Latest Odisha News

ତୋଷାଳି ମେଳାର ୮ମ ସନ୍ଧ୍ୟା; ହସ୍ତତନ୍ତର ବିଶ୍ୱାଦୃତି ନିମନ୍ତେ ‘ବୟନିକା’ ପକ୍ଷରୁ ‘ଫେସନ୍‌ ସୋ’

ଭୁବନେଶ୍ୱର: ସାରା ଦେଶର ହସ୍ତଶିଳ୍ପ କାରିଗର, ବୁଣାକାର ଓ ସ୍ଥପତିକାରମାନଙ୍କୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କ କଳା-କାରିଗରୀର ପ୍ରଦର୍ଶନ ନିମନ୍ତେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୧୯ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଡିସେମ୍ବର ୧୫ ତାରିଖଠାରୁ ଆରମ୍ଭ ହୋଇଛି ।

ଏହି ମେଳାରେ ୩୮୦ଟି ପ୍ରଦର୍ଶନ କକ୍ଷ ନିର୍ମାଣ କରାଯାଇ ଶିଳ୍ପୀ ଓ ଗ୍ରାହକଙ୍କ ମଧ୍ୟରେ ସିଧାସଳଖ ସଂପର୍କ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ଆମର ପାରମ୍ପରିକ ଏବଂ ସମସାମୟିକ ହସ୍ତଶିଳ୍ପ, ହସ୍ତତନ୍ତ, ସ୍ଥାପତ୍ୟଗୁଡ଼ିକୁ ଜାଣିବା ଓ କ୍ରୟ କରିବା ନିମନ୍ତେ ରାଜ୍ୟବାସୀଙ୍କ ପାଇଁ ଏହା ଏକ ଅପୂର୍ବ ସୁଯୋଗ ।

ହସ୍ତତନ୍ତ ପୋଷାକ ପ୍ରତି ଲୋକମାନଙ୍କ ମଧ୍ୟରେ ଜାଗରୂକତା ଓ ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ଗତ ସନ୍ଧ୍ୟାରେ ତୋଷାଳି ମେଳା ପରିସରରେ ଏକ ‘ଫେସନ୍‌ ସୋ’ ଆୟୋଜିତ ହୋଇଯାଇଛି ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଏନ୍‌ଆଇଏଫ୍‌ଟି, ସିଡାକ୍‌ ଦ୍ୱାରା ପ୍ରାୟୋଜିତ ତଥା ‘ବୟନିକା’ ପକ୍ଷରୁ ଆୟୋଜିତ ଏହି ‘ଫେସନ୍‌ ସୋ’ରେ ୧୩ ଜଣ ମଡେଲ୍‌ ବୟନିକା ପ୍ରସ୍ତୁତ ଇକତ୍‌, ବୋମକାଇ, ଖଣ୍ଡୁଆ, କୋଟପାଡ଼ ଓ ଡଙ୍ଗରିଆ, ଟସର ଶାଢ଼ି ପରିଧାନପୂର୍ବକ ଅଂଶଗ୍ରହଣ କରିଥିଲେ ।

ଏହାପରେ ବୟନିକା ଓ ଏନ୍‌ଆଇଏଫ୍‌ଟି ଆଲୁମୁନିମାନଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନର ପୋଷାକ ପରିଧାନ କରି ଏହି ମଡେଲ୍‌ମାନେ ଓଡ଼ିଶା ହସ୍ତତନ୍ତର ଡିଜାଇନ୍‌ ପୋଷାକ ଦର୍ଶକମାନଙ୍କ ନିକଟରେ ପ୍ରଦର୍ଶନ କରିଥିଲେ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଅଂଜନା ପଣ୍ଡା ଓ ତାଙ୍କ ଟିମ୍‌ ଏହି ‘ଫେସନ୍‌ ସୋ’ର ପରିକଳ୍ପନା କରିଥିଲେ ।

ପାରମ୍ପରିକ ଓ ଆଧୁନିକ ତଥା ଭାରତୀୟ ଏବଂ ପାଶ୍ଚାତ୍ୟ ଶୈଳୀରେ ପ୍ରସ୍ତୁତ ଏହି ପୋଷାକଗୁଡ଼ିକୁ ବିଶ୍ୱବ୍ୟାପୀ ପରିଚିତି ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ‘ଫେସନ୍‌ ସୋ’କୁ ଶୁଭମ୍‌ ଓ ଜାଗୃତି ଉପସ୍ଥାପନ କରିଥିବାବେଳେ ପ୍ରଶାନ୍ତ ଏହାର କୋରିଓଗ୍ରାଫି କରିଥିଲେ ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ରହିଛି । ସୁନ୍ଦର ଓ ଚିତ୍ତାକର୍ଷକ ‘ଫେସନ୍‌ ସୋ’ ମାଧ୍ୟମରେ ରାଜ୍ୟର ବୁଣାକାର ଓ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଓ ଡିଜାଇନ୍‌ ପୋଷାକ ଆଦି ବିଶ୍ୱବଜାରରେ ବିଶେଷ ସ୍ଥାନ ହାସଲ କରିପାରିଛି । ଆମ ଶିଳ୍ପୀ-କାରିଗରମାନଙ୍କ ସ୍ୱପ୍ନ ଆଜି ସାର୍ଥକ ହୋଇଛି ।

ତୋଷାଳି ମେଳା ଅବସରରେ ଆଜି ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବୟନଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀ ଦାସ ଓ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଅଂଜନା ପଣ୍ଡା ‘ଫେସନ୍‌ ସୋ’ର କଳାକାର, କୋରିଓଗ୍ରାଫର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର କଣ୍ଠଶିଳ୍ପୀଙ୍କୁ ଉତ୍ତରୀୟ ଓ ବୃକ୍ଷ ପ୍ରଦାନ କରି ସମ୍ମାନିତ କରିଥିଲେ ।

ଗତକାଲିର କାର୍ଯ୍ୟକ୍ରମରେ ପ୍ରଚ୍ଛଦପଟ ଗାୟିକା ପ୍ରଜ୍ଞା ହୋତା ପୁରୁଣା ଓଡ଼ିଆ ଗୀତ ସହିତ ‘ବେବି ଓ ବେବି’ ଓ ‘ସୁନୟନା…’ ଆଦି ସଂଗୀତ ଗାନ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ ।

Leave A Reply

Your email address will not be published.