Latest Odisha News

BREAKING NEWS

ଅନ୍‌ଲାଇନ୍ ଜୁଆ ଭସାଇନେଲା ସୁନାର ସଂସାର !

ତାମିଲନାଡୁ: ମୋବାଇଲ ଦୋକାନକୁ ନେଇ ଖୁସୀଖୁସୀ ଚାଲୁଥିଲା ସଂସାର ଗାଡି । ବ୍ୟବସାୟ ସହ ମାନସିକ ସ୍ଥିତି ବି ଭଲ ଥିଲା । ହେଲେ ହଠାତ୍ ବନ୍ଧୁ ଓ ଅନଲାଇନ୍ ଜୁଆ ରୂପରେ ଜୀବନରେ ମାଡିଆସିଥିଲା ଅନ୍ଧାରୁଆ ମେଘ । ଆଉ ତା ପରେ ଜୁଆରେ ଲିଭିଗଲା ଜୀବନ ଦୀପ ।

ରବିବାର ପୁଡୁଚେରୀର ବିଜୟକୁମାର ନାମକ ଜଣେ ବ୍ୟକ୍ତିଙ୍କର ମୃତଦେହ ମିଳିଥିଲା । ତଦନ୍ତରୁ ଜଣାପଡିଥିଲା ସେ ଆତ୍ମହତ୍ୟା କରିଥିଲେ । ତେବେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ଅଡିଓ ରେକର୍ଡ କରି ସ୍ତ୍ରୀକୁ ପଠାଇଥିଲେ । ଯାହାକୁ ଶୁଣିବା ପରେ ସାମ୍ନାକୁ ଆସିଥିଲା ଏକ ଅବିଶ୍ୱସନୀୟ ଘଟଣାର ପ୍ରଛଦପଟ୍ଟ କାହାଣୀ ।

ବିଜୟକୁମାର, ପେଶାରେ ଥିଲେ ଜଣେ ସଫଳ ମୋବାଇଲ ଦୋକାନୀ । ଶିଶୁପୁତ୍ର ଓ ସ୍ତ୍ରୀକୁ ନେଇ ହସଖୁସୀରେ ଚଳିଯାଉଥିଲେ । ତେବେ ବନ୍ଧୁମାନଙ୍କ କଥାରେ ପଡି ଧୀରେଧୀରେ ଅନ୍‌ଲାଇନ୍ ଗେମିଂ ଦୁନିଆରେ ପାଦ ଥାପିଥିଲେ । ଅନ୍‌ଲାଇନ୍ ଗେମ୍ ତଥା ଜୁଆ ନିଶାରେ ବିଜୟ ଏତେଦୂର ମସଗୁଲ ହୋଇଯାଇଥିଲେ ଯେ, ତିନୋଟି ଆଇଡି ଜରିଆରେ ସେ ୨୫ ଲକ୍ଷ ଭଳି ମୋଟା ଅଙ୍କର ଟଙ୍କା ହାରି ସାରିଥିଲେ ।

ହାତରୁ ଲକ୍ଷାଧିକ ଟଙ୍କା ହରାଇଥିଲେ ବି ବିଜୟ ଅନ୍‌ଲାଇନ୍ ଗେମିଂ ନିଶାରୁ ନିଜକୁ ମୁକୁଳାଇ ପାରିନଥିଲେ । ସେ ଅଡିଓରେ ଏପରି ବି କହିଥିଲେ ଯେ, “ଦିନରାତି ଅନଲାଇନ୍ ଗେମିଂରେ ସେ ବୁଡି ରହୁଥିଲେ । ୩୦ ହଜାର ଟଙ୍କା ଜିତିବା ପାଇଁ ତାଙ୍କୁ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ତଥାପି ସେ ଏହି ଚକ୍ରବ୍ୟୁହରୁ ବାହାରିପାରିନଥିଲେ”

ଅଡିଓଟିକୁ ବହୁଳ ମାତ୍ରାରେ ସେୟାର କରିବା ସେ ନିଜ ସ୍ତ୍ରୀକୁ କହିଥିଲେ । ତା ଛଡା ଏପରି ଗୋଲକଧନ୍ଦାରେ ନ ପଶିବା ପାଇଁ ସମସ୍ତଙ୍କୁ ଅନୁରୋଧ ମଧ୍ୟ କରିଥିଲେ । ହଠାତ୍ ବିଜୟ ନିଖୋଜ ହୋଇଯିବା ପରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ଏତଲା ପାଇ ଖୋଜାଖୋଜି ଆରମ୍ଭ କରିଥିଲା । ଶେଷରେ ରବିବାର ଦିନ କୋରକାଡୁ ପୋଲିସ ତାଙ୍କ ମୃତଦେହକୁ ଠାବ କରିବାରେ ସଫଳ ହୋଇଥିଲା ।

Leave A Reply

Your email address will not be published.