କୋଲକତା: ପଶ୍ଚିମବଙ୍ଗ ବିଧାନସଭା ଆଗରୁ ଆସିଛି ବଡ ଅପଡେଟ୍ । ଭୋଟର ତାଲିକା ସମ୍ପର୍କରେ ଆସିଥିବା ତଥ୍ୟ ସମସ୍ତଙ୍କୁ ଦୋହଲାଇ ଦେଇଛି । ଭୋଟ ହେବା ଆଗରୁ ୯୦ ଲକ୍ଷରୁ ଅଧିକ ଭୋଟର ବାଦ ପଡିଛନ୍ତି । ଭୋଟ ହେବା ଆଗରୁ ଏକ ନୂତନ ଭୋଟର ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ସାରା ରାଜ୍ୟରୁ ୯୦ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ ଦିଆଯାଇଛି । ସ୍ୱଚ୍ଛ ଓ ସଠିକ ଭୋଟର ତାଲିକା ସୁନିଶ୍ଚିତ କରିବା ପାଇଁ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି ।
ଡୁପ୍ଲିକେଟ ନାଁ, ମୃତ ଭୋଟର କିମ୍ବା ସେମାନଙ୍କ ଠିକଣାରୁ ସ୍ଥାନାନ୍ତରିତ ହୋଇଥିବା ବ୍ୟକ୍ତିଙ୍କ ନାଁକୁ କଟାଯାଇଛି । ସ୍ୱଚ୍ଛତା ବୃଦ୍ଧି କରିବା ପାଇଁ ନିର୍ବାଚନ କମିଶନ ଏଭଳି ନିଷ୍ପତ୍ତି ନେଇଛନ୍ତି । ସେହିପରି ଜିଲ୍ଲାୱାରୀ ତଥ୍ୟ ମଧ୍ୟ ସାର୍ବଜନୀନ କରାଯାଇଛି । ଏହାଦ୍ୱାରା ଜିଲ୍ଲା ଅନୁସାରେ ତାଲିକାରେ ସହଜରେ ସେମାନେ ନାମ ଯାଞ୍ଚ କରିପାରବେ । ସରକାରଙ୍କ ସମ୍ପୁର୍ଣ୍ଣ ତାଲିକା ସରକାରୀ ପୋର୍ଟାଲରେ ଉପଲବ୍ଧ କରାଯାଇଛି ।
ସୂଚନା ଅନୁସାରେ, ୬୦ ଲକ୍ଷ ୬ ହଜାର ୬୭୫ ଭୋଟରଙ୍କ ଯାଞ୍ଚ ଚାଲିଛି । ସେଥିରୁ ୨୭ ଲକ୍ଷ ୧୬ ହଜାର ୩୯୩ ଜଣଙ୍କ ନାମ ବାଦ ଦିଆଯାଇଛି । ଫେବ୍ରୁଆରୀ ୨୮ ତାରିଖରେ ପ୍ରକାଶ ପାଇଥିବା ଚୂଡାନ୍ତ ତାଲିକାରେ ୬୩ ଲକ୍ଷ ୬୬ ହଜାର ୯୫୨ଜଣଙ୍କ ନାମ ବାଦ ଦିଆଯାଇଛି । ଏହାର ଅର୍ଥ ହେଉଛି ୯୦ ଲକ୍ଷରୁ ଅଧିକ ନାମ ଚଳିତ ଭୋଟ ଆଗରୁ ବାଦ ଦିଆଯାଇଛି । କୁଚବିହାର, ଉତ୍ତର ଦିନାଜପୁର, ମାଲଦା, ମୁର୍ଶିଦାବାଦ, ନଦିଆ, ଉତ୍ତର ଏବଂ ଦକ୍ଷିଣ ୨୪ ପ୍ରଗଣାରେ ସର୍ବାଧିକ ସଂଖ୍ୟାରେ ଭୋଟରଙ୍କ ନାଁ ବାଦ ଦିଆଯାଇଛି ।
ତେବେ ଏହି ଭୋଟରଙ୍କ ନାମ କଟିବା ପରେ କିଛି ନେତାଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଗତ କିଛିଦିନ ହେଲା ପଶ୍ଚିମବଙ୍ଗରେ ଭୋଟକୁ ନେଇ ଚର୍ଚ୍ଚା ଚାଲିଛି । ପୁଣିଥରେ ଦିଦି ବାଜିମାତ କରିବେ ନା ବିରୋଧୀ ବିଜେପି ଶାସନ କରିବ ତାକୁ ନେଇ ଆଲୋଚନା ହେଉଛି । ଗତ ୫ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ଅନେକ ଘଟଣା ଦୁର୍ଘଟଣା ଘଟିଛି ।
ଆର.ଜିକର ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ଘଟଣା ବେସ ଚର୍ଚ୍ଚାରେ ରହିଥିଲା । ଆଉ ସାରା ଦେଶରେ ଏହି ଘଟଣା ପ୍ରଭାବ ପକାଇଥିଲା । ସେହିପରି ଅନେକ ଜନହିତକର କାମ ମଧ୍ୟ ଏହି ୫ ବର୍ଷ ମଧ୍ୟରେ ହୋଇଛି । ତେବେ ପଶ୍ଚିମବଙ୍ଗ ଜନତା ପୁଣିଥରେ ମମତାଙ୍କୁ ଭୋଟ ଦେଉଛନ୍ତି ନା ବିକଳ୍ପ ଚିନ୍ତା କରୁଛନ୍ତି ତାହା ଆଗାମୀ ଦିନରେ ହିଁ ଜଣାପଡିବ ।