Latest Odisha News

BREAKING NEWS

୭ ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ଓଡ଼ିଶାରେ ଖୋଲିଲା ପୂର୍ବ ଭାରତର ପ୍ରଥମ ଫୁସଫୁସ ଜନିତ ମେଡିସିନ ଉତ୍କର୍ଷ କେନ୍ଦ୍ର । ଉଦଘାଟିତ ହେଲା ପୂର୍ବ ଭାରତର ପ୍ରଥମ ଫୁସଫୁସ ଜନିତ ମେଡିସିନ୍ ଉତ୍କର୍ଷ କେନ୍ଦ୍ର । କଟକ ଏସସିବି ମେଡିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ଏହି କେନ୍ଦ୍ର । କଟକ ଏସସିବି ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଲୋକାର୍ପଣ ହୋଇଛି ଅକ୍ସିଜେନ ୟୁନିଟ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ଏବଂ ୭ଟି PSA ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିଛନ୍ତି ।

ଏହାସହିତ ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ, ରକ୍ତ ବର୍ଗୀକରଣ ୟୁନିଟ, କଟକରେ ଫୁସଫୁସ ରୋଗର ଚିକିତ୍ସା ପାଇଁ ଏକ ଉତ୍କର୍ଷ କେନ୍ଦ୍ର ଏବଂ ନବରଙ୍ଗପୁରରେ ଏକ RT-PCR ଟେଷ୍ଟ ଲାବୋରେଟୋରୀର ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଏହି ସମସ୍ତ ଭିତ୍ତିଭୂମି ପାଇଁ ୨୯ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନାର ଦ୍ବିତୀୟ ଲହରୀରେ ମେଡିକାଲ ଅକ୍ସିଜେନର ଆବଶ୍ୟକତା ବହୁତ ବଢିଯାଇଥିଲା। ଏହି ସମୟରେ ଓଡିଶାରେ ଅକ୍ସିଜେନ ଯୋଗାଣ ନେଇ କୌଣସି ସମସ୍ୟା ହୋଇନାହିଁ । ନିଜର ଆବଶ୍ୟକତାକୁ ପୂରଣ କରିବା ସହ ଓଡିଶା ୧୭ଟି ରାଜ୍ୟକୁ ଅକ୍‌ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି । ଓଡିଶା ପାଇଁ ଏହା ନିଶ୍ଚିତ ଭାବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବର୍ତ୍ତମାନ ଠାରୁ ହିଁ ଆମକୁ ପ୍ରସ୍ତୁତ ରହିବାକୁ ହେବ। ଏଥିପାଇଁ ଆମର ସ୍ବାସ୍ଥ୍ୟ ଭିତ୍ତିଭୂମି, ସ୍ବାସ୍ଥ୍ୟ କର୍ମଚାରୀ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ବ ଦେଇ କାମ କରାଯାଉଛି । ଆଜିର ନୂଆ ବ୍ୟବସ୍ଥା ଗୁଡିକ ଲୋକଙ୍କୁ ଖୁବଶୀଘ୍ର ସେବା ଯୋଗାଇବ । ଏହିସବୁ ଭିତ୍ତିଭୂମି ପାଇଁ କର୍ପୋରେଟ କ୍ଷେତ୍ରର ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ରାଜ୍ୟର ସମସ୍ତ ପ୍ରମୁଖ ହସ୍‌ପିଟାଲରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ଶେଷରେ ରଜ ଓ ସାବିତ୍ରୀ ପରି ଉତ୍ସବ ସମୟରେ ଜନସାଧାରଣ ସତର୍କ ରହି, ସମସ୍ତ କୋଭିଡ ନିୟମ ପାଳନ କରି ପର୍ବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।

Leave A Reply

Your email address will not be published.