Latest Odisha News

BREAKING NEWS

କରୋନାକୁ ହରାଇଲେ ୮୦ ବର୍ଷୀୟା ବୃଦ୍ଧା

କେନ୍ଦ୍ରାପଡା : ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଲା ମହାମାରୀ କରୋନା । ଘାତକ କରୋନା କବଳରୁ ସୁସ୍ଥ ହୋଇଛନ୍ତି ୮୦ ବର୍ଷୀୟା ବୃଦ୍ଧା । ଏହାସହ କେନ୍ଦ୍ରାପଡ଼ା ଛତାସ୍ଥିତ ସମ୍‌ କୋଭିଡ୍‌ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏହି ୮୦ ବର୍ଷୀୟା ବୃଦ୍ଧା । ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ।

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍‌‌ ଅନ୍ତର୍ଗତ ହରିଦାସପୁର ଗ୍ରାମର କ୍ଷୀରୋଦା ମହାନ୍ତି କିଛିଦିନ ତଳେ ଅଚାନକ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କର ଥଣ୍ଡା କାଶ ସହ କଫ ଲାଗି ରହିଥିଲା । ଚିକିତ୍ସା ପାଇଁ ପୁଅ ଖଗେଶ୍ବର ମହାନ୍ତି ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ କ୍ଷୀରୋଦା ଓ ତାଙ୍କ ପୁଅ ଖଗେଶ୍ବରଙ୍କର କୋଭିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିଲା । ଉଭୟଙ୍କର ରିପୋର୍ଟ ନେଗେଟିଭ୍‌ ବାହାରିଥିଲେ ବି କ୍ଷୀରୋଦାଙ୍କର ଅମ୍ଳଜାନ ସ୍ତର ବହୁ କମ୍‌ ଥିଲା । ତାଙ୍କୁ ତୁରନ୍ତ ଜୁନ୍‌ ୬ ତାରିଖରେ କେନ୍ଦ୍ରାପଡ଼ା ସହର ଉପକଣ୍ଠ ଡେରାବିଶ ବ୍ଲକ୍‌ ଛତାଠାରେ ଥିବା ସମ୍‌ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ବୃଦ୍ଧାଙ୍କର କୋଭିଡ୍‌ ଆର୍‌ଟିପିସିଆର ଟେଷ୍ଟ ହେବାରୁ ରିପୋର୍ଟ ପଜିଟିଭ୍‌ ବାହାରିଥିଲା । ଦିନକୁ ଦିନ ତାଙ୍କର ଅମ୍ଳଜାନ ସ୍ତର କମିବା ସହ ନିଶ୍ବାସ ପ୍ରଶ୍ବାସ ନେବା କଷ୍ଟକର ହୋଇପଡ଼ିଥିଲା । ଗୁରୁତର ହୋଇ ପଡିଥିଲେ କ୍ଷୀରୋଦା । ମାତ୍ର ସମ୍ କୋଭିଡ୍ ହସ୍ପିଟାଲରେ ଉପଲବ୍ଧ ଅତ୍ୟାଧୁନିକ ଚିକିତ୍ସା ଭିତିଭୂମି ସାଙ୍ଗକୁ ଅଭିଜ୍ଞ ଓ ବରିଷ୍ଠ ଡାକ୍ତରଙ୍କ ଆପ୍ରାଣ ପ୍ରଚେଷ୍ଟା କ୍ଷୀରୋଦାଙ୍କୁ ନୂଆ ଜୀବନ ଦେଇଥିଲା ।

ମେଡିକାଲ ଟିମ୍‌ ସେମାନଙ୍କର ସମୟୋପଯୋଗୀ ଚିକିତ୍ସା କରିବା ସହ ସୁଷମ ଖାଦ୍ୟ ଦେଇଥିଲେ । ବୃଦ୍ଧାଙ୍କର ମନୋବଳ ବଢ଼ାଇବା ପାଇଁ ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଥିଲା ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ଆଜି ବୃଦ୍ଧା ଜଣକ ସୁସ୍ଥ ହୋଇ ଘରକୁ ଫେରି ପାରିଛନ୍ତି । ଏଥିଲାଗି ସମ୍‌ କୋଭିଡ୍‌ ହସ୍ପିଟାଲର ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ କ୍ଷୀରୋଦା ଓ ତାଙ୍କ ପୁଅ ଖଗେଶ୍ବର କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.