Latest Odisha News

ଝାରପଡ଼ା ଜେଲରେ କଏଦୀ ଓ କର୍ମଚାରୀଙ୍କୁ ମିଶାଇ ୯୬ ଜଣଙ୍କୁ କରୋନା

ଭୁବନେଶ୍ୱର: ଜେଲରେ ବ୍ୟାପୁଛି କରୋନା । ଝାରପଡ଼ା ସ୍ୱତନ୍ତ୍ର ଜେଲରେ କଏଦୀ ଓ କର୍ମଚାରୀଙ୍କୁ ମିଶାଇ ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଝାରପଡ଼େ ଜେଲରେ ୧୯୫ ଜଣ ଅନ୍ତେବାସୀ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା । ସେଥିମଧ୍ୟରୁ ୯୬ ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । କରୋନା ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଲ୍ ଗୁଡ଼ିକରେ ଇ-ମୁଲାକାତ ବ୍ୟବସ୍ଥା ଆରମ୍ଭ ପାଇଁ ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ସମସ୍ତ ଜେଲ୍ ସୁପରିଟେଣ୍ଡଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜେଲ୍ ଭିତରେ ସଂକ୍ରମଣ ଯେଭଳି ନ ବ୍ୟାପିବ ସେଥିପ୍ରତି ପଦକ୍ଷେପ ନେବାକୁ କୁହାଯାଇଛି । ଉଚ୍ଚକ୍ଷମତା ସମ୍ପନ୍ନ କମିଟିର ନିର୍ଦ୍ଦେଶକ୍ରମେ ଜେଲରେ ବିଚାରଧୀନ କଏଦୀ ଭାବେ ଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ, ଗମ୍ଭୀର ରୋଗରେ ଆକ୍ରାନ୍ତ, ୭ ବର୍ଷରୁ ଅଧିକ ସଜ୍ଜା କାଟିଥିଲେ ପାରୋଲ କିମ୍ବା ବେଲରେ ଯିବାକୁ ଦିଆଯିବ ।

ଅନ୍ୟପଟେ ସଂକ୍ରମଣ ମାମଲାକୁ ଦେଖି ଜେଲରେ କଏଦୀ ଓ କର୍ମଚାରୀଙ୍କୁ ଡବଲ ମାସ୍କ ପିନ୍ଧିବାକୁ ଚୌଦ୍ୱାର ଜେଲର ନୋଡାଳ ଅଫିସର କହିଛନ୍ତି । ବାରମ୍ବାର ହାତ ସଫା କରିବା ସହ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ଜେଲର କ୍ୟାଣ୍ଟିନ୍, ଟେଲିଫୋନ୍ ବୁଥରେ ଏକାଠି ନହେବାକୁ କୁହାଯାଇଛି । ଜେଲରେ କେହି ଅସୁସ୍ଥ ହୋଇ ପଡ଼ିଲେ ସୁପରିଟେଣ୍ଡେଣ୍ଟ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରିପାରିବେ । ଭର୍ଚ୍ଚୁଆଲରେ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି ।

Leave A Reply

Your email address will not be published.