ଭୁବନେଶ୍ୱର: ଆଇପିଏଲ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ପରେ ଭାରତ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ସହ ଟି୨୦ ସିରିଜ ଖେଳିବ । ଏହା ପରେ ଟିମ ଇଣ୍ଡିଆ ଆର୍ୟଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳାଯିବ । ଏହାକୁ ଦେଖି ବିସିସିଆଇ ଦଳର ପ୍ରମୁଖ ୭ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେବା ପାଇଁ ଚାହୁଁଛି ବୋଲି ରିପୋର୍ଟ ପ୍ରକାଶ ପାଉଛି । ଏହି ଖେଳାଳିମାନେ ହେଲେ ଅଧିନାୟକ ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ରିଷଭ ପନ୍ତ, ଯଶପ୍ରୀତ ବୁମରାହ, ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡେଜା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ନିଷ୍ପତି ନିଆଯାଇ ପାରି ନାହିଁ ।
ୱର୍କଲୋଡରୁ ଖେଳାଳିମାନଙ୍କୁ ହାଲକା କରିବା ପାଇଁ ବୋର୍ଡ ଚିନ୍ତା କରୁଛି ବୋଲି ଜନୈକ ଅଧିକାରୀ କହିଛନ୍ତି । ଆଇପିଏଲ ବାୟୋବବଲରୁ ଖେଳାଳିମାନେ ମୁକ୍ତ ହେବା ପରେ ସମ୍ପୂର୍ଣ୍ଣ ତାଜା ହୋଇ କିପରି ଆନ୍ତର୍ଜାତୀୟ ମ୍ୟାଚକୁ ଫେରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ସହ ବୋର୍ଡ ଏ ନେଇ ଭଲ ଭାବେ ଆଲୋଚନା କରିବା ପରେ ନିଷ୍ପତି ନେବ । ଟିମ ଇଣ୍ଡିଆ ଅନେକ ଦିନ ହେବ ଆଇସିସି ଟ୍ରଫି ଜିତି ନ ଥିବାରୁ ଏବେଠାରୁ ରଣନୀତି ପ୍ରସ୍ତୁତ କରାଯାଉଛି ବୋଲି ଉକ୍ତ ଅଧିକାରୀଜଣକ କହିଛନ୍ତି ।
Comments are closed.