ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ କହିଛନ୍ତି- ବାପାଙ୍କ ଫୁସଫୁସରେ ପାଣି ଜମି ଯାଇଛି ଏବଂ ତାଙ୍କ ଚେହେରା ଫୁଲି ଯାଇଛି । ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯିବ ବୋଲି ତେଜସ୍ୱୀ କହିଛନ୍ତି ।
ଶୁକ୍ରବାର ବିଳମ୍ବିତ ରାତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କ ସହ ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବ, ମିସା ଭାରତୀ ପ୍ରମୁଖ ଲାଲୁଙ୍କୁ ଭେଟି ଆଲୋଚନା କରିଥିଲେ । ବାପାଙ୍କୁ ଭେଟିବା ପରେ ତେଜସ୍ୱୀ କହିଥିଲେ- ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ରହିଛି ।
ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଲାଲୁ ଯାଦବ ଦୀର୍ଘ ଦିନ ଧରି ରାଞ୍ଚି ରିମ୍ସରେ ଚିକିତ୍ସିତ ହେଉଛନ୍ତି । ତେଜସ୍ୱୀଙ୍କ ସୂଚନା ଅନୁସାରେ- ଲାଲୁଙ୍କ କିଡନୀର ୨୫ ପ୍ରତିଶତ କାମ କରୁଛି । ପୂର୍ବରୁ ହାର୍ଟ ସର୍ଜରୀ ହୋଇଛି । ଏବେ ଫୁସଫୁସରେ ପାଣି ଜମିଥିବାରୁ ଚିନ୍ତା ବଢ଼ିଛି । ତେବେ, ସମ୍ପୂର୍ଣ୍ଣ ମେଡିକାଲ ଯାଞ୍ଚ ରିପୋର୍ଟ ଆସିବା ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ତେଜସ୍ୱୀ କହିଛନ୍ତି ।
ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ିଥିବା ବେଳେ ରାଞ୍ଚି ଜେଲ୍ ଆଇଜି ବିରେନ୍ଦ୍ର ଭୂଷଣ ରିମ୍ସ କର୍ତ୍ତୃପକକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ ୨୪ ଘଣ୍ଟା ମଧ୍ୟରେ ୨ ଜଣ ଡାକ୍ତର ନିଯୁକ୍ତ କରିବାକୁ ରିମ୍ସ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ରାଞ୍ଚି ଜେଲ୍ ଆଇଜି ।
Comments are closed.