ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୮ମ ବେତନ ଆୟୋଗକୁ ନେଇ ମୋଦୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି କରିଛନ୍ତି, ଯାହାଫଳରେ ଆଗାମୀ ଦିନରେ ଦରମା ବୃଦ୍ଧି ପ୍ରକ୍ରିୟା ଆହୁରି ଜୋରଦାର ହେବ।
୮ମ ବେତନ କମିଶନ ଗଠନକୁ ନେଇ ପ୍ରକ୍ରିୟା ଏବେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ଆୟୋଗରେ ଏକ ନୂଆ ନିର୍ଦ୍ଦେଶକ ପଦ ପାଇଁ ମଞ୍ଜୁରୀ ଦେଇଛନ୍ତି। ୨୦୦୯ ବ୍ୟାଚ୍ର ଭାରତୀୟ ରେଳବାଇ ଆକାଉଣ୍ଟ୍ ସର୍ଭିସ୍ ଅଧିକାରୀ କୃଷ୍ଣ ଭି.ଆର୍.ଙ୍କୁ ୮ମ ବେତନ ଆୟୋଗର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ପରେ କର୍ମଚାରୀଙ୍କ ପାଇଁ ନୂଆ ପେ-ମାଟ୍ରିକ୍ସ ଏବଂ ସାଲାରୀ ରିଭିଜନ କାମ ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି।
କେବଳ ଏତିକି ନୁହେଁ, ବେତନ ଆୟୋଗ ଏବେ ସିଧାସଳଖ ଜନସାଧାରଣ ଏବଂ କର୍ମଚାରୀଙ୍କଠାରୁ ପରାମର୍ଶ ମାଗିଛନ୍ତି। ଆୟୋଗର ଅଫିସିଆଲ୍ ୱେବସାଇଟ୍ 8cpc.gov.in ଲଞ୍ଚ ହୋଇସାରିଛି। ଯଦି ଆପଣ ନିଜର ଦରମା ବୃଦ୍ଧି, ପେନସନ କିମ୍ବା ଫିଟମେଣ୍ଟ ଫ୍ୟାକ୍ଟର ଉପରେ କୌଣସି ପରାମର୍ଶ ଦେବାକୁ ଚାହାଁନ୍ତି, ତେବେ ୧୬ ମାର୍ଚ୍ଚ ୨୦୨୬ ସୁଦ୍ଧା MyGov ପୋର୍ଟାଲ ଜରିଆରେ ନିଜର ମତାମତ ଦେଇପାରିବେ।
ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦରେ ସୂଚନା ଦେଇ କହିଛନ୍ତି ଯେ, ଆୟୋଗକୁ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ୧୮ ମାସ ସମୟ ଦିଆଯାଇଛି। ଯଦିଓ ଏହି ରିପୋର୍ଟ ୨୦୨୭ ମସିହା ସୁଦ୍ଧା କାର୍ଯ୍ୟକାରୀ ହୋଇପାରେ, କିନ୍ତୁ କର୍ମଚାରୀଙ୍କୁ ଏହାର ଏରିୟର ୧ ଜାନୁଆରୀ ୨୦୨୬ ରୁ ହିଁ ମିଳିବାର ସମ୍ଭାବନା ରହିଛି।
୮ମ ବେତନ ଆୟୋଗ ଲାଗୁ ହେଲେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ମୂଳ ଦରମା ଏବଂ ପେନସନରେ ବଡ଼ ଧରଣର ବୃଦ୍ଧି ଘଟିବ। ତେବେ ସରକାର ଏହି ପ୍ରକ୍ରିୟାକୁ କେତେ ଶୀଘ୍ର ସମ୍ପୂର୍ଣ୍ଣ କରୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର।
Comments are closed.