ମହାପ୍ରଭୁଙ୍କ ଦିବ୍ୟ ନାଗାର୍ଜୁନ ବେଶ ଦୀର୍ଘ ୨୬ ବର୍ଷ ପରେ ଶୁକ୍ରବାର ମଳ ଦ୍ବାଦଶୀ ତିଥିରେ ଅନୁଷ୍ଠିତ ହେବାକୁ ଯାଉଛି ।
ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ପାଞ୍ଚ ଦିନ ନ ହୋଇ ଛଅ ଦିନ ହୁଏ, ସେହି ମଳ ତିଥିରେ ଠାକୁର ମାନଙ୍କ ନାଗାର୍ଜୁନ ବେଶ ହୁଏ।ପୌରାଣିକ ତଥ୍ଯ ଅନୁଯାୟୀ, ପର୍ଶୁରାମଙ୍କ ସହସ୍ରାର୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ୟରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ବରୂପ ଏହି ବେଶ ଅନୁଷ୍ଠିତ ହୁଏ।
ପୁରୀ ସାହି ଯାତରେ ବାହାରୁଥିବା ନାଗା ସଂସ୍କୃତି ର ଅନୁକରଣରେ ଏହି ବେଶର ଆବିର୍ଭାବ ବୋଲି ଜଣାଯାଏ। ସାହି ଯାତର ପରମ୍ପରା ସହ ବାଲ୍ମିକୀ ରାମାୟଣର ପର୍ଶୁରାମ ଙ୍କ ବର୍ଣ୍ଣିତ ରୂପ ସହ ଜଗନ୍ନାଥ ଙ୍କ ନାଗାର୍ଜୁନ ବେଶ ର ସାମଞ୍ଜସ୍ୟ ରହିଥିବାରୁ ଏହି ବେଶକୁ ପର୍ଶୁରାମ ବେଶ ମଧ୍ୟ କୁହାଯାଏ।
ଏହି ବେଶରେ ମହାପ୍ରଭୁ ମୁଖ୍ୟତଃ ସୋଲ,କନାଜରି,କଇଂଥ ଅଠା, ବେତରେ ନିର୍ମିତ ୧୬ ପ୍ରକାର ଆୟୁଧ(ଅସ୍ତ୍ରଶସ୍ତ୍ର) ଧାରଣ କରିଥାନ୍ତି, ଯେଉଁଥିରେ ତେଣ୍ଟା,ହାଣ୍ଡିଆ,ନାଗାଫୁଲ,ଢେଣୁ ,ନାଗାତାଟି,ଦାଢି, ଏରାପକ୍ଷୀରପର,ସିଂଘଡା,ଛୁରୀ ,କଟାରୀ ,ଖଣ୍ଡା,ବାଘଛାଲ ,ବାଘନଖି ,
ଓଳମାଳି,ସ୍ବର୍ଣ୍ଣଶ୍ରୀଭୁଜ,ଶ୍ରୀପୟର , ଶଙ୍ଖ, ଚକ୍ର, ହଳ, ମୂଷଳ ଇତ୍ୟାଦି ଅନ୍ତର୍ଭୁକ୍ତ ।
ମହାପ୍ରଭୁଙ୍କ ଏହି ଯୋଦ୍ଧା ଓ ସନ୍ଯାସୀ ରୂପ ଅନ୍ୟ ବେଶ ଠାରୁ ଭିନ୍ନ , ବିରଳ ଓ ଅତି ଆକର୍ଷଣୀୟ । ଏହା ପୂର୍ବରୁ ୧୯୯୪ ମସିହା ନଭେମ୍ବର ୧୬ ତାରିଖ ମଳ ତ୍ରୟୋଦଶୀ ତିଥିରେ ଏବଂ ୧୯୯୩ ମସିହା ନଭେମ୍ବର୨୬, ମଳ ଦ୍ବାଦଶୀ ତିଥିରେ ଠାକୁରଙ୍କ ଏହି ବେଶ ହୋଇଥିଲା।
କିନ୍ତୁ ଦୁଃଖର କଥା ଚଳିତ ବର୍ଷର ଏହି ଦୁର୍ଲଭ ବେଶ କୋଭିଡ କଟକଣା ଯୋଗୁଁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରାଯାଇଛି ।
Comments are closed.