Latest Odisha News

BREAKING NEWS

ବୌଦ୍ଧ କୀର୍ତ୍ତିରାଜିର ମୁଖ ସାକ୍ଷୀ ଯାଜପୁରର ଉଦୟଗିରି ଓ ରତ୍ନଗିରି

ଯାଜପୁର: ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ରହିଛି ପ୍ରାଚୀନ ସଂସ୍କୃତିର ଛାପ । ଐତିହ୍ୟମଣ୍ଡିତ କୀର୍ତ୍ତିସ୍ଥଳ ଉପରେ ପର୍ଯ୍ୟଟନ କ୍ଷେତ୍ର ଶୋଭିତ । ପ୍ରାଚୀନ ଉତ୍କଳର ରାଜଧାନୀ ଥିବା ଯାଜପୁରର ଗଳିକନ୍ଦିରେ ପୌରାଣିକ ଓ ଐତିହାସିକ କୀର୍ତ୍ତିରାଜି ବିଦ୍ୟମାନ । ଜିଲ୍ଲାରେ ରହିଛି ବିଶ୍ୱ ପ୍ରସିଦ୍ଧ ବୌଦ୍ଧକୀର୍ତ୍ତି ରାଜି । ରତ୍ନଗିରି, ଉଦୟଗିରି, ଲାଙ୍ଗୁଡ଼ିର ପ୍ରତ୍ନତାତ୍ତିକ ସମ୍ପଦ ବିଶ୍ୱବାସୀଙ୍କୁ ଆକର୍ଷିତ କରିଥାଏ ।

ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ମାତ୍ର ଶହେ କିଲୋ ମିଟର ଦୂରରେ ଅବସ୍ଥିତ ଯାଜପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳକୁ ରାଜ୍ୟ ଓ ଦେଶ ବିଦେଶରୁ ବର୍ଷ ତମାମ ପର୍ଯ୍ୟଟକ ଆସୁଥିବାର ଦେଖିବାକୁ ମିଳିଥାଏ ।

ବଡ଼ଚଣା ବ୍ଲକର ଉଦୟଗିରି ଠାରେ ବିଶିଷ୍ଟ ବୌଦ୍ଧ ବିହାର ଦୃଶ୍ୟମାନ ହୋଇଥାଏ । ବଅଢ଼ିହ-ଶୋଳପୁଅମଆ-ଉଦୟଗିରି ପାହାଡ଼ ଘେରା ଅଂଚଳରେ ଏହି ବୌଦ୍ଧପୀଠ ଭାରତ ବର୍ଷରେ ଅଦ୍ଵିତୀୟ ପର୍ଯ୍ୟଟନ  କ୍ଷେତ୍ର ଭାବେ ଆଦର ଲାଭ କରିଛି।

ଉଦୟଗିରି ଠାରେ ରହିଛି ବୌଦ୍ଧ ବଜ୍ରଯାନ ଯୁଗର ପ୍ରାଚୀନ ଦ୍ଵିତଳ ବୌଦ୍ଧ ବିହାର, ଯାହାକି ପଞ୍ଚରଥ ଶୈଳୀରେ ନିର୍ମିତ। ଉଦୟଗିରିରେ ଉତଖନନରୁ ଆବିଷ୍କୃତ ହୋଇଛି ପ୍ରାଚୀନ ମାଧବପୁର ବୌଦ୍ଧ ବିହାର ଓ ଏକ ବିଶାଳ ମହାସ୍ତୁପ। ଅଷ୍ଟମ-ନବମ ଶତାବ୍ଦୀରେ ନିର୍ମିତ ଏହି ବୌଦ୍ଧ ସ୍ଥାପତ୍ୟ ମଧ୍ୟରେ ଏକ ବିରଳତମ ଚୈତ୍ୟଗୃହ କଂପ୍ଲେକ୍ସ ଓ ଦ୍ଵିତଳ ସିଂହପ୍ରସ୍ଥ ମହାବିହାର ମାଟିତଳୁ ବାହାରିଛି । ଉଦୟଗିରି ଠାରେ ପାଞ୍ଚୋଟି ବୌଦ୍ଧ ବିହର ସମେତ ଏକ ପ୍ରସ୍ତରକଟା ବିଶାଳ କୃପ ମହାକାଳ ମନ୍ଦିର ସମେତ ଶତାଧିକ ବୌଦ୍ଧ ବିଗ୍ରହ ଆବିଷ୍କୃତ ହୋଇଛି । ଉଦୟଗିରିରୁ ଜଟା ମୁକୁଟ, ଲୋକେଶ୍ଵର, ଅମିତାଭ, ଅକସୋଭ୍ୟ, ମଂଜୁଶ୍ରୀ, ରତ୍ନ ସମ୍ଭବ, ପଦ୍ମପାଣି, ଅବଲେକିତେଶ୍ଵର ଆଦି ବୌଦ୍ଧ ମୂର୍ତ୍ତି ଉତଖତିତ ହୋଇଛି ।

ରତ୍ନଗିରି ବୌଦ୍ଧ ମହାବିହାରର କଳାକୀଉଁ ବିଶ୍ଵରେ ବିରଳ । ବରୀବ୍ଳକ ଅନ୍ତର୍ଗତ ରତ୍ନଗିରି ଠାରେ ରହିଛି ଏହି ପ୍ରାଚୀନ ବୌଦ୍ଧଯୁଗୀୟ ବିଶ୍ୱ ବିଦ୍ୟାଳୟ, ବହୁ ପୁରାତନ ମହା ବିହାର, ଇଟା ନିର୍ମିତ ଏକ ବିଶାଳ ମହାସ୍ତୁପ, ମହାକାଳଙ୍କ ପବିତ୍ର ମନ୍ଦିର । ରତ୍ନଗିରି ଏକଦା ବୌଦ୍ଧ କାଳଚକ୍ରଯାନ ଓ ଯୋଗାଚାର ବିଜ୍ଞାନବାଦର ଏକ ମହିମା ମଣ୍ଡିତ ପୀଠ ଭାବେ ମଧ୍ୟଯୁଗୀୟ ସମୟରେ ସୁପରିଚିତ ଥିଲା । ବିଶ୍ୱର ବିଭିନ୍ନ ସ୍ଥାନରୁ ଆସୁଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ରତ୍ନଗିରି ବୌଦ୍ଧ ମହାବିହାର ଥିଲା ପୁରାତନ ଭାରତବର୍ଷର ଏକ ପ୍ରାଚୀନତମ ବୌଦ୍ଧ ଶିକ୍ଷାକେନ୍ଦ୍ର ।

ଗୁପ୍ତ ସମ୍ରାଟ ନରସିଂହଗୁପ୍ତ ବାଳାଦିତ୍ୟ ଏହି ବିଖ୍ୟାତ ବୌଦ୍ଧପୀଠରେ । ବୌଦ୍ଧଶ୍ରମଣ ଏବଂ ବିଦ୍ୟାର୍ଥୀ ମାନଙ୍କ ପାଇଁ ସୁବିଶାଳ ବୌଦ୍ଧ ମହାବିହାର ଓ ସଂଘରାମ ନିର୍ମାଣ କରି ଥିଲେ । ରତ୍ନ ଗିରି ଉତ୍ ଖନନରୁ ବିପୁଳ ପ୍ରାଚୀନ ବୌଦ୍ଧକୀର୍ତ୍ତିରାଜି ସମେତ ବିଭିନ୍ନ ମୁଦ୍ରାରେ ଆସୀନ ମନୋଜ୍ଞ ବୌଦ୍ଧ ବିଗ୍ରହ ବୋଧିସତ୍ତ୍ଵ, ତାରା, ହାରିତୀ, ବସୁ ଧାରା, ପ୍ରଜ୍ଞାପାରମିତା, ମଂଜୁଶ୍ରୀ, ମହାକାଳ, ହେରୁକ,ପଦ୍ମପାଣି ବୁଦ୍ଧ ଓ ଅପରାଜିତାଙ୍କ ଶହଶହ ପ୍ରତିମା ଆବିଷ୍କୃତ ହୋଇଛି । ରତ୍ନଗିରି ଠାରେ ମନୋରମ ସଂଗ୍ରହାଳୟରେ ଶତାଧିକ ବୌଦ୍ଧ ଭାସ୍କର୍ଯ୍ୟ ସ୍ଥାନ ପାଇଛି । ଓଡ଼ିଶାର ପ୍ରମୁଖ ବୌଦ୍ଧପୀଠ ଭାବେ ରତ୍ନଗିରି ଦେଶ ବିଦେଶରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରି ଆସୁଛି।

Leave A Reply

Your email address will not be published.