Latest Odisha News

ଦୁର୍ନୀତି ଅଭିଯୋଗରେ ୭ ବରିଷ୍ଠ ଅଧିକାରୀ ବିଦା, ଜାଣନ୍ତୁ କାହା ବିରୋଧରେ କଣ ରହିଛି ଅଭିଯୋଗ

ଭୁବନେଶ୍ୱର: ଦୁର୍ନୀତି ଓ ଅପାରଗ ୭ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଜେଲ ଡିଆଇଜି, ଜଣେ କମାଣ୍ଡାଣ୍ଟ, ଜଣେ ଡିଏସ୍ପି, ଜଣେ ଡେପୁଟି କମାଣ୍ଡାଣ୍ଟ ଓ ୨ ଜଣ ଖଣି ଅଧିକାରୀ ଓ ଜଣେ ସିଡିପିଓ ଅଛନ୍ତି । ଏବେ ଆସନ୍ତୁ ନଜର ପକାଇବା ଏହି ଅଧିକାରୀମାନଙ୍କ ବିରୋଧରେ କଣ ସବୁ ଅଭିଯୋଗ ରହିଛି ।

ଗୋପବନ୍ଧୁ ମଲ୍ଲିକ : ଜେଲ ବିଭାଗ ଡିଆଇଜି ଗୋପବନ୍ଧୁ ମଲ୍ଲିକ୍ ଜେଲ ୱାର୍ଡର ଚୟନ ନିମନ୍ତେ ଥିବା କମିଟିର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ତାଙ୍କ ପଦବୀର ଅପବ୍ୟବହାର କରିଥିବା ଅଭିଯୋଗ ଆସିଥିଲା । ଚୟନ ପ୍ରକ୍ରିୟାରେ ସେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ଅଭିଯୋଗ ସହ ଜେଲ ବିଭାଗରେ ତାଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ନ ଥିଲା ।

ସ୍ନିଗ୍ଧାରାଣୀ ମିଶ୍ର: କୋରାପୁଟ ନନ୍ଦପୁରର ସିଡିପିଓ ଭାବରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ ଦୁଇଟି ଭିଜିଲାନ୍ସ କେସ୍ ହୋଇଥିଲା । ୨୦୧୬ ରେ ୮୦ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା । ୨୦୨୦ ମସିହା ଅକ୍ଟୋବରରେ ଛତୁଆ ବିଲ୍ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟଙ୍କଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ସେ ଧରା ପଡିବା ସହ ଚାକିରୀରୁ ନିଲମ୍ବିତ ହୋଇଥିଲେ ।

ଏକାନ୍ତ ପ୍ରିୟ ନାୟକ: କମାଣ୍ଡାଣ୍ଟ ଭାବରେ ଓଡିଶା ସଶସ୍ତ୍ର ପୋଲିସ ସେବାରେ କାର୍ଯ୍ୟରତ ଥିବା ବେଳେ ଦୁର୍ବ୍ୟବହାର ତଥା ଅଧସ୍ତନ କର୍ମଚାରୀଙ୍କୁ ମାରଧର କରିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଗୋଟିଏ ବିଭାଗୀୟ କାର୍ଯ୍ୟନୁଷ୍ଠାନ ନିଆଯାଇଥିଲା । ତାଙ୍କୁ ଚାକିରୀରୁ ମଧ୍ୟ ନିଲମ୍ବିତ କରାଯାଇଥିଲା

ଗୌତମ ମଲ୍ଲିକ: ଡିଏସ୍ପି ଗୌତମ ମଲ୍ଲିକଙ୍କ ବିରୁଦ୍ଧରେ ଦୁଇଟି ଫୌଜଦାରୀ ମାମଲା ରୁଜୁ ହୋଇଥିଲା । ଏଥି ସହ ତାଙ୍କୁ ଚାକିରୀରୁ ମଧ୍ୟ ନିଲମ୍ବିତ କରାଯାଇଥିଲା ।

ଦେବେନ୍ଦ୍ର ନାଥ ବେହେରା: ଓଡିଶା ସଶସ୍ତ୍ର ପୋଲିସ ସେବାର ଡେପୁଟି କମାଣ୍ଡାଣ୍ଟ ଭାବରେ କାର୍ଯ୍ୟରତ ଦେବେନ୍ଦ୍ରନାଥ ବେହେରାଙ୍କ ନାମରେ ଜଙ୍ଗଲରୁ କାଠଚୋରୀ ଅଭିଯୋଗରେ ଏକ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯାଇଛି । ସେହିପରି ବିନା ଅନୁମତିରେ ସରକାରୀ ଗାଡିରେ ଅଧସ୍ତନ କର୍ମଚାରୀଙ୍କୁ ବ୍ୟବହାର କରି କାଠର ଚୋରା ଚାଲାଣ ଅଭିଯୋଗରେ ତାଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ।

ସତ୍ୟବ୍ରତ ରାଉତ: କନିଷ୍ଠ ଖଣି ଅଧିକାରୀ ସତ୍ୟବ୍ରତଙ୍କ ବିରୋଧରେ ୫ଟି ଭିଜିଲାନ୍ସ ମାମଲା ରହିଛି । ଦାୟୀତ୍ୱରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୁଦ୍ଧରେ ୩ ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି ।

ରମେଶ ଚନ୍ଦ୍ର ପଣ୍ଡା: କନିଷ୍ଠ ଖଣି ଅଧିକାରୀ ରମେଶଙ୍କ ବିରୋଧରେ ୩ ଟି ଭିଜିଲାନ୍ସ କେସ୍ ରହିଛି ଦାୟିତ୍ୱରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ରହିଛି । ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି ।

Leave A Reply

Your email address will not be published.