Latest Odisha News

ଉତ୍କଳ କେଶରୀ ହର‌େକୃଷ୍ଣ ମହତାବଙ୍କ ଜନ୍ମଜୟନ୍ତୀ; ଜାଣନ୍ତୁ ତାଙ୍କର ଜୀବନୀ ସମ୍ପର୍କର‌େ

ଭୁବନେଶ୍ବରର: ଉତ୍କଳ କେଶରୀ ହର‌େକୃଷ୍ଣ ମହତାବଙ୍କୁ କିଏବା ନଜାଣେ। ସେ ହେଉଛନ୍ତି ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ।

ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଆଗରପଡ଼ାରେ ୧୮୯୮ ମସିହା ନଭେମ୍ବର ୨୧ରେ ସେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନୀ ସମ୍ପର୍କରେ କିଛି…

ଡ. ହରେକୃଷ୍ଣ ମହତାବ ଏକାଧାରରେ ଜଣେ ରାଷ୍ଟ୍ରନୀତିଜ୍ଞ, ଚିନ୍ତାନାୟକ, ସଂଗଠକ, ଐତିହାସିକ, ଗବେଷକ, ସାମ୍ବାଦିକ ଏବଂ ଲେଖକ ମଧ୍ୟ ଥିଲ‌େ।

ସେ ପ୍ରଥମ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରଥମ ଓଡ଼ିଆ ରାଜ୍ୟପାଳ ଭାବେ ବେଶ୍ ଜଣାଶୁଣା ମଧ୍ୟ ଥିଲେ। ଆଗରପଡ଼ାରେ ଜନ୍ମିତ ହରେକୃଷ୍ଣଙ୍କ ପିତାଙ୍କ ନାମ କୃଷ୍ଣଚରଣ ଦାସ ଏବଂ ମାତାଙ୍କ ନାମ ତୋହଫା ବିବି। ଯିଏକି ଆଗରପଡ଼ା ଜମିଦାର ଜଗନ୍ନାଥ ମହତାବଙ୍କ କନ୍ୟା।

ଜଗନ୍ନାଥଙ୍କର କୌଣସି ପୁତ୍ର ସନ୍ତାନ ନଥିବାରୁ ସେ ହରେକୃଷ୍ଣଙ୍କୁ ପୌଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ; ଯାହାପରେ ହରେକୃଷ୍ଣଙ୍କର ସାଙ୍ଗିଆ ଦାସ ବଦଳରେ ମହତାବ ହୋଇଯାଇଥିଲା।

ଗାଁ ସ୍କୁଲରେ ପାଠପଢ଼ା ସାରି ଭଦ୍ରକ ହାଇସ୍କୁଲରେ ଅଧ୍ୟୟନ କଲେ ମହତାବ। ପରେ ରେଭେନ୍ସା କଲେଜରେ ଅଧ୍ୟୟନ ସମୟରେ ସ୍ୱାଧୀନତା ସଂଗ୍ରାମ ସଂସ୍ପର୍ଶ‌‌ରେ ଆସିଥି‌ଲେ। ନିଖିଳ ଭାରତ କଂଗ୍ରେସ୍ କମିଟି ଅଧିବେଶନରେ ଯୋଗଦେଇ ମହାତ୍ମାଗାନ୍ଧୀ, ଲାଲା ଲଜପତ ରାୟ, ମୋତିଲାଲ୍ ନେହରୁ ଭଳି ସଂଗ୍ରାମୀଙ୍କ ସଂସ୍ପର୍ଶରେ ଆସିଥିଲେ।

ଦେଶ ସ୍ୱାଧୀନ ହେବା ପୂର୍ବରୁ ଯେଉଁ ଦୁଇଟି ପ୍ରାଦେଶିକ ବିଧାନସଭା ନିର୍ବାଚନ ହୋଇଥିଲା ସେଥିରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ମହତାବ । ନିର୍ବାଚନ ପରେ ଡକ୍ଟର ମହତାବଙ୍କ ନେତୃତ୍ୱରେ ଏକ ଦୃଢ଼ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠିତ ହୋଇଥିଲା ।

୧୯୪୬ ଏପ୍ରିଲ୍ ୨୩ରୁ ୧୯୫୦ ଜାନୁଆରୀ ୨୬ ଯାଏ ଓଡ଼ିଶାର ପ୍ରଧାନମନ୍ତ୍ରୀ ଏବଂ ଏହା ପରଠାରୁ ୧୯୫୦ ମେ ୧୨ ଯାଏ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶା ଶାସନ କରିଥିଲେ । ଏହି ଚାରି ବର୍ଷ ଭିତରେ ଭୁବନେଶ୍ୱରରେ ରାଜଧାନୀ ସହର ପ୍ରତିଷ୍ଠା, ଗଡ଼ଜାତ ରାଜ୍ୟଗୁଡ଼ିକର ଓଡ଼ିଶା ସହ ମିଶ୍ରଣ, ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା ଆଦି ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ‌ସ‌େ।

ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀ ତାଙ୍କ ଉଦ୍ୟମରେ ପ୍ରତିଷ୍ଠିତ ହୋଇଥିଲା । ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ ଗଠନ କରିବା ସହିତ ଦୈନିକ ‘ପ୍ରଜାତନ୍ତ୍ର’ ଏବଂ ସାହିତ୍ୟ ପତ୍ରିକା ‘ଝଙ୍କାର’ ପ୍ରକାଶନର ପ୍ରଶଂସନୀୟ ଉଦ୍ୟମ ସେ କରିଥିଲେ ।

ସେହିପରି କଳିଙ୍ଗ ଜିମ୍ନାସିୟମ୍, ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍, ବାରବାଟୀ ଷ୍ଟାଡିୟମ୍ ଆଦି ତାଙ୍କ ନିଷ୍ଠାପର ଉଦ୍ୟମର ଫଳଶ୍ରୁତି ।

Leave A Reply

Your email address will not be published.