Latest Odisha News

BREAKING NEWS

୮ ବଜେଟ୍, ୮ ଶାଢି଼; ଅର୍ଥମନ୍ତ୍ରୀଙ୍କ ଲୁକ୍ ପଛରେ ରହିଛି ଅନେକ ବାର୍ତ୍ତା

ନୂଆଦିଲ୍ଲୀ: ୨୦୨୫ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। କ୍ରମାଗତ ଭାବେ ଏହା ତାଙ୍କର ୮ମ ବଜେଟ୍।

ଏହି ଅବସରରେ ସମସ୍ତଙ୍କ ନଜର ତାଙ୍କ ଭାଷଣ ଏବଂ ତାଙ୍କ ଲୁକ୍ ଉପରେ ରହିଥିଲା। ପ୍ରତିବର୍ଷ ପରି ଏଥର ମଧ୍ୟ ସେ ବଜେଟ୍ ପାଇଁ ସ୍ୱତନ୍ତ୍ର ଶାଢ଼ି ବାଛିଛନ୍ତି।

ଚଳିତ ବର୍ଷ ନିର୍ମଳା ସୀତାରମଣ ପାରମ୍ପରିକ ଗୋଲ୍ଡେନ ବର୍ଡର ଥିବା ଏକ ସୁନ୍ଦର କ୍ରିମ୍ ରଙ୍ଗର ଶାଢ଼ି ପିନ୍ଧିଥିଲେ। ସେ ଏକ ଲାଲ ବ୍ଲାଉଜ୍ ସହିତ ଏହାକୁ ପିନ୍ଧିଥିବା ନଜର ଆସିଥିଲେ। ତାଙ୍କର ଏହି ଲୁକ୍ ବହୁତ କ୍ଲାସିକ୍ ଏବଂ ସୁନ୍ଦର ଦେଖାଯାଉଥିଲା। ଖାସ୍ କଥା ହେଉଛି ଏହି ଶାଢ଼ିର ବର୍ଡରରେ ବିହାରର ପାରମ୍ପରିକ ମଧୁବନୀ ଡିଜାଇନ୍ ରହିଥିଲା।

ତେବେ ଆସନ୍ତୁ ଜାଣିବା ୨୦୧୯ରୁ ଏପର୍ଯ୍ୟନ୍ତ ବଜେଟ୍ ଡେରେ କିଭଳି ଲୁକରେ ନଜର ଆସିଛନ୍ତି ଅର୍ଥମନ୍ତ୍ରୀ। ଆଉ ଏହା ପଛରେ କଣ ରହିଛି ବାର୍ତ୍ତା…

୨୦୨୪ (ପୂର୍ଣ୍ଣାଙ୍ଗ ବଜେଟ୍)

ନିର୍ମଳା ସୀତାରମଣ ୨୩ ଜୁଲାଇ ୨୦୨୪ରେ ତାଙ୍କର ୭ମ ବଜେଟ୍ ଉପସ୍ଥାପନ କରିଥିଲେ। ଏହି ଦିନ ସେ ଏକ ଅଫ୍-ହ୍ୱାଇଟ୍ ମଙ୍ଗଳଗିରି ଶାଢ଼ି ପିନ୍ଧିଥିଲେ ଯେଉଁଥିରେ ମାଜେଣ୍ଟା ଏବଂ ଗୋଲ୍ଡେନ ରଙ୍ଗର ବର୍ଡର ଥିଲା। ଏହା ଆନ୍ଧ୍ରପ୍ରଦେଶର ଏକ ପାରମ୍ପରିକ ଶାଢ଼ି। ଆଉ ସେ ବଜେଟରେ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଘୋଷଣା ମଧ୍ୟ କରିଥିଲେ।

୨୦୨୪ (ଅନ୍ତରୀଣ ବଜେଟ୍)

ଅନ୍ତରୀଣ ବଜେଟ୍ ଉପସ୍ଥାପନା ବେଳେ ସେ ଏକ ନୀଳ ଟସର ସିଲ୍କ ହସ୍ତତନ୍ତ ଶାଢ଼ି ପିନ୍ଧିଥିଲେ। ଏହା ବଙ୍ଗଳାର କାନ୍ଥା ରେଶମ କପଡ଼ାରେ ତିଆରି ହୋଇଥଏବଂ। ଆଉ ବ୍ଲୁ ଅର୍ଥନୀତି ସହିତ ଜଡିତ ଘୋଷଣା ପରେ ତାଙ୍କର ଲୁକ୍ ଖୁବ୍ ଚର୍ଚ୍ଚାରେ ଥିଲା।

ସେହିପରି ୨୦୨୩ ମସିହାରେ ଅର୍ଥମନ୍ତ୍ରୀ ଲାଲ ରଙ୍ଗର ଟେମ୍ପଲ ବର୍ଡର ଥିବା ଏକ ଇଲକାଲ ସିଲ୍କ ଶାଢ଼ି ପିନ୍ଧିଥିଲେ। ଏହା କର୍ଣ୍ଣାଟକର ପାରମ୍ପରିକ ଶାଢ଼ି। ସେହି ବଜେଟରେ ନିର୍ମଳା କର୍ଣ୍ଣାଟକ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଥିଲେ।

୨୦୨୨-

ଅର୍ଥମନ୍ତ୍ରୀ ୨୦୨୨ ମସିହାରେ ଓଡ଼ିଶାର ଏକ ପାରମ୍ପରିକ ବୋମକାଇ ଶାଢ଼ୀ ପିନ୍ଧିଥିଲେ। ଏହି କଫି ଏବଂ ବାଦାମୀ ରଙ୍ଗର ଶାଢ଼ିକୁ ସ୍ଥିରତା ଏବଂ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ଶାଢ଼ି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ହସ୍ତତନ୍ତ କଳାର ଏକ ଅନନ୍ୟ ଉଦାହରଣ ରହିଥିଲା।

୨୦୨୧-

ସେହି ବର୍ଷ ସେ ଲାଲ ବର୍ଡର ସହିତ ଏକ ଅଫ୍-ହ୍ୱାଇଟ୍ ପୋଚମପାଲି ଶାଢ଼ି ପିନ୍ଧିଥିଲେ। ଏହି ଶାଢ଼ି ହାଇଦ୍ରାବାଦର ପୋଚମପାଲି ଗାଁର ହସ୍ତତନ୍ତ କାରିଗରୀର ଏକ ଅଂଶ।

୨୦୨୦-

ନିର୍ମଳା ସୀତାରମଣ ୨୦୨୦ ବଜେଟ୍ ସମୟରେ ହଳଦିଆ ସିଲ୍କ ଶାଢ଼ି ପିନ୍ଧିଥିଲେ। ହଳଦିଆ ରଙ୍ଗକୁ ଆନନ୍ଦ ଏବଂ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହା ଭାରତୀୟ ସମୃଦ୍ଧି ଏବଂ ସଂସ୍କୃତିକୁ ଦର୍ଶାଇ ଥାଏ।

୨୦୧୯-

୨୦୧୯ରେ ତାଙ୍କର ପ୍ରଥମ ବଜେଟ୍ ଭାଷଣ ସମୟରେ ସେ ଗୋଲ୍ଡେନ ବର୍ଡର ସହିତ ଗୋଲାପୀ ମଙ୍ଗଳଗିରି ଶାଢ଼ି ପିନ୍ଧିଥିଲେ। ଗୋଲାପୀ ରଙ୍ଗ ସ୍ଥିରତା ଏବଂ ଗମ୍ଭୀରତାର ପ୍ରତୀକ। ଏହି ବଜେଟରେ ସେ ଦେଶର ହସ୍ତତନ୍ତ ଏବଂ ଏମ୍ବ୍ରୋଡେରୀ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଘୋଷଣା କରିଥିଲେ।

 

Comments are closed.