Latest Odisha News

BREAKING NEWS

ମର୍ମନ୍ତୁଦ ପିକନିକ୍ ଡ଼ଙ୍ଗାବୁଡ଼ି ଦୁର୍ଘଟଣାରେ ୯ ମୃତ, ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବ୍ଲକ ଅନ୍ତର୍ଗତ ବାଲିଘାଟ ନିକଟ ନେପଣିଆଠାରେ ବୁଧବାର ସନ୍ଧ୍ୟାରେ ଏକ ଦେଶୀ ଡ଼ଙ୍ଗା ବୁଡ଼ି ଯିବାରୁ ପିକନିକ୍ ଯାଉଥିବା ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୯ ଜଣ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ଏବେବି ନିଖୋଜ ରହିଛି ।

ଏହି ଘଟଣାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକ ଯାତ୍ରୀମାନଙ୍କ ପରିବାରବର୍ଗଙ୍କ ଲାଗି ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ପୂର୍ବରୁ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ବିଭାଗୀୟ କର୍ତ୍ତୃପକ୍ଷ ତଥା ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବିଭାଗକୁ ତୁରନ୍ତ ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିବା ସହିତ ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।


ମିଳିଥିବା ସୂଚନାନୁଯାୟୀ, ପ୍ରାୟ ୪୦ ରୁ ୪୫ ଜଣ ବ୍ୟକ୍ତି, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ମଙ୍ଗରାଜପୁରରୁ କେନ୍ଦ୍ରାପଡ଼ାର ହୁକିଟୋଲା ଲାଇଟ୍ ହାଉସ ପରିଦର୍ଶନରେ ଯାଉଥିଲେ । ଏହି ଯାତ୍ରୀମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ଛୋଟ ପିଲାମାନେ ଥିଲେ । ପିକନିକ୍ ସାରି ଫେରୁଥିବା ବେଳେ ବାଲିଘାଟ ନିକଟସ୍ଥ ନେପଣିଆ ନିକଟ ମହାନଦୀର ଗଭୀର ଜଳରେ ଦେଶୀ ଡ଼ଙ୍ଗାଟି ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା ।

ଡ଼ଙ୍ଗାଟି ବୁଡ଼ି ଯିବାରୁ ଏଥିରେ ଥିବା ସମସ୍ତ ଯାତ୍ରୀ ଗଭୀର ଜଳରେ ଭାସି ଯାଇଥିଲେ । ସୌଭାଗ୍ୟବଶତଃ ଏକ ମାଛଧରା ଡ଼ଙ୍ଗା ଏହି ଦୁର୍ଘଟଣାସ୍ଥଳୀ ନିକଟଦେଇ ଯାଉଥିବା ବେଳେ ଧୀବରମାନେ ପ୍ରାୟ ୩୦ ଜଣ ବ୍ୟକ୍ତିଙ୍କୁ ଗଭୀର ଜଳରୁ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର କରିପାରିଛନ୍ତି । ତେବେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଘଟଣାସ୍ଥଳରୁ ଓଡ୍ରାଫ ଟିମ, ଅଗ୍ନିଶମ ବିଭାଗ ତଥା ବନବିଭାଗର ମିଳିତ ଉଦ୍ୟମରେ ଅବଶିଷ୍ଟ ୮ ଜଣ ଯାତ୍ରୀଙ୍କ ଶବକୁ ମହାନଦୀର ଗଭୀର ଜଳରୁ ଉଦ୍ଧାର କରାଯାଇପାରିଛି ।

ଇତିମଧ୍ୟରେ ଘଟଣାସମ୍ପର୍କରେ ଖବରପାଇ ବନବିଭାଗ ପକ୍ଷରୁ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବ୍ଲକ ଅନ୍ତର୍ଗତ ବାଲିଘାଟ ନିକଟ ନେପଣିଆଠାରେ ଏହି ମର୍ମନ୍ତୁଦ ଡ଼ଙ୍ଗାବୁଡ଼ି ଦୁର୍ଘଟଣାରେ ସମୁଦାୟ ୯ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ମହିଳା ୭ ଜଣ ଶିଶୁ ଅନ୍ତର୍ଭୃକ୍ତ । ଗ୍ରାମବାସୀଙ୍କ ସୂଚନାରୁ ଜଣାପଡ଼ିଛି, ଯେଉଁ ୯ ଜଣ ଯାତ୍ରୀଙ୍କ ପ୍ରାଣହାନୀ ଘଟିଛି ସେମାନେ ହେଲେ – ପ୍ରଭାତୀ ସ୍ୱାଇଁ (୩୬), ଅନୁ ତରାଇ (୩୫), ଧୁନା ସାହୁ, ରୋଜିନା ସାହୁ, ବାବୁନି ସାହୁ, ଈଶାନ ଦଳେଇ, ଦେବସ୍ମିତା ପାଣି, ପିନୁ ସ୍ୱାଇଁ ଏବଂ ମିନୁ ସ୍ୱାଇଁ ।

Leave A Reply

Your email address will not be published.