ ଭାବେ ୭ ଦାଦନ ଶ୍ରମିକଙ୍କୁ ପଠାଯାଉଥିଲା । ସେମାନଙ୍କ ସହ ଆଉ ୩ ଜଣ ଶିଶୁ ମଧ୍ୟ ରହିଛନ୍ତି । ଉଦ୍ଧାର ଶ୍ରମିକମାନେ ଲାଠୋର ଥାନା ଫୁଲକି ମୁଣ୍ଡା ଗାଁର ବୋଲି ଥାନା ଅଧିକାରୀ ରାକେଶ ବେହେରା କହିଛନ୍ତି ।
ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଅଭିଯୁକ୍ତ ସର୍ଦ୍ଦାର ହେଉଛି ହଳନଭାଟା ଗାଁର ଖୁସିର ତାଣ୍ଡି ଏବଂ ଇଟା ଭାଟି ସେଠ ଆନ୍ଧ୍ର ପ୍ରଦେଶ ଗୁଣ୍ଠୁର ଜିଲ୍ଲାର ଶେଖ ମୋବୁ ଶୁଭାନୀ ।