Latest Odisha News

BREAKING NEWS

ଅନ୍ୟ କେଉଁ ଦଳରେ ମିଶିବା କଥା ଏଯାଏଁ ନିଷ୍ପତ୍ତି କରିନାହିଁ: ଦିଲ୍ଲୀପ ରାୟ

ଭୁବନେଶ୍ୱର: ପୂର୍ବତନ ବିଜେପି ନେତା ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଅନ୍ୟ କେଉଁ ଦଳରେ ମିଶିବେ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ନେଇପାରି ନାହାନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

“ମୁଁ ବିଜେପିରୁ ଇସ୍ତଫା ପ୍ରଦାନ କଲାପରେ ପ୍ରଥମଥର ଲାଗି ଏବେ ରାଉରକେଲାରେ ପହଞ୍ଚିଲି । ମୁଁ ଅନ୍ୟ କେଉଁ ଦଳରେ ଯୋଗଦାନ କରିବି ଏପର୍ଯ୍ୟନ୍ତ ନିଷ୍ପତ୍ତି କରିନାହିଁ । ମୁଁ ମୋ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସହିତ ଆଲୋଚନା କଲାପରେ ଯାଇ ନିଷ୍ପତ୍ତି ନେବି କେଉଁ ଦଳରେ ଯୋଗଦେବି, ଏବଂ ଯେଉଁ ଦଳରେ ଯୋଗଦେଲେ ସମଗ୍ର ରାଉରକେଲା ସହରର ସର୍ବାଙ୍ଗୀନ ଉନ୍ନତି ହେବା ସହିତ ଜନସାଧାରଣ ମଧ୍ୟ ଉପକୃତ ହୋଇପାରିବେ”, ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଦିଲ୍ଲୀପ ରାୟ ।

ସହଯୋଗୀ ବିଜୟ ମହାପାତ୍ରଙ୍କ ସହିତ ଏସମ୍ପର୍କରେ କି ନୂତନ ଦଳ ଗଠନ ନେଇ କୌଣସି କଥାବାର୍ତ୍ତା ହୋଇଛି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏନେଇ କୌଣସିି ଆଲୋଚନା ହୋଇନାହିଁ ।

ବରିଷ୍ଠ ନେତା ଦିଲ୍ଲୀପ ରାୟ ବିଜେପିରୁ ଗତବର୍ଷ ନଭେମ୍ବର ୩୦ ତାରିଖରେ ବିଧାନସଭା ବାଚସ୍ପତି ପ୍ରଦୀପ ଅମାତଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କଲା ପରେ ପରେ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯାଇଥିଲେ ।

ବିଜେପିରୁ ଇସ୍ତଫା ପ୍ରଦାନ କଲାପରେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । ତେବେ ସୂତ୍ରରୁ ପ୍ରକାଶ, ରାଉରକେଲାର ୨ଟି ମୁଖ୍ୟ ଦାବି ପୂରଣ ନହେବା ଯୋଗୁଁ ସେ କେନ୍ଦ୍ରୀୟ ତଥା ରାଜ୍ୟ ନେତୃବୃନ୍ଦଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ।

ରାଉରକେଲାରେ ୨ୟ ବ୍ରାହ୍ମଣୀ ସେତୁ ଏବଂ ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ)ର ନବୀକରଣ କରାଯାଇ ସୁପର ସ୍ପେଶାଲିଟି ହସ୍ପିଟାଲରେ ରୂପାନ୍ତରିକରଣ କରାଯିବାକୁ ଦିଲ୍ଲୀପ ବାରମ୍ବାର ଦାବି କରିଆସୁଥିଲେ । ରାଉରକେଲାର ଏହି ୨ ମୁଖ୍ୟ ଦାବି ପୂରଣ ହେବା ନେଇ କେନ୍ଦ୍ର ତଥା ରାଜ୍ୟ ଦଳୀୟ ନେତୃବୃନ୍ଦଙ୍କ ଉଦାସୀନତା ଯୋଗୁଁ ସେ ଅସନ୍ତୁଷ୍ଟ ଥିଲେ ।

Leave A Reply

Your email address will not be published.