ନୂଆଦିଲ୍ଲୀ: ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ । ଏହାକୁ ନେଇ ସାରା ଦେଶରେ ଉତ୍ସବର ପରିବେଶ ରହିଛି । ସବୁଠି ଦେଶପ୍ରେମର ଭାବନା । ଦିଲ୍ଲୀରୁ ପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା । କୋଣ ଅନୁକୋଣକୁ ଭାସି ଆସୁଛି ଜାତୀୟ ସଙ୍ଗୀତର ଧ୍ୱନୀ । ଏହି ଅବସରରେ ଦିଲ୍ଲୀର ଲାଲକିଲ୍ଲାରେ ଲଗାତାର ୧୨ ଥର ପାଇଁ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେଠାରୁ ଲାଲକିଲ୍ଲାରେ ପହଞ୍ଚି ପରେଡ ଅଭିବାଦନ ଗ୍ରହଣ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିଥିଲେ । ଏହି ସମୟରେ ଆକାଶମାର୍ଗରୁ ହେଲିକପ୍ଟର ଜରିଆରେ ପୁଷ୍ପବର୍ଷା କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, ସ୍ୱାଧୀନତାର ପର୍ବ ହେଉଛି ଦୃଢ଼ ସଂକଳ୍ପ ଏବଂ ଏକତାର ପର୍ବ । ଏହି ମହାପର୍ବ ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ । ଆଜି କୋଣ ଅନୁକୋଣରେ ଗୋଟିଏ ମନ୍ତ୍ର ହେଉଛି ଦେଶ ସର୍ବ ପ୍ରଥମ । ସମ୍ବିଧାନ ହିଁ ଦେଶକୁ ନୂଆ ଦିଗ ଦେଖାଇଛି । ଆଜିର ଦିନରେ ସମ୍ବିଧାନ ନିର୍ମାତାଙ୍କୁ ନମନ କରୁଛି ବୋଲି ତାଙ୍କ ଅଭିଭାଷଣରେ ମୋଦି କହିଛନ୍ତି ।
ଏହାପରେ ମୋଦି ଅପରେସନ ସିନ୍ଦୁରକୁ ମନେ ପକାଇ କହିଛନ୍ତି, ଆମର ସାହସୀ ସୈନିକମାନେ ଶତ୍ରୁମାନଙ୍କୁ ସେମାନଙ୍କ କଳ୍ପନା ବାହାରେ ହତ୍ୟା କରିଛନ୍ତି । ପହଲଗାମ୍ରେ ଯେପରି ଧର୍ମ ପଚାରି ହତ୍ୟା କରାଯାଇଥିଲା । ସମଗ୍ର ଭାରତ କ୍ରୋଧରେ ପୂର୍ଣ୍ଣ ଥିଲା । ଅପରେସନ୍ ସିନ୍ଦୂର ସେହି କ୍ରୋଧର ଏକ ଜବାବ ଥିଲା । ସେ ପ୍ରତ୍ୟେକ କ୍ଷେତ୍ରରେ ଦେଶର ଆତ୍ମନିର୍ଭରତା ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏକ ଜାତି ପାଇଁ ଆତ୍ମସମ୍ମାନର ସବୁଠାରୁ ବଡ଼ ଭାବନା ହେଉଛି ଆତ୍ମନିର୍ଭରତା ।
Comments are closed.