Latest Odisha News

BREAKING NEWS

କେବେ ଆସିବ ନୂଆ ଦରମା ଢାଞ୍ଚା? ସୁପାରିଶ ପୂର୍ବରୁ ଓଡ଼ିଶାରେ ଡେରା ପକାଇଲେ କମିଶନ୍

ଭୁବନେଶ୍ୱର: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଏକ ଖୁସିର ଖବର ସାମ୍ନାକୁ ଆସିଛି। ଦରମା ଢାଞ୍ଚା ଏବଂ ପେନ୍‌ସନ୍ ସଂଶୋଧନ ପାଇଁ ଗଠିତ ଅଷ୍ଟମ ବେତନ କମିଶନ୍ ଏବେ ଆକ୍ସନ୍ ମୋଡ୍‌କୁ ଆସିଯାଇଛି। ନିଜର ଚୂଡ଼ାନ୍ତ ସୁପାରିଶ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବା ପୂର୍ବରୁ କମିଶନ୍ ସାରା ଦେଶରେ ବିଭିନ୍ନ କର୍ମଚାରୀ ସଙ୍ଗଠନ ସହ ପ୍ରତ୍ୟକ୍ଷ ଆଲୋଚନା କରୁଥିବା ବେଳେ, ବର୍ତ୍ତମାନ ଏହାର ଫୋକସ୍‌ରେ ରହିଛି ଓଡ଼ିଶା। ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଏହି ହାଇ-ପ୍ରୋଫାଇଲ୍ ବୈଠକ ଏବେ ସାରା ଦେଶର ଲକ୍ଷ ଲକ୍ଷ କର୍ମଚାରୀଙ୍କ ଆଶା ବଢ଼ାଇଦେଇଛି।

 

ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୬ ଏବଂ ୭ ତାରିଖ (୨୦୨୬) ଦୁଇ ଦିନ ଧରି ଭୁବନେଶ୍ୱରରେ ଅଷ୍ଟମ ବେତନ କମିଶନଙ୍କ ପରାମର୍ଶଦାତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟ ତଥା ଜାତୀୟ ସ୍ତରର ବିଭିନ୍ନ କେନ୍ଦ୍ରୀୟ କର୍ମଚାରୀ ୟୁନିଅନ୍, ପେନ୍‌ସନ୍ ଆସୋସିଏସନ୍ ଏବଂ ଅନ୍ୟାନ୍ୟ ଷ୍ଟେକ୍‌ହୋଲ୍ଡରମାନେ ସିଧାସଳଖ ଅଂଶଗ୍ରହଣ କରିଥିଲେ। କର୍ମଚାରୀମାନଙ୍କର ବର୍ତ୍ତମାନର ଆର୍ଥିକ ଆବଶ୍ୟକତା, ବଢ଼ୁଥିବା ମହଙ୍ଗା ମାଡ଼ ଏବଂ ଭବିଷ୍ୟତର ଦାବିଗୁଡ଼ିକୁ ନେଇ ଏହି ମଞ୍ଚରେ ଖୋଲାଖୋଲି ଭାବେ ବିସ୍ତୃତ ଆଲୋଚନା କରାଯାଇଛି।

 

କର୍ମଚାରୀ ସଙ୍ଗଠନଗୁଡ଼ିକ ପକ୍ଷରୁ କମିଶନଙ୍କ ନିକଟରେ ଅନେକଗୁଡ଼ିଏ ଯୁକ୍ତିଯୁକ୍ତ ଦାବି ଉପସ୍ଥାପନ କରାଯାଇଛି। ଏଥିମଧ୍ୟରେ ସବୁଠାରୁ ପ୍ରମୁଖ ଦାବି ହେଉଛି ‘ଫିଟ୍‌ମେଣ୍ଟ ଫ୍ୟାକ୍ଟର’ ବୃଦ୍ଧି। ଏହାବ୍ୟତୀତ ବର୍ଦ୍ଧିତ ମହଙ୍ଗା ଭତ୍ତା (DA)କୁ ମୂଳ ଦରମା ସହ ମିଶାଇବା, ବାର୍ଷିକ ଇନ୍‌କ୍ରିମେଣ୍ଟ୍‌ ହାରକୁ ୩ ପ୍ରତିଶତରୁ ୫ ପ୍ରତିଶତକୁ ବୃଦ୍ଧି କରିବା, ଛୁଟି ଏନ୍‌କ୍ୟାସ୍‌ମେଣ୍ଟ ସୀମା ବଢ଼ାଇବା ଏବଂ ପେନ୍‌ସନ୍ ନିୟମରେ ବ୍ୟାପକ ସଂସ୍କାର ଆଣିବା ନେଇ ସଙ୍ଗଠନଗୁଡ଼ିକ ଜିଦ୍ ଧରିଛନ୍ତି।

 

ଭୁବନେଶ୍ୱର ଗସ୍ତ ସରିବା ପରେ କମିଶନ୍ ସିଧାସଳଖ ପଶ୍ଚିମବଙ୍ଗର କୋଲକାତା ଅଭିମୁଖେ ବାହାରିବେ ଏବଂ ଜୁଲାଇ ୯ ଓ ୧୦ ତାରିଖରେ ସେଠାରେ ଆଲୋଚନା କରିବେ। ଆଶ୍ଚର୍ଯ୍ୟର କଥା ହେଉଛି, ଏଥର ଦରମା ଢାଞ୍ଚା କେବଳ ଏସି ରୁମ୍‌ରେ ବସି ନିର୍ଦ୍ଧାରଣ କରାଯିବ ନାହିଁ। ବରଂ କର୍ମଚାରୀଙ୍କ ବାସ୍ତବ କାର୍ଯ୍ୟ ପରିସ୍ଥିତି, କଠିନ ପରିଶ୍ରମ ଏବଂ ବିପଦକୁ ଅନୁଧ୍ୟାନ କରିବା ପାଇଁ କମିଶନ୍ ଭାରତୀୟ ରେଳବାଇର ବିଭିନ୍ନ ବିଭାଗ, ବିଶେଷ କରି ମୁମ୍ବାଇରେ ଯାନ୍ତ୍ରିକ ଏବଂ ଟ୍ରେନ୍ ପରିଚାଳନା କାର୍ଯ୍ୟକୁ କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

 

ସୂଚନାଯୋଗ୍ୟ, ୨୦୨୫ ନଭେମ୍ବର ମାସରେ ଗଠିତ ହୋଇଥିବା ଅଷ୍ଟମ ବେତନ କମିଶନ୍‌କୁ ନିଜର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ମୋଟ ୧୮ ମାସର ସମୟ ଦିଆଯାଇଛି। ଅର୍ଥାତ୍ ୨୦୨୭ ମସିହା ମଧ୍ୟଭାଗ ସୁଦ୍ଧା ସରକାରଙ୍କୁ ଏହି ରିପୋର୍ଟ ପ୍ରଦାନ କରାଯିବ। ତେବେ କର୍ମଚାରୀଙ୍କ ଆଶା ରହିଛି ଯେ, ନୂଆ ଦରମା ଢାଞ୍ଚା ଜାନୁଆରୀ ୨୦୨୬ ତାରିଖରୁ ପିଛିଲା ଭାବେ ଲାଗୁ କରାଯିବ।

Leave A Reply

Your email address will not be published.