Latest Odisha News

ସରକାରୀ ଇଚ୍ଛାଧୀନ କୋଟାରେ ୯୩ ଆବଣ୍ଟନ ବାତିଲ, ୭୯ ଜଣଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର: ୧୯୯୬ ମସିହାରୁ ଇଚ୍ଛାଧିନ କୋଟାରେ ଆବଣ୍ଟିତ ପ୍ଲଟ୍ ଘର ଓ କୋଠାକୁ ବାତିଲ କରାଯାଇଛି। ଏହି ମାମଲାରେ ମୋଟ ୭୯ ଜଣଙ୍କର ମାମଲା ହୋଇଛି। ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏନେଇ ପ୍ରଶ୍ନ କରିଥିଲେ। ଇଚ୍ଛାଧୀନ କୋଟାରେ ପ୍ଲଟ୍‌ ଓ ଘର ଆବଣ୍ଟନ ସଂକ୍ରାନ୍ତରେ ତାରା ଦତ୍ତ କମିଟି ଆଧାରରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଲିଖିତ  ଭାବେ ପ୍ରଶ୍ନ କରିଥିଲେ ନରସିଂହ। ଯାହାର ଉତ୍ତର ରଖି ଉଷା ଦେବୀ କହିଛନ୍ତି ଯେ ୨୦୧୫ ମସିହାରେ ରାଜ୍ୟ କ୍ୟାବିନେଟ ଟାସ୍କ ଫୋର୍ସ ରିପୋର୍ଟକୁ ସରକାର ଅନୁମୋଦନ କରିଛନ୍ତି।

ରିପୋର୍ଟ ଆଧାରରେ ବିଡିଏ, ସିଡିଏ ଓ ଓଏସ୍‌ଏଚ୍‌ବି ୧୯୯୫ ମସିହାରୁ ଇଚ୍ଛାଧୀନ କୋଟାରେ ଆବଣ୍ଟିତ ପ୍ଲଟ୍‌-ଘର-ଫ୍ଲାଟ୍‌କୁ ବାତିଲ କରାଯାଇଛି। ରିପୋର୍ଟ ଅନୁସାରେ ବିଡିଏ, ସିଡିଏ ଓ ଓଏସ୍‌ଏଚ୍‌ବିରେ ୧୭୭୬ଟି  ଘର ଓ ପ୍ଲାଟ୍‌ ଆବଣ୍ଟନ ହୋଇଥିଲା। ସେଥିମଧ୍ୟରୁ ୯୩ ଟି ବାତିଲ କରାଯାଇଛି। ଏହି ଘଟଣାରେ ୭୯ଜଣଙ୍କ ବିରୋଧରେ ଭିଜିଲାନ୍‌ସ ତଦନ୍ତ ହେବା ପରେ ଅପରାଧିକ ମାମଲା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ବିଡିଏ ଦ୍ୱାରା ୮୦୩ଟି ଆବଣ୍ଟନରୁ ୪୮, ସିଡିଏ ଦ୍ୱାରା ହୋଇଛି। ସେହିପରି ୯୨୧ଟି ଆବଣ୍ଟନରୁ ୩୫ ଓ ଓଏସ୍‌ଏଚ୍‌ବି ଦ୍ୱାରା ହୋଇଛି। ଏଥିରେ ୫୨ଟି ରୁ ୧୦ଟି ରଦ୍ଦ କରାଯାଇଛି।

ଭିଜିଲାନ୍‌ସ ଦ୍ୱାରା ତଦନ୍ତ ପରେ ବିଡିଏରେ ୨୪, ସିଡିଏରେ ୨୯ ଓ ଓଏସ୍‌ଏଚ୍‌ବିର ୨୬ଟି ଅପରାଧିକ ମାମଲା ରୁଜୁ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

କେଉଁମାନଙ୍କର ଘର ଓ ଫ୍ଲାଟ୍ ବୈଧ ରହିବ ସେ ନେଇ ମନ୍ତ୍ରୀ କହିଛନ୍ତି ଯେ ହାଇକୋର୍ଟରେ ମାମଲା ଓ ରାଜ୍ୟ ଆଡଭୋକେଟ ଜେନେରାଲଙ୍କ ପରାମର୍ଶରେ ରାଜ୍ୟ ସରକାର ଇଚ୍ଛାଧୀନ କୋଟାରେ ଯେଉଁମାନେ ଗୋଟିଏ ପ୍ଲଟ୍‌-ଘର କିମ୍ବା ଫ୍ଲାଟ୍‌ ନେଇଥିବେ ସେମାନଙ୍କର ଆବଣ୍ଟନ ବୈଧ ରହିବ। ଫଳରେ ଇଚ୍ଛାଧୀନ କୋଟାରେ ନିଧାରିତ ପ୍ରାବଧାନ ଅନୁସାରେ ଯେଉଁମାନେ ଗୋଟିଏ ପ୍ଲଟ୍‌-ଘର କିମ୍ବା ଫ୍ଲାଟ୍ ନେଇଥିବେ ସେମାନଙ୍କର ଆବଣ୍ଟନ ରଦ୍ଦ ହେବ ନାହିଁ ଓ ଏହି ଆବଣ୍ଟନର ହକଦାର ମଧ୍ୟ ସେମାନଙ୍କର ଉତ୍ତରାଧିକାରୀ ରହିବେ।

ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତବର୍ଷ ଡିସେମ୍ବର ୮ ତାରିଖରେ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Comments are closed.