Latest Odisha News

BREAKING NEWS

ଟ୍ରାଭେଲରକୁ ପିଟିଲା ସିମେଣ୍ଟ ଟ୍ରକ; ମହାକୁମ୍ଭରୁ ଫେରୁଥିବା ୭ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ

ମଧ୍ୟପ୍ରଦେଶ: ମହାକୁମ୍ଭରୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୭ ଜଣଙ୍କର ଜୀବନ । ଆଜି ସକାଳ ପ୍ରାୟ ୯ଟାବେଳେ ଜବଲପୁର ସହରରୁ ପ୍ରାୟ ପଚାଶ କିଲୋମିଟର ଦୂରରେ ଜବଲପୁର-ପ୍ରୟାଗରାଜ ଜାତୀୟ ରାଜପଥ ୩୦ରେ ଏହି ଦୁର୍ଘଟଣା ଘଟିଛି । ମୃତକ ସମସ୍ତେ ଆନ୍ଧ୍ର ପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି । ଅନ୍ୟ ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି ।

ମଧ୍ୟପ୍ରଦେଶର ଜବଲପୁର-ପ୍ରୟାଗରାଜ ୩୦ନଂ ଜାତୀୟ ରାଜପଥରେ ମହାକୁମ୍ଭରୁ ଶ୍ରଦ୍ଧାଳୁଙ୍କୁ ଧରି ଫେରୁଥିବା ଏକ ଟ୍ରାଭେଲରକୁ ବିପରୀତ ଦିଗରୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରାଭେଲରଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି ଓ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ ।

ଘଟଣାସ୍ଥଳରେ ପହଞ୍ଚି ‘ଏସଡିଓପି’ ପାରୁଲ ଶର୍ମା କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ଆନ୍ଧ୍ର ପ୍ରଦେଶର । ଗାଡି ନମ୍ବର ‘AP29 W 1525’ ରହିଛି । ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ଆନ୍ଧ୍ର ଓ ତେଲେଙ୍ଗାନାର ବାସିନ୍ଦା ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି । ତେବେ ଦୁର୍ଘଟଣାଗ୍ରସ୍ତ ଟ୍ରାଭେଲର ଠିକ୍ ପଛରେ ଆଉ ଏକ କାର ଥିଲା । ଉକ୍ତ କାର୍ ଟି ବି ଧକ୍କା ହୋଇଥିଲା । କିନ୍ତୁ ଏୟାରବ୍ୟାଗ ଖୋଲିଯିବାରୁ ଏଥିରେ ବସିଥିବା ସମସ୍ତ ଲୋକଙ୍କ ଜୀବନ ବଞ୍ଚିଯାଇଛି ।ଏଥିରେ କିଛି ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ସିହୋରା ହସ୍ପିଟାଲ ଏବଂ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ଏହି ଦୁର୍ଘଟଣା ସମ୍ପର୍କରେ ଜବଲପୁର ଅତିରିକ୍ତ ଏସପି ସୂର୍ଯ୍ୟକାନ୍ତ ଶର୍ମା କହିଛନ୍ତି ଯେ, ସିହୋରା ପୋଲିସ ଷ୍ଟେସନଠାରୁ ପାଞ୍ଚକ କି.ମି ପୂର୍ବରୁ ଏକ ଟ୍ରକ ଭୁଲ୍ ପାର୍ଶ୍ୱକୁ ଚାଲିଯାଇ ଟ୍ରାଭେଲରକୁ ଧକ୍କା ଦେଇଛି ।

ସୂଚନାମୁତାବକ, ଉକ୍ତ ମାର୍ଗରେ ଗତ ଦୁଇ ଦିନ ଧରି ମହାକୁମ୍ଭ ପାଇଁ ଟ୍ରାଫିକ୍ ଜାମ୍ ରହୁଛି ​​।

Comments are closed.