Latest Odisha News

ଶିଖିବା କ’ଣ ଏତେ ଜରୁରୀ

ଯୁଗ ହେଉଛି ଇଣ୍ଟରନେଟ୍‌ର । ଇଣ୍ଟରନେଟ୍‌ର ସାଙ୍ଗରେ ଆମକୁ ମଧ୍ୟ ତାଳ ମିଳେଇ ଚାଲିବାକୁ ପଡ଼ୁଛି ଏବେ । ପରିସ୍ଥିତି ଏମିତି ହୋଇପଡ଼ିଛି ଯେ ବିନା ଇଣ୍ଟରନେଟ୍‌ରେ ଏବେ ବହୁତ କିଛି କରିବା ଅସମ୍ଭବ ହୋଇପଡ଼ୁଛି । ଠିକ୍ ଅଛି ଡିଜିଟାଲ୍ ଆମେ ଯେତେ ସଶକ୍ତ ହେବା ସେତେ ଭଲ ଆମ ନିଜ ପାଇଁ । କିନ୍ତୁ ବେଳେବେଳେ ଏହା ପିଲାଙ୍କ ପାଇଁ ଯମା ବି ପ୍ରଚୁର୍ଯ୍ୟ ନୁହେଁ । ଏବେ ଇ-ପାଠପଢା ସବୁଆଡ଼େ ଚାଲିଛି । ନର୍ସରୀରୁ ପିଲାଟିଏ ଆରମ୍ଭ କରି ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ଏବେ ଅନ୍‌ଲାଇନ୍ ମାଧ୍ୟମରେ ପରୀକ୍ଷା ଦେଉଛନ୍ତି ।

ପାଠପଢା, ପରୀକ୍ଷା ଏସବୁ ପର୍ଯ୍ୟନ୍ତ ଠିକ୍ ଅଛି, କିନ୍ତୁ କେତେକ ଜାଗାରେ ଯଦି ଦେଖିବା ଏବେ ଆମେ ଏକଦମ୍ ଛୋଟ ଛୋଟ ପିଲାଙ୍କୁ ଇଣ୍ଟରନେଟ୍‌ରେ କେଉଁଭଳି ଭାବରେ ଅଭିଭାବକମାନେ କୋଡିଂ ଶିଖେଇବା ପାଇଁ କୋଚିଂ ଦେଉଛନ୍ତି । ୧୩ କି ୧୪ ବର୍ଷ ବୟସର ପିଲାଙ୍କ ପାଇଁ ଠିକ୍ ଅଛି । ଯେଉଁମାନେ କି ଅନ୍‌ଲାଇନ୍ ପାଠପଢାରେ ଅଭ୍ୟସ୍ତ ହୋଇ ଏ ପ୍ରକାର ଶିଖିବାର କୌଶଳକୁ ଟିକିଏ ସହଜରେ ଆପଣେଇ ପାରିବେ । କିନ୍ତୁ ପ୍ରଶ୍ନ ଆସେ ମନରେ କେମିତି ୬ କି ୭ ବର୍ଷ ବୟସର ପିଲାଟିଏ ଏ ପ୍ରକାର କୋଡିଂ ଶିଖିବାର ପଦ୍ଧତିକୁ ଆପଣେଇ ପାରିବ, ଏହା କ’ଣ ସମ୍ଭବ ? ଯଦି ସମ୍ଭବ କେମିତି ତା’ହେଲେ, ଆମେ କେଉଁଠି ନାଁ କେଉଁଠି ଏଇ ପ୍ରକାର ନିଜର ଇଚ୍ଛାକୁ ପିଲାଙ୍କ ଉପରେ ଲଦି ଦେଇଛେ କି ? ଯଦି ଏଇଭଳି କିଛି ପ୍ରଶ୍ନ ଆସିବ ତା’ହେଲେ ଉତ୍ତର ଆସିବ ହଁ । ୬ ରୁ ୮ ବର୍ଷ ଯେଉଁଠି ପିଲାଟିକୁ ଆମେ ହସଖୁସିରେ ଖେଳିବା ପରିବର୍ତ୍ତେ ଆମେ ଏବେ ଏହିଭଳି ହସଖୁସିରେ ତାକୁ ଏମିତି ଜିନିଷରେ ବାନ୍ଧିଦେଉଛେ । ବୁଝିବାକୁ ବି ଚେଷ୍ଟା କରୁନେ ସତରେ କେମିତି ଏତେ ଛୋଟ ପିଲାଯିଏ ସବୁ କଥାକୁ ସମ୍ଭାଳିବେ ।

ବାପା ମାଆ ହିସାବରେ ସବୁ ଜିନିଷ ଆମେ ତାକୁ ଯୋଗଡ଼ି ଦେଉଛେ ସତ । ଆମ ପିଲା ତ ୭ ବର୍ଷ ବୟସ ପରା ମାତ୍ର, କିନ୍ତୁ ସେ ଯେ କୋଡିଂ ଶିଖୁଛି ବୋଲି ମିଛ ଗର୍ବ ଅହମିକାରେ ବାହାରେ ଫାଟି ପଡୁଛେ । କିନ୍ତୁ କେତେ ଯେ ପରୋକ୍ଷରେ ଆମେ ତା’ ପ୍ରତି ଅନ୍ୟାୟ କରୁଛେ, ତା’ର ଆକଳନ କରିପାରୁନେ । ଇଣ୍ଟରନେଟ୍‌କୁ ସାଙ୍ଗରେ ଧରି ଆମକୁ ଚାଲିବାକୁ ପଡ଼ିବ ସତ କିନ୍ତୁ ଏତେ ଛୋଟ ଛୁଆଙ୍କୁ ତା’ ଭିତରେ ବାନ୍ଧିଦେଇ ଆମେ ତାଙ୍କର କୋମଳ ଶୈଶବକୁ ଯେ କେତେ ଜୋର୍‌ରେ କୁଠାରଘାତ କରୁଛେ ତା’ର ଭାବିବାର ଏବେ ହେଉଛି ପ୍ରକୃଷ୍ଟ ସମୟ । ଏତେ କମ୍ ବୟସରେ କୋଡିଂ ଶିଖିବା କ’ଣ ଏତେ ଜରୁରୀ ? ପ୍ରଶ୍ନଟିକୁ ଯଦି ବାରମ୍ବାର ନିଜକୁ ପଚାରିବା ତା’ହେଲେ ସଠିକ୍ ଉତ୍ତର ମିଳିବାରେ ନିଶ୍ଚୟ ସାହାଯ୍ୟ ହେବ ।

Leave A Reply

Your email address will not be published.