ଭିକାରୀ ବଳ ଥିଲେ ଭକ୍ତି ସଂଗୀତର ସମ୍ରାଟ। ସେ ଶତାଧିକ ଭଜନ ଓ ଜଣାଣ ଗାନ କରିଛନ୍ତି। ୨୫ ମେ ୧୯୨୯ରେ, କେନ୍ଦ୍ରାପଡ଼ା ଅନ୍ତର୍ଗତ ସୋବଳା ଗ୍ରାମରେ, ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ ଭିକାରୀ ବଳ। ପିତା ଓ ମାତାଙ୍କ ନାମ ଥିଲା- ରାମଚନ୍ଦ୍ର ବଳ ଏବଂ ଗେହ୍ଲାରାଣୀ ଦେବୀ। ଗେହ୍ଲାରାଣୀ ଏକାଧିକ ସନ୍ତାନଙ୍କୁ ଜନ୍ମ ଦେଇଥିଲେ ହେଁ କେହି ବଞ୍ଚି ନ ଥିଲେ। ତେଣୁ, ପ୍ରଚଳିତ ଅନ୍ଧବିଶ୍ୱାସ ଅନୁଯାୟୀ ଭିକାରୀଙ୍କୁ ଭିନ୍ନ ଜାତିରେ ବିକ୍ରି କରି, ପୁଣି କିଣାଯାଇଥିଲା।
ଛୋଟ ବେଳୁ ସେ ତାଙ୍କ ପିତା ଓ ମାତାଙ୍କୁ ହରାଇଥିଲେ। ତାଙ୍କର ସମସ୍ତ ଦାୟିତ୍ୱ ବହନ କରିଥିଲେ ବଡ଼ ଭାଇ ଧନେଶ୍ୱର। କୃଷ୍ଣଚନ୍ଦ୍ର ସାହୁ ଥିଲେ ଭିକରୀ ବଳଙ୍କ ପ୍ରଥମ ଗୁରୁ। ସେ ପରିସ୍ଥିତିରେ ପଡ଼ି ଗ୍ରାମ ଛାଡ଼ିଥିଲେ ଏବଂ କଟକକୁ କର୍ମ-ସ୍ଥଳୀ ଭାବେ ବାଛିଥିଲେ। ସେ ଥିଲେ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ। ଶ୍ରୀମନ୍ଦିରରେ ଚାମର ସେବାର ସୁଯୋଗ ତାଙ୍କୁ ମିଳିଥିଲା। ଏକଦା ପୁରସ୍କାର ଭାବେ ପାଇଥିବା ଏକ ଲକ୍ଷ ଟଙ୍କା ଶ୍ରୀଜଗନ୍ନାଥ ମନ୍ଦିରକୁ ଦାନ କରିଦେଇଥିଲେ। ନିଜ ଉପାର୍ଜିକ ଅର୍ଥରେ ଚୌଦ୍ୱାରରେ ଏକ ଜଗନ୍ନାଥ ମନ୍ଦିର ତୋଳାଇଥିଲେ।
ଅନେକ ମଠ, ମନ୍ଦିର, ଆଧ୍ୟାତ୍ମିକ ଅନୁଷ୍ଠାନ ସହ ସେ ସଂପୃକ୍ତ ଥିଲେ। ଜୀବନର ଅର୍ଦ୍ଧାଧିକ ସମୟ କଟିଥିଲା ବିଭିନ୍ନ ଧର୍ମାନୁଷ୍ଠାନରେ। କାର୍ତ୍ତିକ ମାସ, ତାଙ୍କର ପ୍ରିୟ ଥିଲା। ଏ ମାସ ସଂପର୍କରେ ଗୀତଟିଏ ଲେଖିଥିଲେ- ‘ମହା କାର୍ତ୍ତିକର ଏଇ ରାତି, ଉଜାଗରେ ରହି ଯାଉ ବିତି; ମନେ ମୋର ଆଉ ନାହିଁ ଭୀତି, ତୁଣ୍ତେ ମୁଁ ଗାଉଛି ତା’ର ଗୀତି। ଆ କା ମା’ ବୈ- ପାନ ଗୁଆ ଥୋଇ, ମୋ ଜୀବନ ନାଆ ଯାଉ ଭାସି।’ ୨୦୧୦ରେ କାର୍ତ୍ତିକ ମାସ ବଡ଼ ଏକାଦଶୀରେ ତାଙ୍କର ଜୀବନ ଦୀପ ଲିଭିଯାଇଥିଲା ଅର୍ଥାତ୍ ୨ ନଭେମ୍ବର ୨୦୧୦ରେ ତାଙ୍କର ପରଲୋକ ହୋଇଥିଲା।
Comments are closed.