Latest Odisha News

BREAKING NEWS

ଭୁବନେଶ୍ୱର ଗାନ୍ଧିମାର୍ଗରୁ ଆନ୍ଦୋଳନରତ ଏଏନଏମ କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀରେ ଆନ୍ଦୋଳନ ଚଳାଇଥିବା ଏଏନଏମ କର୍ମୀଙ୍କୁ ଉଠାଇନେଲା ପୋଲିସ । ଗାନ୍ଧିମାର୍ଗରେ ଧାରଣାସ୍ଥଳରୁ ସେମାନଙ୍କୁ ପୋଲିସ ବଳପୂର୍ବକ ଉଠାଇ ନେଇଛି । ଏତିକିବେଳେ ଆନ୍ଦୋଳନକାରୀ-ପୋଲିସ ମଧ୍ୟରେ ଧସ୍ତାଧସ୍ତି ବି ହୋଇଛି । ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ସେମାନଙ୍କୁ ଧାରଣାସ୍ଥଳରୁ ଉଠାଇ ନିଆଯାଇଛି ।

ସାଧାରଣତନ୍ତ୍ର ଦିବସ ମିଳିତ ପ୍ୟାରେଡ଼ ଆୟୋଜନ ପାଇଁ ଧାରଣା ସ୍ଥଳ ଛାଡିବା ପାଇଁ ବାରମ୍ବାର ପୋଲିସ ପକ୍ଷରୁ ଅନୁରୋଧ କରାଯାଇଥିଲା। ଡ଼ାକବାଜି ଯନ୍ତ୍ର ଯୋଗେ ଆହ୍ୱାନ କରାଯାଇଥିଲା । 144ଧାରା ଲାଗୁ କରାଯାଇ ଆଇନକୁ ହାତକୁ ନନେବାକୁ ପରାମର୍ଶ ବି ଦିଆଯାଇଥିଲା। ତଥାପି ଆଜି ଭୋରରୁ ଶତାଧିକ ଏଏନଏମ୍ କର୍ମୀ ଏକାଠି ହୋଇ ଧାରଣାରେ ବସିଥିଲେ । ବରିଷ୍ଠ ପୋଲିସ ଅଧିକାରୀମାନେ ବୁଝାସୁଝା କରିବାରେ ବିଫଳ ହେବାରୁ ସମସ୍ତଙ୍କୁ ହଟାଯାଇଛି ।

ସେମାନଙ୍କୁ ରିଜର୍ବ ପୋଲିସ ପଡିଆକୁ ସ୍ଥାନାନ୍ତର କରାଯାଇଛି । ଆନ୍ଦୋଳନକାରୀ ଏଏନଏମ୍ କର୍ମୀ କହିଛନ୍ତି, ସେମାନେ ଆନ୍ଦୋଳନରୁ ଓହରି ନାହାନ୍ତି । ସାଧାରଣତନ୍ତ୍ର ଦିବସ ପରେ ପୁଣି ଆନ୍ଦୋଳନକୁ ଫେରିବା ନେଇ ଚେତାବନୀ ଦେଇଛନ୍ତି । ସ୍ଥାୟୀ ନିଯୁକ୍ତି ଦାବିରେ ନଭେମ୍ବର ୨୮ ତାରିଖରୁ ଅହୋରାତ୍ର ଆନ୍ଦୋଳନ ଚଳାଇଛନ୍ତି ଏଏନଏମ୍ କର୍ମୀ । ଦାବି ପୂରଣ ନହେବା ଯାଏ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚେତେଇ ଦେଇଛନ୍ତି ।

Leave A Reply

Your email address will not be published.