Latest Odisha News

BREAKING NEWS

‘ସ୍ୱାମୀଙ୍କ ସହ ଧସ୍ତାଧସ୍ତି ହୋଇ ଛାତରୁ ଖସି ପଡିଥିଲେ ନିକିତା’

କଟକ : ଓଡିଆ ଟେଲି ଧାରାବାହିକର ଲୋକପ୍ରିୟ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା ଆଜି ଏକ ନୂଆ ମୋଡ ନେଇଛି । ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଜେରା ପରେ ସେ ହିଁ ନିକିତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ପୋଲିସ ସୁତ୍ରରୁ ସୂଚନା ମିଳିଛି ।

କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ କହିବା ଅନୁଯାୟୀ “ଘଟଣା ଦିନ ନିକିତା ଓ ଲିପନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ ହେବାରୁ ଦୁହେଁ ଛାତ ଉପରକୁ ଯାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଏହି ଅଘଟଣ ଘଟିଥିଲା । କିନ୍ତୁ ଲିପନ ତାଙ୍କୁ ଛାତରୁ ଧକ୍କା ଦେବା ନେଇ ଅସ୍ୱିକାର କରିଥିବାବେଳେ ଦୁହିଁଙ୍କ ମଧ୍ୟରେ ସେଦିନ ହାତାହାତି ହୋଇଥିଲା । ଏହି ସମୟରେ ପରିବାରର ଅନ୍ୟ ସଦସ୍ୟମାନେ ଘର ଭିତରେ ଥିଲେ” ବୋଲି ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନିକିତା ଓ ଲିପନ ୨୦୧୬ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଶ୍ୱଶୁର ଘରେ ପାରିବାରିକ ଅଶାନ୍ତି ଲାଗି ରହିବାରୁ ନିକିତା ଅଲଗା ରହି ଆସୁଥିଲେ ଏବଂ ପୁତ୍ର ସନ୍ତାନ ଜନ୍ମ ପରେ ସେ ମହାନଦୀ ବିହାର ସ୍ଥିତ ନିଜ ବାପ ଘରେ ରହୁଥିଲେ ।

ଶୁକ୍ରବାର ଦିନ ପୂର୍ବ ନିଷ୍ପତ୍ତି ଅନୁଯାୟୀ ସପ୍ତାହରେ କିଛି ଦିନ ପାଇଁ ଲିପନ ମହାନଦୀ ବିହାର ସ୍ଥିତ ନିକିତାଙ୍କ ବାପଘରକୁ ଆସି ତାଙ୍କ ସହ ରହିବା ପାଇଁ ସ୍ଥିର କରିଥିଲେ ମଧ୍ୟ ଲିପନ କାହିଁକି ଆସି ରହୁନାହାନ୍ତି ବୋଲି ନିକିତା ପଚାରିବାରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଏହି ଘଟଣାରେ ଲିପନଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯିବ । ଏଥିସହିତ ନିକିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗକୁ ଆଧାର କରି ତାଙ୍କ ଶ୍ୱଶୁର ଘର ଲୋକଙ୍କୁ ମଧ୍ୟ ପଚରାଉଚରା କରିବା ପାଇଁ ପୋଲିସ ହେପାଜତରେ ନେଇଥିବା ସୂଚନା ମିଳିଛି ।
ତେବେ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କର ଶନିବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.