ଅମରେଶ ବିଶ୍ବାଳ , ସ୍ଵତନ୍ତ୍ର ତାଙ୍କ କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ର ମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟିଉଠି ପାରେ। କେବଳ ଫୁଟେ ନାହିଁ , ତା ‘ ବାସ୍ନାରେ ଖୁବ ଭିଜାଏ ପାଠକ ପାଠିକାଙ୍କୁ। ତାଙ୍କ ଶବ୍ଦ ବିନ୍ୟାସ, ଚରିତ୍ର ଚିତ୍ରଣ ଏବଂ ନିତିଦିନିଆ ଜୀବନର ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ ପ୍ରସଂଶା କରିବାପାଇଁ।
ତାଙ୍କ ରଚିତ ପୁସ୍ତକ, ଅବକ୍ଷୟମୁଖୀ ଜାତୀୟଚରିତ୍ର, ବୟସ୍କ ଲୋକର ସମୟ ,ସ୍ପେଶାଲ ରିପୋର୍ଟ ,ତୁମରି ପରି ଝିଅଟିଏ,ମଧ୍ୟବିତ୍ତ , ପ୍ରଣତିର ପ୍ରେମିକମାନେ ,ଶେଷଦୃଶ୍ୟ ,ସଁବାଳୁଆର ସ୍ୱପ୍ନ ,ଆତ୍ମନ ,ଚାଇନାର ଚରିତ୍ର ,ପାପ ,ହ୍ୟାଙ୍ଗଓଭର ,ପ୍ରେମିକାର ସାନଭଉଣୀ ଇତ୍ୟାଦି ବେଶ ପାଠକୀୟ ଆଦୃତ।
ମନ୍ଥନ ଯୁବପ୍ରତିଭା ପୁରସ୍କାର ,ରାଜଧାନୀ ପୁସ୍ତକ ମେଳା ପୁରସ୍କାର (ପ୍ରବନ୍ଧ),ରାଜଧାନୀ ପୁସ୍ତକ ମେଳା ପୁରସ୍କାର (ଗଳ୍ପ),ବିରୂପା ସାହିତ୍ୟ ସଂସଦ ପୁରସ୍କାର ,ମହାମାୟୀ ସାହିତ୍ୟ ସମ୍ମାନ ,ଲେଖାଲେଖି ଯୁବ ଗାଳ୍ପିକ ପୁରସ୍କାର ,ନିତ୍ୟାନନ୍ଦ ବଳ ସାହିତ୍ୟ ପୁରସ୍କାର ,ଟାଇମ୍ ପାସ୍ ବୁକର ପୁରସ୍କାର ,ସଂକଳ୍ପ ମହୋତ୍ସବ ସମ୍ମାନ ,ଚିନ୍ତାମଣୀ ବେହେରା ଗଳ୍ପ ସମ୍ମାନ ,ଶିହରଣ କଥା ସମ୍ମାନ ,କବିଶେଖର ଚିନ୍ତାମଣି ସ୍ମାରକୀ ସମ୍ମାନ ,ପଶ୍ଚିମା ଉପନ୍ୟାସ ପୁରସ୍କାର ,ପ୍ରଥମ ଜଗଦୀଶ ଯୁବ ସମ୍ମାନ ,ରାମଚନ୍ଦ୍ର ମହାନ୍ତି ସ୍ମାରକୀ ସାହିତ୍ୟ ଦର୍ପଣ ପୁରସ୍କାର ,କଥାକଳିକା ଯୁବ ପୁରସ୍କାର ,ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର (ଉପନ୍ୟାସ),ଜ୍ଞାନଦା ଗଳ୍ପ ପୁରସ୍କାର ,ଇତ୍ୟାଦି ଅନେକ ପୁରସ୍କାରରେ ସେ ପୁରସ୍କୃତ ଓ ସମ୍ମାନିତ।
ଓଡ଼ିଆ ସାହିତ୍ୟର ସେଇ କାଳଜୟୀ ସ୍ରଷ୍ଟା ଅମରେଶ ବିଶ୍ୱାଳଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ।
୧.ଆପଣ ଏକାଧାରରେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ ଓ ସାମ୍ବାଦିକ। ତେବେ ଆତ୍ମତୃପ୍ତି କେଉଁଠି ଅଛି?
ଉତ୍ତର– ବାସ୍ତବରେ ଆତ୍ମତୃପ୍ତି ମନରେ ଥାଏ। ଯଦି ମନ ଭଲ ଥାଏ ମତେ ସବୁ ଭଲ ଲାଗେ, ମନ ଭଲନଥିଲେ ସବୁ ଖରାପ ଲାଗେ। ଥରେ ଜଣେ ପ୍ରସିଦ୍ଧ ଚିତ୍ରକରଙ୍କ ଆଦ୍ୟ ଜୀବନରେ ଗୋଟିଏ ଭଲ ଘଟଣା ଘଟିଥିଲା। ଚିତ୍ରକର ସେତେବେଳେ ପ୍ରସିଦ୍ଧ ହୋଇନଥିଲେ। ତାଙ୍କ ବଡ଼ଭାଇ, ଯିଏକି ଛବି କରିବା ଏକ ନିରର୍ଥକ କାର୍ଯ୍ୟ ବୋଲି ଭାବୁଥିଲେ, ସେ ଚାହୁଁଥିଲେ, ତାଙ୍କ ସାନଭାଇର ଛବି କିଛି ବିକ୍ରି ହୋଇଯାଉ, ଯାହାଦ୍ୱାରା ସେ ଟିକେ ଖୁସି ହେବ। କିନ୍ତୁ ଛବି ବିକ୍ରି ହେଉନଥିଲା। ତେଣୁ ବଡଭାଇ, ତାଙ୍କର ଜଣେ ଜଣେ ବନ୍ଧୁଙ୍କୁ ନିଜ ତରଫରୁ ପଇସା ଦେଇ କହୁଥିଲେ ‘ଯାଅ ମୋ ସାନଭାଇର ଛବି କିଣିକି ଘରେ ଲଗାଅ’। ଏ କଥା ଚିତ୍ରକର ସାନଭାଇ ଜାଣିପାରିଲେ। ତେଣୁ ସେ ଭାଇକୁ ପଚାରିଲେ, ଆପଣ ଏମିତି କାହିଁକି କରୁଛନ୍ତି? ଭାଇ କହିଲେ, ତୋର କିଛି ଛବି ବିକ୍ରି ହେଇଗଲା ତୁ ଟିକେ ଆତ୍ମସନ୍ତୋଷ ପାଇବୁ। ଖୁସି ହେବୁ। ଭାଇଙ୍କ କଥାର ଉତ୍ତରରେ ଚିତ୍ରକର କହିଥିଲେ- ବାସ୍ତବରେ ମୁଁ ଛବିଟି ତିଆରି କରିବା ବେଳେ ହିଁ ଏତେ ଅଧିକ ଆତ୍ମସନ୍ତୋଷ ପାଉଛି ଯେ, ତିଆରି ସରିବା ପରେ ତାହା ବିକ୍ରି ହେଉ କି ନହେଉ ମୋର ମନଦୁଃଖ ଲାଗୁନି। ସେହି ଚିତ୍ରକରଙ୍କ ପରି ମୋ କ୍ଷେତ୍ରରେ ମଧ୍ୟ ସମାନ ଘଟେ। ତାହା ଉପନ୍ୟାସ, କବିତା କିମ୍ବା ନିଉଜ୍, ମୁଁ ଲେଖିଲା ବେଳେ ହିଁ ଆତ୍ମତୃପ୍ତି ପାଇଥାଏ। ତେଣୁ ସମସ୍ତେ ମୋ ପାଇଁ ଅଭୁଲା। କବିତା ଆପେଆପେ ଆସେ, ଉପନ୍ୟାସକୁ ମୁଁ ଯୋଜନା କରି ଲେଖେ, ଆଉ ନିଉଜ୍ ବାଧ୍ୟରେ ଲେଖେ, କାରଣ ଏହା ମୋର ପେସା।
୨. ନିଶା ଓ ପେସାରେ କେବେ ଛନ୍ଦି ହୋଇଛନ୍ତି କି?
ଉତ୍ତର– ଛନ୍ଦି ନ ହେଲେ ଆପଣ କିଛି କରି ପାରିବେ ନାହିଁ କିମ୍ବା କୋଉଥିରେ ସଫଳତା ପାଇବେ ନାହିଁ। ବାସ୍ତବରେ ଛନ୍ଦି ହେବା ଏକ ଆନନ୍ଦ। ୧୯୯୪ ମସିହାରେ ଯେତେବେ ମୁଁ ସାମ୍ବାଦିକତା ଆରମ୍ଭ କଲି ତାହା ମୋ ପାଇଁ ଗଂଜେଇ ଚରସ୍ ପରି ଥିଲା। ସୌଭାଗ୍ୟର କଥା ଯେ, ମୋ ପେସା ଭିତରେ ହିଁ ସାହିତ୍ୟ ଥିଲା, ତେଣୁ ଲେଖାଲେଖି କରିବା ମଧ୍ୟ ନିଶା ପାଲଟି ଯାଇଥିଲା। କେତେ ଲୋକଙ୍କର କେତେ ନିଶା ଅଛି, ମୋର ଲେଖିବା ନିଶା। ଗପ ଲେଖିବାକୁ ପେସା ଅବହେଳିତ ହୋଇଛି, ପେସା ପାଇଁ ମଧ୍ୟ ଗପ ଅପହେଳିତ ହୋଇଛି। କେବେକେବେ ବିନା କାରଣରେ ଅନେକ ସମୟ ନଷ୍ଟ ହୋଇଛି, ଅଜଣା ଲୋକ ସହ ସମୟ କାଟିଛି। ଛନ୍ଦି ହେଲେ କି ଆନନ୍ଦ ଯେ।
୩. ଲେଖିଲା ବେଳେ କେଉଁ ଦିଗକୁ ବେଶୀ ଧ୍ୟାନ ଦିଅନ୍ତି?
ଉତ୍ତର– ବାସ୍ତବରେ ଲେଖାକୁ ନେଇ, ଧ୍ୟାନର କିସମ ପରିବର୍ତ୍ତନ ହୁଏ। ଯଦି ଖବର ଲେଖୁଛି, ତେବେ ଏହାର ତଥ୍ୟ ବା ସଠିକତା ଉପରେ ଗୁରୁତ୍ୱ ଦିଆଯାଏ। ଯଦି କବିତା ଲେଖେ, ତେବେ ଭାବ ଉପରେ ଗୁରୁତ୍ୱ ଦିଏ। ଯଦି ଗପ ଉପନ୍ୟାସ ଲେଖେ, ତେବେ ଷ୍ଟାଇଲ୍ ବା ଶୈଳୀ ଉପରେ ଗୁରୁତ୍ୱ ଦିଏ, ସର୍ବାଗ୍ରେ ଥାଆନ୍ତି ପାଠକ ପାଠିକା। ଏମିତିବି ହୋଇଛି, ବିନା କାରଣରେ ଲକ୍ଷ୍ୟହୀନ ଭାବେ ଗପ ଉପନ୍ୟାସ ଲେଖିଛି, ତାହା କୁଆଡକୁ ଯିବା ଉଚିତ ସେ ବିଷୟ ନଜାଣି ମଧ୍ୟ। ପରେ ପଢିଲା ପରେ ଭାବେ- ୟାକୁ ମୁଁ ଲେଖିଛି?
୪. ଏଯାବତ ଆପଣଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି କ’ଣ?
ଉତ୍ତର– ଏହାଏକ ଦ୍ୱନ୍ଦ୍ୱାତ୍ମକ ପ୍ରଶ୍ନ। କାରଣ ମତେ ଭଲ ଲାଗିଥିବା ଲେଖାକୁ ପାଠକ ଗୁରୁତ୍ୱ ଦେଇନି, ଆଉ ପାଠକ ପ୍ରଶଂସା କରିଥିବା ଗପ ଉପନ୍ୟାସକୁ ମୁଁ ଗୁରୁତ୍ୱହୀନ ଭାବରେ ଲେଖିଛି। ମୋର ମଧ୍ୟବିତ୍ତ ଉପନ୍ୟାସକୁ ବହୁ ଲୋକ ଭଲ କୁହନ୍ତି। କେତେକ ମୋର ‘ସ୍ପେଶାଲ୍ ରିପୋର୍ଟ’ ଗପକୁ କହନ୍ତି। ହୁଏତ ମୁଁ ଏ ଯାଏଁ ସର୍ବଶ୍ରେଷ୍ଠ ଲେଖାଟି ଲେଖିନି। ଆଗକୁ ଲେଖିବି।
୫. ପୁରସ୍କାର ଜଣେ ଲେଖକ କିମ୍ବା ଲେଖିକାକୁ କିପରି ପ୍ରୋତ୍ସାହିତ କରେ?
ଉତ୍ତର– ବହୁତ ଉତ୍ସାହିତ କରେ। ଆମ ଦେଶରେ ଲେଖକ ଆଉ କ’ଣ ପାଏକି? ଇଏ ତ ଗାଡିକୁ ପେଟ୍ରୋଲ୍ ପରିକା ଏକ ଆବଶ୍ୟକତା।
୬. ଓଡ଼ିଆ ସାହିତ୍ୟରେ ଗପର ପ୍ରଭାବ କେମିତି?
ଉତ୍ତର– ଓଡ଼ିଆ ସାହିତ୍ୟରେ ଗପର ପ୍ରଭାବ ଅଛିକି ନାହିଁ ଜାଣିନି, କିନ୍ତୁ କବିତାର ପ୍ରବଳ ପ୍ରଭାବ ରହିଛି। କାହିଁକି ଓ କେମିତି ତାହା ଜାଣିଚି, କିନ୍ତୁ କହିବିନି। ବିବାଦ ହେବ। ତେବେ ଗପର ପ୍ରଭାବ କାଳକାଳକୁ ରହିଛି ଓ ରହିବ। ଓଡ଼ିଆ ସାହିତ୍ୟ ପଢିକି ଯଦି କୌଣସି ପାଠକ କିମ୍ବା ପାଠିକା ଖୁସି ହୋଇଛି, ତେବେ ତାହା ଗପଟିଏ ହିଁ ହୋଇଥିବ।
୭. କୋଡିଏ ବର୍ଷ ପୂର୍ବର ସାହିତ୍ୟ ଓ ଏବେର ସାହିତ୍ୟ ଭିତରେ କେଉଁ ସାମଞ୍ଜସ୍ୟ ରହିଛି?
ଉତ୍ତର– ବେଶୀ ସାମଞ୍ଜସ୍ୟ ନାହିଁ। ଲେଖିବା ପାଇଁ ବ୍ୟାକୁଳ ହେବା ଆଉ ଭଲ ଲେଖା ଲେଖିବା ଅଲଗା କଥା। ଏବେ ବହୁତ ବ୍ୟାକୁଳ ହେଉଛନ୍ତି ଲେଖିବାକୁ, କିନ୍ତୁ ଖରାପ ଲେଖୁଛନ୍ତି। ବିଷୟବସ୍ତୁ ମଧ୍ୟ ଭଲ ନେଉନାହାଁନ୍ତି।
୮. ଯଦି ପାଠକ ନକରାତ୍ମକ ମତ ରଖନ୍ତି ଆପଣଙ୍କ ପ୍ରତିକ୍ରିୟା କଣ ହେବ?
ଉତ୍ତର– ମୁଁ ଖୁବ୍ ଖୁସି ହୁଏ। କାରଣ ପାଠକ କ’ଣ ଚାହୁଁଛି ତାହା ଜାଣିବା ସହଜ ହୁଏ। ତା ପରେ ମୋ ଲେଖା ଯେ ସମସ୍ତଙ୍କୁ ସମାନ ଢଙ୍ଗରେ ଭଲ ଲାଗିବ ସେମିତି କିଛି ମାନେନାହିଁ। ଯଦିଓ ଡିଜିଟାଲ୍ ଯୁଗରେ ସବୁଠାରୁ ଖରାପ ପ୍ରଡକ୍ଟର ମଧ୍ୟ କିଛି ଗ୍ରାହକ ଅଛନ୍ତି। ମୋ ଗପର ଥିମ୍ ସମାନ ରୁହେନି। ତେଣୁ ଅନେକ ସମୟରେ କାହାଣୀକୁ ନେଇ ମୋର ଷ୍ଟାଇଲ୍ ପରିବର୍ତ୍ତନ ହୁଏ। ସେଥିପାଇଁ ଯେଉଁ ପାଠକ ମତେ ଭଲ କହିଥାଏ, ପରବର୍ତ୍ତୀ ଗପ ପଢ଼ିକି ଖରାପ ମଧ୍ୟ କହନ୍ତି। ଚୁପ୍ ରହି ଶୁଣିବାରେ ମୁଁ ମାଷ୍ଟର।
୯ ଜଣେ ସଫଳ ଲେଖକ କେମିତି ହୋଇ ପାରିବ?
ଉତ୍ତର– ପ୍ରଥମ ଉପାୟ ହେଲା, ଆପଣ ନିଜକୁ ବିଫଳ ଲେଖକ ବୋଲି ଭାବନ୍ତୁନି। ବାସ୍ତବରେ ଏହାର କୌଣସି ନିର୍ଦ୍ଦିଷ୍ଟ ଫର୍ମୁଲା ନାହିଁ। ଅତି ଖରାପ ଲେଖି ମଧ୍ୟ ଗୁଡ଼ାଏ ଲୋକ ପ୍ରସିଦ୍ଧ। ଲୋକ ତାଙ୍କୁ ଜାଣିଛନ୍ତି। ମୋର ଜଣେ ପୁରୁଣା ବନ୍ଧୁ ଥରେ କହିଥିଲେ, ଲେଖାଲେଖିକୁ କେତେ ଟଙ୍କା ମିଳୁଛି? ମୁଁ ମିଛ କହିଲି- ମାସକୁ ଲକ୍ଷେ। ସେ କହିଲା, ଟିକେ ବୁଝାବୁଝି କରୁନୁ, ପାର୍ଟ ଟାଇମ୍ କରନ୍ତି। ତେଣୁ ବିଭିନ୍ନ ଲେଖକ ବିଭିନ୍ନ କାରଣରୁ ସଫଳ। କିଏ ଷ୍ଟାଇଲ୍ ପାଇଁ, କିଏ ଅଧିକ ଲେଖିକି, କିଏ ପ୍ରେମ ସ୍ପେଶାଲିଷ୍ଟ, କିଏ ପୁରସ୍କାର ପାଇକି, କିଏ ବଡ଼ ବଡ଼ ସାହିତ୍ୟ ଅନୁଷ୍ଠାନର ସଭାପତି ହେଇକି, କିଏ ବଡ଼ ଅଫିସର ବୋଲି, କିଏ କିଏ ଖାଲି ତେଲ ମାରିକି। ତେଣୁ ସଫଳ ବିଫଳ ଭୁଲି ଯାଇ କେବଳ ଲେଖନ୍ତୁ, ଆପଣ ପ୍ରସିଦ୍ଧ ହୋଇଯିବେ।
୧୦. ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଆପଣ କିପରି ଭାବରେ ଦେଖନ୍ତି ?
ଉତ୍ତର– ଓଡ଼ିଆଙ୍କ ଭବିଷ୍ୟତ ତ ଭୟଙ୍କର ହେବାକୁ ଯାଉଛି, ସାହିତ୍ୟ କଥା ପଚାରୁଛି କିଏ? ଆଗାମୀ ଦିନରେ ଗୁଡ଼ାଏ ବିଚିତ୍ର ଲେଖା ଆପଣ ପଢ଼ିବାକୁ ପାଇବେ, ସେ ସବୁ ଏକ ଧାରାରେ ପରିଣତ ହେବ। ଗୁଡ଼ାଏ ନୂଆ ଥିମ୍ ଆସିପାରେ ସାହିତ୍ୟକୁ, କିନ୍ତୁ ସେସବୁକୁ ଯୁକ୍ତିଯୁକ୍ତ ଶୈଳୀରେ ପରିବେଷଣ କରାଯାଇ ପାରିବ ନାହିଁ। ନିଜର ଋଚି ଅଛି ବୋଲି ଲେଖକ ଲେଖିବନି, ବରଂ ନିଜ ନିଜ ବାୟୋଡାଟାରେ ଗୋଟେ ନୂଆ ଟ୍ୟାଗ୍ ଲଗେଇବାକୁ ଲେଖିବ। ତଥାପି ଭଲ କିଛି ଆଶା କରାଯାଉ।
୧୧. ଏବେ ଇ-ପତ୍ରିକା ସବୁ ପ୍ରକାଶ ପାଉଛି। ସେ ବିଷୟରେ ଆପଣଙ୍କ ମତ କ’ଣ?
ଉତ୍ତର– ଆଗାମୀ ଦିନରେ ଇ-ପତ୍ରିକା ହିଁ ବେଶୀ ପ୍ରକାଶ ପାଇବ। ଏହାର ମାର୍କେଟ ବଢିବ। ଏହା ଏକ ଭଲ କଥା। କାରଣ ଆଗାମୀ ପୀଢ଼ି ଇ-ଜୀବନ ବଂଚିବାକୁ ଯାଉଛି। ସେଥିପାଇଁ ଆମେ ଆମ ଲେଖା ସବୁକୁ ଯଥାଶୀଘ୍ର ଡିଡିଟାଲାଇଜ୍ କରିବା ଉଚିତ। ଆମ ଲେଖକ ଓ କ୍ଲାସିକ୍ କାମ ସବୁକୁ ଉଭୟ ଭିଡିଓ, ଅଡିଓ ଏବଂ ପ୍ରିଣ୍ଟ ଫର୍ମାଟରେ ଯିଏ ଯୋଉଠି ପାରିବେ ଅପଲୋଡ୍ କରିବା ଉଚିତ। ତେବେ ଇ-ପତ୍ରିକା ହେଉ କି ସତ ପତ୍ରିକା ହେଉ, ଲେଖାର ମାନ ଉପରେ ଗୁରୁତ୍ୱ ନଦେଲେ କିଛି ଲାଭ ହେବନି।
୧୨. ନୂଆ ଲେଖକଙ୍କ ପାଇଁ ଆପଣଙ୍କ ବାର୍ତ୍ତା କ’ଣ ହେବ?
ଉତ୍ତର– ବର୍ତ୍ତମାନର ଲେଖକ ମାନେ ପଢୁଛନ୍ତି ଓ ଦେଖୁଛନ୍ତି କମ୍। ସେମାନେ ଏକ ସୁସଙ୍ଗଠିତ ଜୀବନ ବଂଚିବାକୁ ଚାହୁଁଛନ୍ତି। ତେଣୁ ସାହିତ୍ୟ ମଧ୍ୟ ସେମିତିକା ବାହାରୁଛି। ସେମାନଙ୍କ ଭିତରେ ଆଡପ୍ଟିବିଲିଟି କମ୍ ଅଛି। ଅର୍ଥାତ ନୂଆକୁ ଗ୍ରହଣ କରିବାରୁ ଅନାଗ୍ରହ। ବର୍ଷ ବର୍ଷ ଧରି ଯାହା ଲେଖା ହୋଇ ଆସିଛି, ଆଜି ମଧ୍ୟ ସେଇମିତିଆ ଲେଖା ହେଉଛି, କେବଳ ଚରିତ୍ରର ନାଁ ଅଲଗା। ଏତେ ଘଟଣାକ୍ରମ ଆମ ରାଜ୍ୟରେ ଘଚୁଛି, ସାହିତ୍ୟରେ ସେ ସବୁ କାହିଁ?
Comments are closed.