ଭୁବନେଶ୍ୱର: ଭାରତର ସରକାରଙ୍କ ପକ୍ଷରୁ ୨୦୨୦ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ୧୦ ଟି ପୋଲିସ ଥାନାର ତାଲିକା ଘୋଷଣା ହୋଇଛି । ପ୍ରଥମ ସ୍ଥାନରେ ରହିଛି ମଣିପୁରର ଥୋବାଲ ଜିଲ୍ଲାର ନନପୋକ ସେକ୍ ମାଇ ଥାନା । ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଥାନାଗୁଡିକ ମଧ୍ୟରେ ରହିଛି ତାମିଲନାଡୁର ସୁରମଙ୍ଗଳମ୍ ମହିଳା ଥାନା, ଅରୁଣାଚଳ ପ୍ରଦେଶର ଖରସଙ୍ଗ ଥାନା, ଛତିଶଗଡର ଝିଲମିଲି ଥାନା, ଗୋଆର ସାଙ୍ଗୱେମ ଥାନା, ଆଣ୍ଡାମାନ ନିକୋବରର କାଲିଘାଟ ଥାନା, ସିକିମର ପାକୟୋଙ୍ଗ୍ ଥାନା, ଉତ୍ତର ପ୍ରଦେଶର କାନ୍ଥ ଥାନା, ଦାଦରା ନଗର ହାୱେଲିର ଖାନବେଲ୍ ଥାନା ଏବଂ ତେଲେଙ୍ଗାନାର କରିମ ନଗର ସ୍ଥିତ ଜାମିକୁଣ୍ଟା ଟାଉନ ପୋଲିସ ଥାନା ।
ତେବେ ଗୃହମନ୍ତ୍ରାଳୟ ଦ୍ୱାରା କରାଯାଇଥିବା ଚଳିତ ବର୍ଷର ସର୍ଭେରେ ଓଡିଶାର କୌଣସି ଥାନା ଦେଶର ଶ୍ରେଷ୍ଠ ୧୦ ଥାନା ମଧ୍ୟରେ ସ୍ଥାନ ପାଇ ନ ଥିବା ଜଣାପଡିଛି । ଦେଶର ୧୬ ହଜାର ୬୭୧ ଥାନା ମଧ୍ୟରୁ ଡାଟା ଅନୁଶୀଳନ, ଜନସାଧାରଣଙ୍କ ମତାମତ ଓ ନୀରିକ୍ଷଣ ଆଧାରରେ ପ୍ରତିବର୍ଷ ଶ୍ରେଷ୍ଠ ୧୦ ଥାନା ନିରୁପଣ କରାଯାଇଥାଏ । ଏହାର ପ୍ରମୁଖ ମାପଦଣ୍ଡଗୁଡିକ ମଧ୍ୟରେ ସମ୍ପତ୍ତିବାଡି ମାମଲା, ମହିଳାଙ୍କ ବିରୋଧରେ ହିଂସା, ଦୁର୍ବଳବର୍ଗ ଲୋକଙ୍କ ବିରୋଧରେ ହିଂସା, ନିଖୋଜ ଏବଂ ଚିହ୍ନଟ ହୋଇପାରୁନଥିବା ବ୍ୟକ୍ତି ଓ ଶବ ଇତ୍ୟାଦି ରହିଛି ।
ସୂଚନାଯୋଗ୍ୟ ଯେ, ୨୦୧୫ରେ ସବୁ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକମାନଙ୍କର ଗୁଜରାଟର କଚ୍ଛରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ର୍ୟାଙ୍କିଂ ବ୍ୟବସ୍ଥା ନେଇ ଘୋଷଣା କରିଥିଲେ ।
Comments are closed.