ଭୁବନେଶ୍ୱର: ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ । ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ୧୦ ମହଲା ବିଶିଷ୍ଟ ଏହି ଅତ୍ୟାଧୁନିକ କୋଠା ନିର୍ମାଣ କରାଯିବ । ରାଜ୍ୟର ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଭବନର ରୂପରେଖ ପ୍ରସ୍ତୁତ କରାଯିବ । ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଏହି ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ କାର୍ଯ୍ୟାଳୟକୁ ଏକାଠି କରାଯିବା ସହ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଦକ୍ଷ ଓ ସମନ୍ୱିତ କରିବାକୁ ଗୁରୁତ୍ୱ ଦିଆଯିବ ।
ତେବେ ନୂତନ ରାଜସ୍ୱ ଭବନରେ ରାଜ୍ୟ ବିପର୍ଯ୍ୟୟ ନିୟନ୍ତ୍ରଣ କେନ୍ଦ୍ର (ଏସଆରସି) କାର୍ଯ୍ୟାଳୟ, ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ୍), ଅଗ୍ନିଶମ ସେବା, ଓଡ୍ରାଫ୍ (ଓଡିଆରଏଏଫ୍) ସମେତ ବିପର୍ଯ୍ୟୟ ପରିଚାଳନା ସହ ଜଡ଼ିତ ସମସ୍ତ ପ୍ରମୁଖ ବିଭାଗ ରହିବ । ଏହା ଫଳରେ ବିପର୍ଯ୍ୟୟ ସମୟରେ ବିଭିନ୍ନ ସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ସହ ଦ୍ରୁତ ପଦକ୍ଷେପ ନେବାରେ ସୁବିଧା ହେବ ବୋଲି ମନ୍ତ୍ରୀ କହିଛନ୍ତି ।