Latest Odisha News

BREAKING NEWS

[ଭିଡ଼ିଓ]୯ବର୍ଷ ବାଳକର ଚିକିତ୍ସା ପାଇଁ ସାହା ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼

ରାଜଗାଙ୍ଗପୁର: ପୁଅର ଚିକିତ୍ସା ପାଇଁ ଘରୋଇ ଓ ସରକାରୀ ଡ଼ାକ୍ତରଖାନାକୁ ବାରମ୍ବାର ଦୌଡ଼ୁଥିଲେ ପିତା । ଡ଼ାକ୍ତର ଅସ୍ତ୍ରୋପ୍ରଚାର ପାଇଁ କହିଥିଲେ । ଅସ୍ତ୍ରୋପ୍ରଚାର ପାଇଁ ଟଙ୍କା ନଥିବାରୁ ପୁରା ପରିବାର ଚିନ୍ତାରେ ପଡ଼ିଥିଲେ । ଶେଷରେ ୯ବର୍ଷ ବାଳକର ସାହା ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼ । ଏହି ଯୋଜନାରେ ମାଗଣା ଅସ୍ତ୍ରୋପ୍ରଚାର କରାଯାଇ ସୁନୀଲର ଭଙ୍ଗା ହାତ ଯୋଡ଼ାଯାଇପାରିଛି । ଏହାକୁ ନେଇ ପୁରା ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରାଜଗାଙ୍ଗପୁର ବ୍ଲକ ମାଣ୍ଡିଆକୁଦର ଗାଁର କୁମ୍ଭାରପଡ଼ାରେ ଭୋଳା ଖଣ୍ଡାରିଆ ଘର । ପରିବାର କହିଲେ ବୁଢ଼ା ବାପା, ମା, ସ୍ତ୍ରୀ ଓ ଚାରି ପିଲା । ମାଟି ତିଆରି ଜିନିଷ ବିକ୍ରି କରୁଥିଲେ । କିନ୍ତୁ କରୋନା ମହାମାରୀ ଯୋଗୁଁ ଭଲ ବ୍ୟବସାୟ ନହେବାରୁ ଶେଷରେ ଦିନ ମଜୁରିଆଭାବେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ଦେଢ଼ ମାସ ତଳେ ୯ବର୍ଷର ପୁଅ ସୁନୀଲ ସାଙ୍ଗସାଥି ସହ ଖେଳୁଥିବାବେଳେ ଗଛରୁ ପଡ଼ିଯାଇଥିଲେ । ଫଳରେ ବାମ ହାତର ହାଡ଼ ଭାଙ୍ଗି ବାହାରକୁ ଦେଖା ଯାଉଥିଲା ।

ଚିକିତ୍ସା ପାଇଁ ପୂର୍ବରୁ ଧାରକରଜ କରି ୩୦ରୁ ୪୯ ହଜାର ଟଙ୍କା ଖର୍ଚ୍ଚ କରିସାରିଥିଲେ । ପାଖରେ ଆଉ ଟଙ୍କା ନଥିଲା । ଏପଟେ ପୁଅର ହାତ ମଧ୍ୟ ଅଧିକରୁ ଅଧିକ ଜଟିଳ ହେବାରେ ଲାଗିଥିଲା । କାଂଶବାହାଲ ଅଞ୍ଚଳର ଜଣେ ଯୁବ ସମାଜସେବୀ ଜ୍ୟୋତି ରଞ୍ଜନ ନାୟକ ସମସ୍ୟା ସମ୍ପର୍କରେ ଜାଣିଥିଲେ ।

ପରେ ସେ ରାଉରକେଲା ହାଇଟେକ ହସ୍ପିଟାଲ ଅସ୍ଥି ଶଲ୍ୟ ବିଭାଗର ସହାୟକ ପ୍ରଫେସର ଡ଼ଃ ଅରୁଣ ନାୟକଙ୍କ ସହ ଆଲୋଚନା କରିଥିଲେ । ଗତ ମାସ ୨୭ତାରିଖରେ ଅସ୍ତ୍ରୋପ୍ରଚାର ପାଇଁ ସୁନୀଲକୁ ଭର୍ତ୍ତି କରାଯାଇଥିଲା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କର ଅସ୍ତ୍ରୋପ୍ରଚାର କରିବା ପରେ ସୁନୀଲର ଭଙ୍ଗା ହାତ ଯୋଡ଼ା ଯାଇଛି । ଏବେ ସୁନୀଲ ସୁସ୍ଥ ଥିବା ପିତା କହିଛନ୍ତି ।

Leave A Reply

Your email address will not be published.