Latest Odisha News

ଧର୍ମଗଡରୁ ୮ ଅଭିଯୁକ୍ତ ଗିରଫ, ୩ କୋଟି ୫୧ଲକ୍ଷ ଟଙ୍କା ଜବତ

କଳାହାଣ୍ଡି: ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ପୋଲିସ । ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି ।

ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ମାନେ ହେଲେ, ଝାଡଖଣ୍ଡ ରାଞ୍ଚି ଜିଲ୍ଲାର ତାହିର ଅନସାରୀ, ହୁସେନ୍ ଖାନ୍, ଜୈସମ ଖାନ୍, ସାମିମ୍ ଅନସାରୀ, ବାସୁଦେବ ଗୋପେ, ପିଣ୍ଟୁ ଆଲିମ୍ ଏବଂ ଅନୁଜ କୁମାର ।

ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ଧର୍ମଗଡ଼ ଠାରେ ଥିବା ଏକ ଦେଶୀ ମଦ ଭାଟିରେ ବିଳମ୍ବିତ ରାତିରେ ପ୍ରାୟ ୮ ଜଣ ଡକାୟତ ମାରଣାସ୍ତ୍ର ଧରି ଡକାୟତି କରିବା ଉଦ୍ଦେଶ୍ୟରେ ଏହି ଭାଟିରେ ପଶିଥିଲେ । ସେଠାରେ ବନ୍ଧୁକ ଏବଂ ମରଣାସ୍ତ୍ର ଦେଖାଇ ଧମକ ଦେଇ ଟଙ୍କା ଲୁଟି ନେଇଥିଲେ । ଏନେଇ ଧର୍ମଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଡକାୟତଙ୍କୁ ଧରିବାକୁ କଳାହାଣ୍ଡି ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରାଯାଇଥିଲା । ଡକାୟତି କରିବା ପରେ ଅଭିଯୁକ୍ତମାନେ JH10AP4817 ନମ୍ବର ବିଶିଷ୍ଟ ବୋଲେରୋ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଅନୁସନ୍ଧାନ ସମୟରେ ଅପରାଧରେ ବ୍ୟବହୃତ ଗାଡିକୁ ଝାଡ଼ଖଣ୍ଡରେ ଚିହ୍ନଟ କରାଯାଇ ଠାବ କରାଯାଇଥିଲା ।

ପୋଲିସ ତଦନ୍ତ ବେଳେ ସ୍ଥାନୀୟ ପୋଲିସ ଦୁଇ ଅଭିଯୁକ୍ତ ସିରାଜ ଆନସାରୀ ଏବଂ କାମେଶ୍ୱର ଯାଦବକୁ ସଂଗେ ସଙ୍ଗେ ଗିରଫ କରିଥିଲା । ଅନ୍ୟ ଅଭିଯୁକ୍ତ ମାନେ ଝାଡ଼ଖଣ୍ଡ ଅଭିମୁଖେ ଫେରାର ହୋଇଥିବା ସମ୍ପର୍କରେ ପୋଲିସ ସୂଚନା ପାଇଥିଲା । ବର୍ତ୍ତମାନ ସୁଦ୍ଧା ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ।

ଏହି ଘଟଣାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ ସଫଳତା ନିମନ୍ତେ କଳାହାଣ୍ଡି ଏସପି ଏବଂ ତାଙ୍କ ଟିମକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.