Latest Odisha News

BREAKING NEWS

ଅନୁଭୂତି ଯେତେ ସାନ୍ଦ୍ର ହୁଏ ଲେଖା ସେତେ ଶାଣିତ ହୁଏ: ଲକ୍ଷ୍ମୀ ଚାନ୍ଦ

ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ୱଳ ନକ୍ଷତ୍ର ଲକ୍ଷ୍ମୀ ଚାନ୍ଦ। ଭାବ ଭାଷା ଓ ଚରିତ୍ର ର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର କଳେବର ସବୁବେଳେ ଜୀବନ୍ତ। ଚରିତ୍ର ମାନଙ୍କ ଅନ୍ତର୍ଚେତନାରୁ କୌଶଳ କ୍ରମେ ଗଭୀର ଅନୁଭବକୁ ନିଜ ଭିତରକୁ ସଂଚାରି ଆଣି ତାକୁ ନେଇ ସୃଷ୍ଟି କରନ୍ତି ଗଳ୍ପ ଓ ଉପନ୍ୟାସ। ସେଥିପାଇଁ ତାଙ୍କ ଲେଖାସବୁ ଜୀବନ୍ତ ଲାଗେ। ପାଠକକୁ ନିଜ ସହ ଘଟିଥିବା ଘଟଣାର ଅବିକଳ ବିଷୟ ପରି ଲାଗେ। ଏହା ବ୍ୟତୀତ ତାଙ୍କ ଲେଖାରେ ଘଟଣାକ୍ରମର ପ୍ରବାହମାନତା ନିରନ୍ତର ଭାବେ ଆଗକୁ ବଢ଼ୁଥିବାରୁ ପାଠକ ମଧ୍ୟ ବିନା ବିରତିରେ ତାକୁ ପଢିଯାଏ । ତାଙ୍କ ଲେଖନୀ ନିଃସୃତ ତଥାପି ରେବତୀ , ମାୟାରୂପ, ସିଲହଟ୍ ରେ ସକାଳ ( ମିଳିତ ଉପନ୍ୟାସ) ,ପ୍ରଲମ୍ବିତ ସ୍ୱର ,ଗୁରୁ ଓ ଅନ୍ୟାନ୍ୟ ଗଳ୍ପ , ମଧୁମିତା, ନର୍ତ୍ତକୀ, ଲକ୍ଷ୍ମୀ ଚାନ୍ଦଙ୍କ ତିନୋଟି ଉପନ୍ୟାସ, ଆକ୍ରାନ୍ତ , ସାକାଲାକା ବୁମ୍ ,ସମୁଦ୍ର ଶୋଷ, ମରୁତୀର୍ଥ ହିଂଲାଜ, ଆରପାଖ ଇତ୍ୟାଦି ବେଶ ପାଠକୀୟ ଆଦୃତ।

କଥା ନବ ପ୍ରତିଭା ପୁରସ୍କାର, କିଶୋରୀ ଚରଣ ସ୍ମୃତି ପୁରସ୍କାର, ଯାଜପୁର ପୁସ୍ତକ ମେଳା ପୁରସ୍କାର , କଳିଙ୍ଗ ପ୍ରଭା ସାହିତ୍ୟ ସାରଥୀ ସମ୍ମାନ, ଅମୃତାୟନ ଗଳ୍ପ ପୁରସ୍କାର, ଆଇନା ଉପନ୍ୟାସ ସମ୍ମାନ, ଅଞ୍ଜନା ପ୍ରଧାନ ଗଳ୍ପ ସମ୍ମାନ, ପାହାଚ ଗଳ୍ପ ସମ୍ମାନ, ସାହିତ୍ୟ ଦର୍ପଣ ଗଳ୍ପ ସମ୍ମାନ, ଯତୀନ୍ଦ୍ର ଦାସ ଉପନ୍ୟାସ ସମ୍ମାନ, ସ୍ମୃତିଲିପି ଗଳ୍ପ ସମ୍ମାନ, ପ୍ରଜ୍ଞାଶ୍ରୀ ବିଶିଷ୍ଟ ଉପନ୍ୟାସ ସମ୍ମାନ, ରେବା ରାୟ ସ୍ମୃତି ସମ୍ମାନ, କଟକ ଲାୟନ୍ସ କ୍ଲବ ବିଶିଷ୍ଟ ସାହିତ୍ୟିକ ସମ୍ମାନ, କଟକ ଲିଟେରାରି ଗଳ୍ପ ସମ୍ମାନ , ଏବଂ ଧ୍ୱନି ପ୍ରତିଧ୍ୱନି ଗଳ୍ପ ସମ୍ମାନ ଇତ୍ୟାଦି ଅନେକ ସମ୍ମାନରେ ରେ ସେ ସମ୍ମାନୀତା।

ମୈତ୍ରେୟୀ ଲେଖିକା ସଂଗଠନ ର ସେ ପ୍ରତିଷ୍ଠାତ୍ରୀ । ଲେଖୁଥିବା ଅଥଚ ଲୋକଲୋଚନକୁ ଆସିପାରୁନଥିବା ଲେଖିକାଙ୍କୁ ଲେଖା ପ୍ରକାଶ ଜନିତ ବିଭିନ୍ନ କାମରେ ସହଯୋଗ କରିବା ଏହାର ମୂଳ ଉଦ୍ଦେଶ୍ୟ। ବର୍ତ୍ତମାନ ସୁଦ୍ଧା ଏଥିରେ ଶହେ ପଚାଶ ରୁ ଉର୍ଦ୍ଧ ସଭ୍ୟା ଯୋଗ ଦେଇସାରିଲେଣି। କେବଳ ଏତିକି ନୁହେଁ, ସମ୍ପାଦନା କ୍ଷେତ୍ରରେ ମଧ୍ୟ ସେ ବେଶ ନିପୁଣା । ଦୀର୍ଘ ପାଞ୍ଚ ବର୍ଷ ଧରି ସମ୍ବାଦ କଳିକା ଖବର କାଗଜର ସାହିତ୍ୟ ଫର୍ଦ୍ଦକୁ ସେ ସମ୍ପାଦନା କରି ଆସୁଛନ୍ତି ।

ତାଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ “ଆଳାପ” ।

୧. ନିଜକୁ କେଉଁ ହିସାବରେ ଦେଖନ୍ତି ଗାଳ୍ପିକା ନା ଔପନ୍ୟାସିକା ?

ଉତ୍ତର-ଭାବୁଛି ମୁଁ ନିଜକୁ କେବଳ ଜଣେ ଲେଖିକା ହିସାବରେ ଦେଖେ ଯିଏ ସବୁକିଛି ଲେଖିପାରିବାର କ୍ଷମତା ରଖେ। କେବେ କେବେ ଏମିତି ବି ହୋଇଛି ଗପଟିଏ ଆରମ୍ଭ କରୁ କରୁ ତାହା ବିସ୍ତାରିତ ହୋଇ ବିରାଟ କାନଭାସକୁ ମୁହାଁଇଛି। ଶବ୍ଦ ସବୁ ଅକ୍ତିଆରରେ ରହିନାହାନ୍ତି। ମୁଁ ଘଟଣା ପରେ ଘଟଣା ଯୋଡ଼ି ତାକୁ ଉପନ୍ୟାସ ରେ ରୂପାନ୍ତରିତ କରିଛି। ମୋ ଅଜାଣତରେ ତାହା ଏକ ସଫଳ ଉପନ୍ୟାସରେ ପରିଣତ ହୋଇଛି। ସେତେବେଳେ ମୋତେ କେହି ଔପନ୍ୟାସିକା କହିଲେ ଅବଶ୍ୟ ମୁଁ ଖୁସି ହୋଇଛି। ଠିକ ସେପରି ଉପନ୍ୟାସ ଟିଏ ଲେଖିବା ପାଇଁ ଗୋଟିଏ ଆରମ୍ଭକୁ ଧରି ବସିଛି ଅଥଚ ତାହା ଆଦୌ ଆଗକୁ ନ ଯାଇ ଏକ କ୍ଷୁଦ୍ର ଗଳ୍ପରେ ପରିଣତ ହୋଇଯାଇଛି। ସେହି ସମୟରେ କେହି ମୋତେ ଗାଳ୍ପିକା ସମ୍ବୋଧନ କଲେ ପୁଲକିତ ହୋଇଉଠିଛି। ସମୟାନୁଯାୟୀ ଯେତେବେଳେ ଯାହା ଖୁସି ଲାଗିଛି ନିଜକୁ ସେହି ଅନୁସାରେ ଢଳେଇ ନେଇଛି।

୨. ଲେଖା ଲେଖି କେବେ ଆରମ୍ଭ କଲେ ?

ଉତ୍ତର-ଲେଖାଲେଖି ମୋର ପ୍ରାୟ ପିଲାଦିନୁ। ବୟସ ଯେତେ ବଢିଚାଲିଲା ଲେଖାରେ ସେତେ ନାନ୍ଦନିକତା ଫୁଟିଉଠିଲା। ଗଭୀର ଅନୁଭବ ମୋତେ ଗଳ୍ପକୁ ପରୀକ୍ଷା ନିରୀକ୍ଷା କରିବାରେ ଅଶେଷ ସାହାଯ୍ୟ କଲା। ତେଣୁ ସେହି ପିଲାଦିନୁ ପ୍ରାୟ ୧୨ ବର୍ଷରୁ ମୋର ଲେଖାଲେଖି ଆରମ୍ଭ ହୋଇଥିଲା।

୩.କିଛି ଲେଖିଲା ବେଳେ ଅନୁଭୁତି ର ଆଶ୍ରୟ ନିଅନ୍ତି କି ?

ଉତ୍ତର-ନିଶ୍ଚୟ। ଅନୁଭୂତିକୁ ହିଁ ଉପାଦେୟ କରି ଲେଖାଯାଏ। ଲେଖକର ପ୍ରତିଟି ଲେଖାରେ ତା ଅନ୍ତରର ଗଭୀର ଅନୁଭୂତି ପ୍ରତିଫଳିତ ହୋଇଥାଏ। ଅନୁଭୂତି ଯେତେ ସାନ୍ଦ୍ର ହୁଏ ଲେଖା ସେତେ ଶାଣିତ ହୁଏ।

୪ . ଲେଖା ଲେଖି କରିବାରେ କେବେ ପରିବାର ପ୍ରତି ଦାୟିତ୍ୱ ରେ ଛନ୍ଦି ହୋଇଛନ୍ତିକି ?

ଉତ୍ତର-ଲେଖା ଲେଖି ବେଳେ ସାମ୍ନାରେ କେହି ଦେଖାଯାଆନ୍ତିନି। ତେବେ ମୁଁ ଲେଖାଲେଖି ପାଇଁ ପରିବାରକୁ କେବେ ଅବହେଳା କରିନାହିଁ। ବଡ଼ ପରିବାର ହେତୁ ସର୍ବଦା ମୁଣ୍ଡରେ ଅନେକ ଦାୟିତ୍ୱ ଥାଏ ଏବଂ ସେହି ଜଞ୍ଜାଳ ମଧ୍ୟରେ ଅଧିକ ଲେଖା ମାଡ଼େ। ତେଣୁ କଣ କରାଯିବ। ଦୁଇଟା ପାଇଁ ସମୟ ଭାଗ କରିନେବାକୁ ହୁଏ। ଗୋଟିଏ ପାଇଁ ଅନ୍ୟଟା ଅଟକି ନ ଯାଉ।

୫ . ଏଯାବତ ଆପଣଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି  କ’ଣ ?

ଉତ୍ତର-ବୋଧହୁଏ ଏବେଯାଏ ମୁଁ କୌଣସି ସଫଳ ଲେଖା ଲେଖିପାରିନାହିଁ। ପ୍ରତ୍ୟେକ ଲେଖା ପରେ ମୁଁ ଯାହା ଚାହୁଁଥିଲି ପାରିଲିନାହିଁ ର ଏକ ଏପରି ଅବସୋସ ମାଡ଼ିବସେ, ତା ପରବର୍ତ୍ତୀ ଲେଖା ନ ଲେଖିଲା ଯାଏ ବଡ଼ ଅଶ୍ୱସ୍ତି ରେ ଜୀବନ ବିତେ। ତେଣୁ ସଫଳ ସୃଷ୍ଟିଟିଏ ସର୍ଜନା କରିନପାରିବାର ଅସହାୟତା ଆଗକୁ ଲେଖିବା ପାଇଁ ପ୍ରେରିତ କରୁଥାଏ। ଏବଂ ଏହି ଧାରା ଆଗକୁ ଜାରି ରହିବାର କାମନା ମଧ୍ୟ କରେ।

୭. ଓଡ଼ିଆ ସାହିତ୍ୟରେ ଗପର ପ୍ରଭାବ କେମିତି?

ଉତ୍ତର- ଓଡ଼ିଆ ସାହିତ୍ୟରେ ଗପର ପ୍ରଭାବ ଦିଗନ୍ତ ବିସ୍ତାରୀ। ଆମ ଜୀବନ ସହ ଗପ ହିଁ ତ ଯୋଡ଼ି ହୋଇରହିଛି। ପୁରାଣଠୁ ଆରମ୍ଭ କରି ଆଧୁନିକ ଗଳ୍ପସବୁ ଆମ ଜନମାନସକୁ ଯଥେଷ୍ଟ ପ୍ରଭାବ କରି ରଖିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ “ଜହ୍ନମାମୁଁ” । ଏମିତି କେହି ନଥିବେ ଯିଏ ଜହ୍ନମାମୁଁ ପଢ଼ିନଥିବେ ଓ ତା ଦ୍ୱାରା ପ୍ରଭାବିତ ହୋଇନଥିବେ। ଆଜି ବି ପିଲାଟିଏ ଶୋଇଲାବେଳେ ମା ଠୁ ଗପଟିଏ ଶୁଣିବାପାଇଁ ଜିଗର କରେ। ହଁ କମ୍ପୁଟର ଯୁଗ ହୋଇଯିବାରୁ ଗପର ପ୍ରଭାବ କିଛି କମିଯାଇଛି, ମାତ୍ର ସମ୍ପୁର୍ଣ୍ଣ ଲୋପ ପାଇନାହିଁ। ଓଡ଼ିଆ ସାହିତ୍ୟକୁ କ୍ଷୁଦ୍ର ଗଳ୍ପ ବିଶେଷ ରୁଦ୍ଧିମନ୍ତ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଆମ ସାହିତ୍ୟକୁ ଗଳ୍ପ ବିଭାଗ ବହୁଳ ଭାବେ ପ୍ରଭାବିତ କରି ରଖିଛି। କହିବାକୁ ଗଲେ ଗଳ୍ପ ଦ୍ୱାରା ସମଗ୍ର ସାହିତ୍ୟ ପ୍ରଭାବିତ।

୯ . ଯଦି ପାଠକ ନକରାତ୍ମକ ମତ ରଖନ୍ତି ଆପଣଙ୍କ ପ୍ରତିକ୍ରିୟା କଣ ହେବ ?

ଉତ୍ତର-ଗପଟିଏ ଭଲ ନ ଲାଗିଲେ ପାଠକ ନକରାତ୍ମକ ମତ ତ ନିଶ୍ଚୟ ରଖିବ, ମାତ୍ର ତାହାର ଯୌକ୍ତିକତା ଥିଲେ ଖୁସି ଲାଗେ। କେହି ଜଣେ ମୋର ଭୁଲ ଦର୍ଶାଇ ଦେଲା, ଆଗକୁ ଏଣିକି ମୁଁ ସତର୍କ ହେବି ଏହି ଭାବନାରେ ଉତ୍ଫୁଲ୍ଲିତ ଲାଗେ। ମାତ୍ର ଉଦ୍ଦେଶ୍ୟମୂଳକ ଭାବେ ଭୁଲ ଦେଖାଉଥିବା ପାଠକଙ୍କୁ ବିରକ୍ତି ଲାଗେ।

୧୦ ମୈତ୍ରେୟୀ ବିଷୟରେ କିଛି କୁହନ୍ତୁ ।
ଉତ୍ତର-ମୈତ୍ରେୟୀ ଏକ ଯୁବ ଲେଖିକା ସଂଗଠନ। ଲେଖୁଥିବା ଅଥଚ ଲୋକଲୋଚନକୁ ଆସିପାରୁନଥିବା ଲେଖିକାଙ୍କୁ ଲେଖା ପ୍ରକାଶ ଜନିତ ବିଭିନ୍ନ କାମରେ ସହଯୋଗ କରିବା ଏହାର ମୂଳ ଉଦ୍ଦେଶ୍ୟ। ଏହା ସହ ଲେଖିକାମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ମୈତ୍ରେୟୀ ସଂଗଠନ ସତତ କାର୍ଯ୍ୟ କରିବ। ବର୍ତ୍ତମାନ ସୁଦ୍ଧା ଏଥିରେ ୧୫୦ଜଣ ସଭ୍ୟା ଯୋଗ ଦେଇସାରିଲେଣି। ଆଗକୁ ଏହାର ସଂଖ୍ୟା ଅଧିକ ବୃଦ୍ଧି ହୋଇପାରେ।

୧୧ ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ  ଆପଣ କିପରି ଭାବରେ ଦେଖନ୍ତି ?

ଉତ୍ତର-ଓଡ଼ିଆ ସାହିତ୍ୟର ଭବିଷ୍ୟତ ଉଜ୍ଜ୍ୱଳମୟ। ଯାହା ଆଶଙ୍କା କରାଯାଉଥିଲା ସୋସିଆଲ ମିଡ଼ିଆର ପ୍ରଭାବ ସାହିତ୍ୟ ଉପରେ ପଡିବ ଓ ଏହା ସ୍ଥାଣୁ ପାଲଟିଯିବ, ସେହି ସୋସିଆଲ ମିଡିଆରେ ସହସ୍ରାଧିକ ଲେଖାର ପ୍ରକାଶ ଦେଖି ସେହି ଆଶଙ୍କା ଦୂର ହୋଇଯାଇଛି। ମୋତେ ତ ଲାଗୁଛି ନୂତନ ପିଢ଼ି ବିଭିନ୍ନ ପରୀକ୍ଷା ନିରୀକ୍ଷା କରି ଜୀବନକୁ ଏଡ଼େ ସୁନ୍ଦର ଭାବେ ଚିତ୍ରଣ କରୁଛନ୍ତି ସାହିତ୍ୟର ନିଶ୍ଚୟ ଉନ୍ନତି ହେବ ଓ ଏହା ଆହୁରି ଆଗକୁ ବଢିବ।

୧୨ ନୂଆ ଲେଖକଙ୍କ ପାଇଁ ଆପଣଙ୍କ ବାର୍ତ୍ତା କଣ ?

ଉତ୍ତର-ନୂଆ ଲେଖକମାନେ ଲେଖାରେ ନିଜକୁ ଏତେ ପ୍ରବୀଣ ପ୍ରମାଣିତ କରିଛନ୍ତି ଯେ ତାଙ୍କ ପାଇଁ କିଛି ବାର୍ତ୍ତାର ଆବଶ୍ୟକତା ହିଁ ନାହିଁ। ତେବେ ଅନୁରୋଧ କରିବି ସମସ୍ତେ ସମାୟାନୁବର୍ତ୍ତି ହେବା ସହ ପ୍ରଚୁର ପଢନ୍ତୁ ଓ ଲେଖନ୍ତୁ।

Leave A Reply

Your email address will not be published.